mission shakti banner

ଦ୍ବନ୍ଦ୍ବବାଦ- ସତ୍ୟ ଅନ୍ବେଷଣର ଏକ ପନ୍ଥା

BSKY banner  750×100

ଆଜି ପରିବାରରୁ ଆରମ୍ଭ କରି ରାଜ୍ୟ, ଦେଶ ତଥା ରାଷ୍ଟ୍ରରେ ଦ୍ୱନ୍ଦବାଦ ତାର କାୟା ବିସ୍ତାର କରିଛି। ତେବେ ପ୍ରଥମେ ‘ଦ୍ୱନ୍ଦ୍ବବାଦ’ କ’ଣ ବୋଲି ଆମେ ଜାଣିବା। ‘ଦ୍ୱନ୍ଦ୍ବବାଦ’ ଶଦ୍ଦଟି ପ୍ରଥମେ ବ୍ୟବହୃତ ହେଉଥିଲା ବିଭିନ୍ନ ମତ ପାର୍ଥକ୍ୟ ମଧ୍ୟ ଦେଇ ସତ୍ୟରେ ଉପନୀତ ହେବା ଉଦ୍ଦେଶ୍ୟରେ, କଥୋପକଥନ ହେବାର ବିଦ୍ୟା ହିସାବରେ; କିନ୍ତୁ ଗ୍ରୀସର ଦାର୍ଶନିକ ପ୍ଲାଟୋ ଜଣେ ଦ୍ୱନ୍ଦ୍ବବାଦୀକୁ ଏପରି ଏକ ଲୋକ ହିସାବରେ ବର୍ଣ୍ଣନା କରିଛନ୍ତି ଯିଏକି ପ୍ରଶ୍ନ କରି ଜାଣନ୍ତି ଓ ଉତ୍ତର ମଧ୍ୟ ଦେଇ ପାରନ୍ତି, କୌଣସି ଏକ ଜିନିଷର ବା ପ୍ରମ୍ପଚର ସଂଜ୍ଞା ପ୍ରସ୍ତାବ କରିବା ସହ ତାକୁ ସମ୍ବାବ୍ୟ ସମସ୍ତ ପ୍ରକାରର ଆପତ୍ତି ଦର୍ଶାଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ସତ୍ୟରେ ଉପନୀତ ହୋଇଥାନ୍ତି। ମାତ୍ର ତାଙ୍କ ପକ୍ଷରେ ଦ୍ୱନ୍ଦବାଦ ହେଲା ସତ୍ୟକୁ ବୁଝିବା ପାଇଁ ସହାୟକ ହେଉଥିବା ଧାରଣା ସମୂହର ଠିକ୍‍ ମିଳନ ଓ ବିଚ୍ଛିନତାର ପଦ୍ଧତି। ସକ୍ରେଟିସ ଥିଲେ ଜଣେ ମହାନ ଦ୍ୱନ୍ଦ୍ବବାଦୀ। ସେ ତାଙ୍କ ସମଗ୍ର ଜୀବନ ଅନୁସନ୍ଧାନୀ କଥୋପକଥନ ମଧ୍ୟ ଦେଇ ସତ୍ୟ ଆବିଷ୍କାର କରିବାକୁ ଚେଷ୍ଟା କରିଥିଲେ। ଏହି ଧରଣର କଥୋପକଥନ ଚାଲିଥିଲାବେଳେ ସକ୍ରେଟିସ୍‍ ପ୍ରଶ୍ନ କରୁଥିଲେ, ଉତ୍ତର ସମୂହକୁ ଖଣ୍ଡନ କରୁଥିଲେ, ବିଭିନ୍ନ ରକମର ପ୍ରକାରଭେଦ ଉପସ୍ଥାପିତ କରୁଥିଲେ, ସନ୍ଦେହ ପ୍ରକାଶ କରୁଥିଲେ ଏବଂ ତାଙ୍କ ପ୍ରତିପକ୍ଷମାନଙ୍କ ଅଭିମତରେ ଥିବା ସ୍ୱବିରୋଧ ସମୂହକୁ ତୁଳନା କରି, ବିଶ୍ଳେଷଣ କରି ଓ ଖଣ୍ଡନ କରି ସତ୍ୟ ଖୋଜି ପାଇବାର ଏହି ପଦ୍ଧତିକୁ କୁହାଯାଇଥିଲା ଦ୍ୱନ୍ଦ୍ବବାଦ। ପରବର୍ତ୍ତୀ କାଳରେ ଏହି ଶଦ୍ଦଟି ମାଧ୍ୟମରେ ସମ୍ପୂର୍ଣ୍ଣ ଭିନ୍ନ ଅର୍ଥ ପ୍ରକାଶ ପାଇଛି।
‘ସଫିଷ୍ଟ’ ଏଭଳି ଏକ ଶଦ୍ଦ ଯାହା ପ୍ରଥମେ ‘ବିଜ୍ଞ ବ୍ୟକ୍ତି ଏବଂ ଗୁରୁ’ଙ୍କୁ ବୁଝାଉଥିଲା। ଅନ୍ୟ ଅର୍ଥରେ ସାମାନ୍ୟ ବେତନ ନେଇ ଯେଉଁମାନେ ବିତର୍କର କଳା ଶିଖାଉଥିଲେ ସେହି ବିଜ୍ଞ ଓ ବାକ୍‍ପଟୁ ଶିକ୍ଷାଦାତାମାନଙ୍କୁ କୁହାଯାଉଥିଲା ସଫିଷ୍ଟ। ଏମାନେ ପ୍ରଥମ ବେତନ ପ୍ରାପ୍ତ ଶିକ୍ଷକଗଣ ଭାବେ ସେମାନଙ୍କ ଶିକ୍ଷାର୍ଥୀମାନଙ୍କୁ କିପରି ‘ଚିନ୍ତା କରିବାକୁ ହୁଏ’, ‘କଥା କହିବାକୁ’ ହୁଏ ଓ ‘କାମ କରିବାକୁ ହୁଏ’ ଶିଖାଉଥିଲେ। ଯାହା ଆଜିର ରାଜନେତାଙ୍କ ପାଇଁ ଦରକାର; କିନ୍ତୁ ସେହି ଶିକ୍ଷାପ୍ରଣାଳୀର ମୁଖ୍ୟ ଉଦେଶ୍ୟ ଥିଲା କଥାହେବା ସମୟରେ ଯେ କୈାଣସି ଉପାୟରେ ଅପରପକ୍ଷ ଉପରେ ଆଧିପତ୍ୟ ବିସ୍ତାର କରିବା। ସେହି ‘ସଫିଷ୍ଟ’ ମାନେ କହୁଥିଲେ ନିଜର ଲକ୍ଷ ହାସଲ କରିବା ପାଇଁ ଯେକୈାଣସି ଉପାୟ ଅବଲମ୍ବନ କରାଯାଇପାରେ। ଜଣେ ପ୍ରାଚୀନ ଗ୍ରୀକ୍‍ ଦାର୍ଶନିକ ‘ମିଲେଟାସ୍‍ର ଇଉବୁଲିଡିସ୍‍’ ଅନେକ କୁତର୍କ ଚିନ୍ତା ବାହାର କରିଥିଲେ। ତୁମେ ଯାହା ହରାଇନାହଁ ତାହା ତୁମ ପାଖରେ ଅଛି ତେବେ ମଣିଷ ଶିଙ୍ଗ ହରେଇନି କିନ୍ତୁ ଶିଙ୍ଗ କ’ଣ ତା ପାଖରେ ଅଛି? ମଣିଷ ସଦାବେଳେ ଜ୍ଞାତ ଓ ଅଜ୍ଞାତର ବୈପରୀତ୍ୟ ଦେଖିବାକୁ ଚାହିଁଥାଏ। ଫଳରେ ଗୋଟିଏ ଅପରଟିଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଥାଏ।
ଆମ ପୁରାଣ ତଥା ଧର୍ମ ଗ୍ରନ୍ଥକୁ ଅବଲୋକନ କଲେ ଏହି ଦ୍ୱନ୍ଦ୍ବକୁ ନେଇ ଅନେକ ସୁନ୍ଦର କଥା ଜଣା ପଡିଥାଏ। ଥରେ ନାରଦଙ୍କ ମନରେ କାମ ଓ ଅହଙ୍କାରର ଦ୍ୱନ୍ଦ୍ବ ଜାଗ୍ରତ ହୋଇଥିଲା। ନାରଦଙ୍କ ଭଳି ମହାନ ସନ୍ଥ ତଥା ସଂସାର ତ୍ୟାଗୀଙ୍କ ମନରୁ ଏହି କାମ ଓ ଅହଙ୍କାରର ଦ୍ୱନ୍ଦ୍ବକୁ ବିନାଶ କରିବାକୁ ଯାଇ ପରଂବ୍ରହ୍ମ ନାରାୟଣଙ୍କୁ ଏକ ସ୍ୱତନ୍ତ୍ର ରାଜ୍ୟ ସୃଷ୍ଟି କରିବାକୁ ପଡିଥିଲା। ଶୀଳନିଧି ନାମକ ବ୍ୟକ୍ତିଙ୍କୁ ସେ ରାଜ୍ୟର ରାଜା କରାଇ ତାଙ୍କ ଅନନ୍ୟା ସୁନ୍ଦରୀ କନ୍ୟା ଭାବେ ଲକ୍ଷ୍ମୀଙ୍କୁ ପ୍ରେରିତ କରାଇବା ପଛରେ ଥିଲା ତାଙ୍କର ମହତ୍‌ ଉ​‌େ​‌ଦଶ୍ୟ। ସେହ କନ୍ୟାର ଭାଗ୍ୟରେଖା ଦେଖାଇବା ପାଇଁ ରାଜା ନାରଦଙ୍କୁ ନିମନ୍ତ୍ରଣ କରିଥିଲେ। ନାରଦ ଉକ୍ତ କନ୍ୟାକୁ ଦେଖି ତା ରୂପରେ ବିମୋହିତ ହୋଇ ସେହି କନ୍ୟାକୁ ନିଜ ଜୀବନରେ ପାଇବା ପାଇଁ ତାଙ୍କ ଆରାଧ୍ୟ ହରିଙ୍କୁ ତାଙ୍କ ରୂପ ମାଗିଥିଲେ। ନାରଦଙ୍କ ଅନୁରୋଧରେ ଭଗବାନ୍‌ ହରି ତାଙ୍କର ହରି ମୁଖକୁ ଅର୍ଥାତ ବାନର ରୂପକୁ ପ୍ରଦାନ କରିଥିଲେ। ଫଳରେ ନାରଦ ଉକ୍ତ କନ୍ୟାର ସ୍ୱୟମ୍ବରରେ ଭଗବାନ୍‌ ପ୍ରଦତ୍ତ ବାନର ମୁଖ ନେଇ ଯିବା କାରଣରୁ ଅପମାନିତ ହେବା ସହ ଭଗବାନଙ୍କୁ ଅଭିଶାପ ଦେଇଥିଲେ। ହେ ହରି ଆପଣ ମୋତେ କପଟରେ ଯେଉଁ ବାନର ମୁଖ ପ୍ରଦାନ କଲେ ଦିନେ ସେହି ବାନରର ସହାୟତା ଆପଣଙ୍କୁ ନେବାକୁ ପଡିବ। ନାରଦଙ୍କ ମନରେ ଉଠିଥିବା କାମ ଓ ଅହଙ୍କାରର ଦ୍ୱନ୍ଦ୍ବରେ ନିହିତ ଥିଲା ଜଗତର କଲ୍ୟାଣ ଓ ଦୁଇ ଭକ୍ତ ଭଗବାନଙ୍କର ଦ୍ୱାରପାଳ ଜୟ, ବିଜୟଙ୍କ ଶାପ୍ୟରୁ ମୁକ୍ତିଲାଭ। ସେହିଭଳି ରାମାୟଣରେ ରାମ ରାବଣ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦ୍ବ ମଧ୍ୟରେ ନିହିତ ଥିଲା ବ୍ରହ୍ମ ଜିଜ୍ଞାସା। ରାବଣ ଭଳି ମହାନ ଜ୍ଞାନୀ ତଥା ତ୍ରିକାଳଦର୍ଶୀ ନିଜର ବିନାଶ ବେଳେ ବୁଦ୍ଧିବାମ ହେବାରୁ ଏକ ସୁନାର ମୃଗକୁ ପ୍ରେରଣ କରି ସମାଜକୁ ଏହି ସନ୍ଦେଶ ଦେଇଥିଲା ‘ବିନାଶ କାଳେ ବିପରୀତ ବୁଦ୍ଧି’। ରାବଣ ଓ ରାମଙ୍କ ଦ୍ୱନ୍ଦ୍ବ ଭିତରେ ନିହିତ ଥିଲା ରାବଣର ଭୂ-ବୈକୁଣ୍ଠର ସ୍ୱପ୍ନ ଅର୍ଥାତ ସେ ତାର ଆରାଧ୍ୟା ଲକ୍ଷ୍ମୀ ସ୍ୱରୂପା ସୀତାଙ୍କୁ ଆଣି ଶୋକ ନଥିବା ବନରେ ରଖିବା ସହ ନାରାୟଣ ରୂପି ରାମଙ୍କୁ ଲଙ୍କାକୁ ଆଣି ନିଜ ଲଙ୍କାକୁ ଭୂ-ବୈକୁଣ୍ଠର ସ୍ୱପ୍ନ ଦେଖିବା ସହ ନିଜର ମୁକ୍ତି କାମନା କରିଥିଲା।
ସେହିପରି କୌରବ ପାଣ୍ଡବଙ୍କ ମଧ୍ୟରେ ଦ୍ୱନ୍ଦ୍ବ ନିଜ ହକ୍‍ ପାଇଁ ଲଢେଇର ପ୍ରତିଫଳନରେ ସମାଜକୁ ମିଳିଥିଲା ‘ଗୀତା ଦର୍ଶନ’। ଅର୍ଜୁନଙ୍କ ମନରେ ଉଠିଥିବା ‘ମୁଁ ଓ ମୋର’ ଦ୍ୱନ୍ଦ୍ବର ପ୍ରତିଫଳନ ସ୍ୱରୂପ ଭଗବାନ୍‌ଙ୍କ ମୁଖ ନିସୃତ ଅଷ୍ଟାଦଶ ଅଧ୍ୟାୟ ‘ଗୀତା’ ଯାହାକୁ ଜୀବନରେ ମଣିଷ ପାଳନ କରିପାରିଲେ ନିଜର କଲ୍ୟାଣ ସହ ସମାଜର ଅହେତୁକ କଲ୍ୟାଣ ସାଧିତ ହୋଇଥାଏ। ମାତ୍ର ଦ୍ୱନ୍ଦ୍ବ ଯେତେବେଳେ ବ୍ୟକ୍ତିଗତ ହେବାସହ ଅହଙ୍କାରର ରୂପ ନେଇଥାଏ ସେତେବେଳେ ସମାଜର ତଥା ବିଶ୍ୱର ଅବକ୍ଷୟ ଅବଶ୍ୟମ୍ଭାବୀ ଯାହା ଆଜିର ରାଜନୀତି କ୍ଷେତ୍ରରେ ଘଟିଚାଲିଛି। ବର୍ତ୍ତମାନର ରୁଷ ଓ ୟୁକ୍ରେନର ଦୀର୍ଘ ଦିନର ଯୁଦ୍ଧ। ବିଭିନ୍ନ ରାଜନୈତିକ ଦଳ ତଥା ଦଳୀୟ ବ୍ୟକ୍ତି ବିଶେଷ ନିଜ ନିଜର ପ୍ରଭୂତ୍ୱ, ପ୍ରତିପତ୍ତି ଓ ସତ୍ତାର ମୋହକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି ଯେଉଁଥିରେ ଏ ଗରିବ ଜନତା ନିଷ୍ପେଷିତ ହେଉଛନ୍ତି। ସେମାନଙ୍କ ଦ୍ୱନ୍ଦ୍ବରେ ସମାଜ କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ କଲ୍ୟାଣ ନିହିତ ଥିବା ସହିତ ଥାଏ ପ୍ରବଞ୍ଚନା। ଏଭଳି ବ୍ୟକ୍ତି ବିଶେଷଙ୍କୁ ପ୍ରବଞ୍ଚନାର ପୂଜାରୀ କୁହାଯାଏ। ଭାରତ ସ୍ୱାଧୀନତା ପାଇଁ ଆମ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଇଂରେଜମାନଙ୍କ ସହିତ ଦ୍ୱନ୍ଦ୍ବ ଥିଲା ଆମ ମା, ମାଟିର ଉଦ୍ଧାର ତାହା ପୁଣି ଅଂହିସା ମାର୍ଗରେ। ଏଭଳି ଦ୍ୱନ୍ଦ୍ବ ସତ୍ୟର ଉପସ୍ଥାପିତ କରିଥାଏ।
ପ୍ରାଚୀନ କାଳରେ ଏକ ବିଜ୍ଞ ଚୀନବାସୀ ‘ଗୁନସୁନ୍‍ ଲୁ’ ତାଙ୍କର ଏକ ଧଳା ଘୋଡା ପିଠିରେ ବସି ଏକ ସୀମାନ୍ତ ଅତିକ୍ରମ କରିବାକୁ ଚାହୁଁଥିଲେ। ସେତେବେଳେ ଘୋଡା ପିଠିରେ ବସି ସୀମାନ୍ତ ଅତିକ୍ରମ କରିବା ନିଷିଦ୍ଧ ଥିଲା ବୋଲି ସୀମାନ୍ତରକ୍ଷୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେଲା ସେ ନିଜର ଯୁକ୍ତି ଉପସ୍ଥାପିତ କରି କହିଥିଲେ ମହାଶୟ “ଏକ ଘୋଡା ବାଦାମୀ ରଙ୍ଗର ହୋଇପାରେ। ମାତ୍ର ଏକ ସଫେଦ ଘୋଡା ବାଦାମୀ ହୋଇପାରେନା, ଅତଏବ, ଏହି ସଫେଦ ଘୋଡା ଘୋଡା ନୁହେଁ।’’ ଏହି ଯୁକ୍ତି ଦ୍ୱାରା ସୀମାନ୍ତରକ୍ଷୀ ଏତେ ଅଭିଭୂତ ହୋଇ ପଡିଲେ ଯେ ସେ ଉକ୍ତ ବିଜ୍ଞ ବ୍ୟକ୍ତିଙ୍କୁ ନିଜ ଘୋଡାସହ ସୀମାନ୍ତ ପାରହେବାକୁ ଅନୁମତି ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟ ମଣିଷର ତିନିଟି ଉଦେଶ୍ୟ ପାଇଁ ଚାଳିତ ହୋଇଥାଏ ଯାହା ହେଲା ‘ସୁଖ ଭୋଗ, ଲାଭ ଓ ମର୍ଯ୍ୟାଦା। ନ୍ୟାୟ ବିଚାର ବଳବାନ୍‌ର ଲାଭ ବ୍ୟତୀତ ଆଉ କିଛି ନୁହେଁ ବୋଲି ଜଣେ ‘ସଫିଷ୍ଟ’ ଙ୍କ ମତ; କିନ୍ତୁ ଜଣେ ଦ୍ୱନ୍ଦ୍ବବାଦୀର ଲକ୍ଷ୍ୟ ହେଉଛି ନିଜ ଯୁକ୍ତି ଦାର୍ଶନିକ କଳା ସାହାଯ୍ୟରେ ସତ୍ୟକୁ ଖୋଜି ବାହାର କରିବା। ଦ୍ୱନ୍ଦ୍ବବାଦୀ ଚିନ୍ତାବିତ୍‍ ‘ସକ୍ରେଟିସ’ଙ୍କ ସମ୍ପର୍କରେ କଥା ଉଠିଲେ ଏହି ଉକ୍ତିଟି ମନକୁ ଆସିଥାଏ ଯାହାହେଲା “ମୁଁ କେବଳ ଜାଣେ ଯେ ମୁଁ କିଛି ଜାଣେ ନାହିଁ, କିନ୍ତୁ ମୁଁ ଜ୍ଞାନ ଲାଭ ପାଇଁ ଅହରହ ଚେଷ୍ଟା କରୁଛି।’’ ତାଙ୍କ ମତରେ ଜ୍ଞାନ ହେଉଛି ଅଲଭ୍ୟ ତେଣୁ ଦ୍ୱନ୍ଦ୍ବ ଯେତେବେଳେ ପର୍ଯ୍ୟନ୍ତ ଜିଜ୍ଞାଷା ସହିତ ଜଡିତ ଥାଏ ସେତେବେଳ ଯାଏ ସମାଜର କଲ୍ୟାଣ ସାଧିତ ହୋଇଥାଏ।

ଊମାଶଙ୍କର ପ୍ରସାଦ
ଖୋର୍ଦ୍ଧା
ଦୂରଭାଷ:୬୩୭୦୬୭୫୫୬୨

Comments are closed.