ଟଙ୍କା : ଅନ୍ତର୍ଜାତୀୟ ବିନିମୟର ମାଧ୍ୟମ

ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଭାରତୀୟ ମୁଦ୍ରା ବା ଟଙ୍କାର ବିନିମୟତାକୁ ଆନ୍ତର୍ଜାତିକ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ବାରା ଭାରତୀୟ ଟଙ୍କା ଆମେରିକୀୟ ଡଲାର ପରି ଏକ ଅନ୍ତର୍ଜାତୀୟ ବିନିମୟର ମାଧ୍ୟମ ହୋଇପାରିବ ଏବଂ ବିଶ୍ୱକୁ ଏକ ନୂତନ ଅନ୍ତର୍ଜାତୀୟ ଦେୟ ବ୍ୟବସ୍ଥା ମିଳିବ। ଏହା ଦ୍ୱାରା ଭାରତ ଓ ଭାରତୀୟ ମୁଦ୍ରା ଉପରେ ଥିବା ବିଶ୍ବ ବାଣିଜ୍ୟର ଚାପକୁ ଯଥେଷ୍ଟ ପରିମାଣରେ କମେଇ ଦିଆଯାଇପାରିବ। ଭାରତୀୟ ମୁଦ୍ରା ବିନିମୟର ମାଧ୍ୟମ ହେବା ଫଳରେ ଭାରତର ଅନ୍ତର୍ଜାତୀୟ ବ୍ୟାପାର ସହଜ ଓ ତ୍ୱରିତ ହୋଇ ପାରିବ। ଭାରତୀୟ ମୁଦ୍ରା ଆନ୍ତର୍ଜାତିକ ବଜାରରେ ବିନିମୟର ମାଧ୍ୟମ ହେବାର ଅର୍ଥ ହେଉଛି ଭାରତୀୟ ରପ୍ତାନିକାରୀ ସେମାନଙ୍କ ଦ୍ରବ୍ୟର ମୂଲ୍ୟ ଟଙ୍କାରେ ପାଇବେ ଏବଂ ଆମଦାନୀକାରୀ କ୍ରୟଦ୍ରବ୍ୟର ମୂଲ୍ୟ ଟଙ୍କାରେ ଦେବେ ଯାହା ଏବେ ଡଲାର ମାଧ୍ୟମରେ ହେଉଛି।
ଅନ୍ତର୍ଜାତୀୟ ବ୍ୟାପାରରେ ଦୁଇଟି ଏକାଉଣ୍ଟ୍ ବ୍ୟବହାର କରାଯାଏ – କରେଣ୍ଟ ଏକାଉଣ୍ଟ୍ (ଚାଲୁ ଖାତା ) ଓ କ୍ୟାପିଟାଲ୍ ଏକାଉଣ୍ଟ୍(ପୁଞ୍ଜି ଖାତା)। ସରଳ ଭାଷାରେ କହିଲେ କରେଣ୍ଟ ଏକାଉଣ୍ଟ୍ ହେଉଛି ସେହି ଏକାଉଣ୍ଟ୍ ଯେଉଁଥିରେ ଦ୍ରବ୍ୟ ଓ ସେବା କାରବାର ହୋଇଥାଏ । ତେଣୁ ଏଥିରେ ଦେୟ ମଧ୍ୟ ସାଙ୍ଗେସାଙ୍ଗେ ହୋଇଥାଏ। କ୍ୟାପିଟାଲ୍ ଏକାଉଣ୍ଟ୍ ବିଦେଶରେ ସ୍ଥାୟୀ ସଂପତ୍ତି କ୍ରୟ, ଦେଶରେ ସ୍ଥାୟୀ ସଂପତ୍ତି ବିକ୍ରୟରୁ ମିଳୁଥିବା ଧନରାଶି ବିଦେଶରେ ଜମା କରିବା, ଅନ୍ତର୍ଜାତୀୟ ମୁଦ୍ରା ନିଜ ପାଖରେ ଜମା ରଖିବା ଇତ୍ୟାଦି ସମ୍ବନ୍ଧୀୟ ଦେଣନେଣ ଯାହା ପାଇଁ ସରକାରଙ୍କର ଅନୁମତି ଆବଶ୍ୟକ ପଡ଼ିଥାଏ। ଭାରତୀୟ ମୁଦ୍ରାର ପୂର୍ଣ୍ଣ ବିନିମୟତାର ଅର୍ଥ ଉଭୟ କରେଣ୍ଟ ଏକାଉଣ୍ଟ୍ ଓ କ୍ୟାପିଟାଲ୍ ଏକାଉଣ୍ଟରେ ହେଉଥିବା ସମସ୍ତ ଦେଣନେଣରେ ଟଙ୍କା ସ୍ୱୀକୃତିପ୍ରାପ୍ତ ଆନ୍ତର୍ଜାତିକ ମୁଦ୍ରାରେ ପରିବର୍ତ୍ତନୀୟ ହେବା । ଏଠାରେ ସୂଚାଇବା ଉଚିତ ହେବ ଯେ ୧୯୯୨ ମସିହା ମାର୍ଚ୍ଚ ମାସ ୧ ତାରିଖରୁ ଟଙ୍କା କରେଣ୍ଟ ଏକାଉଣ୍ଟରେ ପୂର୍ଣ୍ଣ ବିନିମୟକ୍ଷମ ହୋଇସାରିଛି। ଗତ ଶତାବ୍ଦୀର ନବେ ଦଶକର ପ୍ରଥମ ଭାଗରେ ଭାରତର ଆର୍ଥିକ ସଂକଟ ସମୟରେ କରେଣ୍ଟ ଏକାଉଣ୍ଟରେ ଆକସ୍ମିକ ବିପର୍ଯ୍ୟୟକୁ ପ୍ରତିହତ କରିବା ପାଇଁ ଭାରତ ଏପରି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା।
ଏଥର ଆସନ୍ତୁ ଜାଣିବା ପ୍ରସ୍ତାବିତ ପ୍ରକ୍ରିୟାଟି କିପରି କାର୍ଯ୍ୟ କରିବ । ଯେଉଁ ସବୁ ବ୍ୟାଙ୍କ୍ ଏହି ପ୍ରକ୍ରିୟା ନିମନ୍ତେ ଅଧିକୃତ ହେବେ ସେମାନେ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କର ବିଦେଶୀମୁଦ୍ରା ବିନିମୟ ବିଭାଗର ଅନୁମତି ହାସଲ କରିବେ। ନିଜର ବାଣିଜ୍ୟିକ ଦେଣନେଣ ପାଇଁ ସେମାନେ ସହଯୋଗୀ ଦେଶର ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଗୋଟିଏ ସ୍ପେସାଲ୍ ରୁପି ଭୋସ୍ତ୍ରୋ ଏକାଉଣ୍ଟ୍ ଖୋଲିବେ। ଭୋସ୍ତ୍ରୋ ଏକାଉଣ୍ଟ୍ ହେଉଛି ଭାରତୀୟ ବ୍ୟାଙ୍କରେ ଭାରତୀୟ ଟଙ୍କାରେ ଖୋଲିବାକୁ ଥିବା ବିଦେଶୀ ବ୍ୟାଙ୍କର ଏକାଉଣ୍ଟ୍। ବଜାର ଦର (ମୁଦ୍ରାର ଯୋଗାଣ ଓ ଚାହିଦା) ଦ୍ୱାରା ଉଭୟ ଦେଶର ମୁଦ୍ରାର ବିନିମୟ ମୂଲ୍ୟ ଭାରତୀୟ ଟଙ୍କାରେ ସ୍ଥିର କରାଯିବ। ଭାରତୀୟ ଆମଦାନୀକାରୀ ସେମାନଙ୍କର ଆମଦାନୀ କରିବାକୁ ଥିବା ଦ୍ରବ୍ୟର ମୂଲ୍ୟ ଟଙ୍କା ଆକାରରେ ଦେବେ। ଯେଉଁ ଦେଶରୁ ଆମଦାନୀ କରାଯାଉଥିବ ଏହି ଟଙ୍କା ସେ ଦେଶର ଅଧିକୃତ ବ୍ୟାଙ୍କର ଭୋସ୍ତ୍ରୋ ଏକାଉଣ୍ଟରେ ଦ୍ରବ୍ୟର ଇନ୍ ଭଏସ୍ ବିପକ୍ଷରେ ଜମା ହେବ। ଭାରତୀୟ ରପ୍ତାନିକାରୀ ସେମାନଙ୍କର ଦ୍ରବ୍ୟର ମୂଲ୍ୟ ସେହି ଭୋସ୍ତ୍ରୋ ଏକାଉଣ୍ଟରେ ଥିବା ବଳକା ଟଙ୍କାରୁ ପାଇବେ। ସେମାନେ ମଧ୍ୟ ନିଜର ପ୍ରାପ୍ୟ ଅଗ୍ରିମ ହିସାବରେ ପାଇପାରିବେ; କିନ୍ତୁ ସେଥିପାଇଁ ବ୍ୟାଙ୍କଗୁଡ଼ିକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ସେହି ରପ୍ତାନି ଆଦେଶଗୁଡ଼ିକ ପୂର୍ବରୁ ନିଷ୍ପାଦିତ ହୋଇସାରିଛି। ଅଧିକୃତ ଭାରତୀୟ ବ୍ୟାଙ୍କଗୁଡ଼ିକ ଏହା ମଧ୍ୟ ନିଶ୍ଚିତ କରିବେ ଯେ କାରବାରରେ ସାମିଲ ହେଉଥିବା ଅନ୍ୟ ଦେଶର ବ୍ୟାଙ୍କ ଏଫ୍ଏଟିଏଫ୍ ସୂଚୀ ଅନ୍ତର୍ଭୁକ୍ତ ନୁହେଁ। ଏଫ୍ଏଟିଏଫ୍ ବା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କଫୋର୍ସ ପ୍ୟାରିସରେ ଅବସ୍ଥିତ ଏକ ଆନ୍ତଃସରକାରୀ ସଂସ୍ଥା, ଯାହା ସାରା ବିଶ୍ବରେ କଳାଧନ, ସାମୂହିକ ବିନାଶ ଅସ୍ତ୍ର ନିର୍ମାଣ ଓ ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ଯୋଗେଇ ଦିଆଯାଉଥିବା ପାଣ୍ଠି ଉପରେ ନଜର ରଖିଥାଏ। ଭୋସ୍ତ୍ରୋ ଏକାଉଣ୍ଟରେ ଥିବା ବଳକା ଟଙ୍କା ସରକାରୀ ବଣ୍ଡ୍‌ ଓ ସିକ୍ୟୁରିଟି କ୍ରୟ , ବିଭିନ୍ନ ଯୋଜନା ଓ ନିବେଶ ଏବଂ ରପ୍ତାନି-ଆମଦାନୀ ଅଗ୍ରିମ ପ୍ରବାହ ପରିଚାଳନା ପାଇଁ ବ୍ୟବହାର କରାଯାଇପାରିବ ।
ଭାରତୀୟ ମୁଦ୍ରା ଆନ୍ତର୍ଜାତିକ ବିନିମୟର ମାଧ୍ୟମ ହେଲେ ଭାରତ ଅନେକ ଅର୍ଥନୈତିକ ସୁବିଧା ପାଇପାରିବ। (୧) ବିଶ୍ବରେ ଦେଖାଯାଉଥିବା ଆର୍ଥିକ ସଂକଟ ଓ ଯୁଦ୍ଧ ପରି ପରିସ୍ଥିତି ଟଙ୍କାକୁ ଅସ୍ଥିରତା ଭିତରକୁ ଟାଣିନିଏ। ବର୍ତ୍ତମାନର ଅନ୍ତର୍ଜାତୀୟ ବିନିମୟ ମୁଦ୍ରା ଡଲାର ସହିତ ଯୁକ୍ତ ହୋଇଥିବାରୁ ଦିନକୁ ଦିନ ଟଙ୍କାର ମୂଲ୍ୟ ହ୍ରାସ ପାଇଥାଏ ଯାହା ଏବେ ହେଉଛି। ଭାରତୀୟ ଟଙ୍କା ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେଲେ ଏହି ଅସ୍ଥିରତା ରହିବନି। ଏହା ଛଡ଼ା ଏହି ପଦକ୍ଷେପ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୃଷ୍ଟି ହେଉଥିବା ଅସ୍ଥିରତାକୁ ପ୍ରତିହତ କରିପାରିବ। (୨) ଏହାଦ୍ବାରା ଭାରତର ରପ୍ତାନି ବୃଦ୍ଧି ପାଇବ ଏବଂ ଅାନ୍ତର୍ଜାତକ ବ୍ୟାପାରରେ ଉନ୍ନତି ଘଟିବ। ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ପ୍ରକ୍ରିୟାଟି ଆରମ୍ଭ କରିବା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କକୁ ଏହା ସ୍ପଷ୍ଟ କରିବାକୁ ପଡ଼ିବ ଯେ ଭାରତୀୟ ରପ୍ତାନିକାରୀ ଡଲାର ଅମଳରେ ଯେଉଁ ପ୍ରୋତ୍ସାହନ ପାଉଥିଲେ ଏହି ବ୍ୟବସ୍ଥାରେ ତାହା ରହିବ ନା ନାହିଁ। (୩) ଭାରତୀୟ ଟଙ୍କା ପ୍ରତି ବିଶ୍ବରେ ଆଗ୍ରହ ସୃଷ୍ଟି ହେବ। କାରଣ ଡଲାରର ମୂଲ୍ୟ ଅଧିକ ରହୁଥିବାରୁ ଏବଂ ବହୁତ ଦେଶ ଆମଦାନୀ ଉପରେ ନିର୍ଭରଶୀଳ ହୋଇ ଥିବାରୁ ଡଲାରର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁ ସେମାନଙ୍କର ଅର୍ଥନୈତିକ ଅବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି। (୪)ଅନେକ ସମୟରେ ଅନେକ ଦେଶ ଅର୍ଥନୈତିକ ବାସନ୍ଦର ଶିକାର ହୋଇଥାଆନ୍ତି, ଏବେ ଯେମିତି ରୁଷ୍, ଇରାନ ହୋଇଛନ୍ତି । ସେ ସମୟରେ ପୃଥିବୀର ଅନ୍ୟ ଦେଶ ବାସନ୍ଦର ଶିକାର ହୋଇଥିବା ଦେଶ ସହିତ କୌଣସି ଅର୍ଥନୈତିକ କାରବାର କରି ପାରି ନ ଥାଆନ୍ତି। ଭାରତୀୟ ମୁଦ୍ରା ଅନ୍ତର୍ଜାତୀୟ ମୁଦ୍ରାରେ ପରିଣତ ହେଲେ ଆଉ ଏ ଅସୁବିଧା ରହିବନି, କାରଣ ଡଲାର ସ୍ଥାନରେ ଏହା ବ୍ୟବହାର କରାଯାଇପାରିବ। ଭାରତ ରୁଷରୁ ଇନ୍ଧନ ତୈଳ ଆମଦାନୀ କରୁଛି। ରୁଷ୍ ଅର୍ଥନୈତିକ ବାସନ୍ଦର ଅନ୍ତର୍ଭୁକ୍ତ ହେବା ପରେ ଭାରତ ସହଜରେ ତୈଳ ଆମଦାନୀ କରିପାରି ନ ଥିଲା। ରୁଷରୁ ତୈଳ ଆମଦାନୀକୁ ସୁଗମ କରିବା ପାଇଁ ରୁପି-ରୁବଲ୍ ବିନିମୟ କଥା ଉଠିଥିଲା।
ଭାରତୀୟ ମୁଦ୍ରାର ଅନ୍ତର୍ରାଷ୍ଟ୍ରୀୟକରଣ ବା ପୂର୍ଣ୍ଣ ବିନିମୟକରଣ ହେବା ଉଚିତ ବୋଲି କହିବା ଭାରି ସହଜ; କିନ୍ତୁ ଏହାର କାର୍ଯ୍ୟକାରିତା ଓ ସଫଳତା ଅନେକ ଜଟିଳ କାରକ ଉପରେ ନିର୍ଭର କରେ। ପ୍ରଥମତଃ ଏଥିପାଇଁ ଗୋଟିଏ ବିଶାଳ ଓ ସ୍ଥିର ଜାତୀୟ ଅର୍ଥନୀତିର ଆବଶ୍ୟକତା ରହିଛି। ତା’ ସହିତ ବିତ୍ତୀୟ ବଜାରରେ ଯଥେଷ୍ଟ ନଗଦ ଟଙ୍କାର ଉପସ୍ଥିତି, ନୀଚ ମୁଦ୍ରାସ୍ଫୀତି, ନିଯୁକ୍ତି ଓ ବ୍ୟବସାୟର ଭରପୂର ସୁଯୋଗ, ପୁଞ୍ଜିର ସୁଲଭତା, କ୍ୟାପିଟାଲ୍ ଏକାଉଣ୍ଟରେ ଟଙ୍କାର ପୂର୍ଣ୍ଣ ବିନିମୟତା ଇତ୍ୟାଦି ନିହାତି ପ୍ରୟୋଜନ। ଏହା ସହିତ ଜରୁରୀ ଏକ ଅନୁକୂଳ ବିଶ୍ୱ ଅର୍ଥନୀତି। ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଖରେ ଏସବୁ କାରକ ଭିତରୁ କୌଣସିଟି ଉପଲବ୍ଧ ନୁହେଁ । ଅତି କମରେ ବାର/ତେର ଟ୍ରିଲିଅନ୍ ଡଲାରର ଅର୍ଥନୀତି ଜାଗାରେ ଭାରତୀୟ ଅର୍ଥନୀତି ତିନି ଟ୍ରିଲିଅନ୍ ଡଲାର ବିଶିଷ୍ଟ । ଦେଶ ଉଚ୍ଚ ମୁଦ୍ରାସ୍ଫୀତିର ଶିକାର। ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ରେପୋରେଟ୍ ବୃଦ୍ଧି କରି ଅର୍ଥନୀତିରୁ ନଗଦ ଟଙ୍କା ପ୍ରତ୍ୟାହାର କରୁଛନ୍ତି। ବେକାରୀ ସମସ୍ୟା ଉତ୍କଟ। ବ୍ୟାଙ୍କମାନଙ୍କର ଅନର୍ଜକ ସମ୍ପତ୍ତି (ଏନ୍‌ପିଏ) ପ୍ରବଳ। ଏହା ଉପରେ ବିଶ୍ୱ ଅର୍ଥନୀତି ଉଚ୍ଚ ମୁଦ୍ରାସ୍ଫୀତିର ଶିକାର ହୋଇ ମାନ୍ଦାବସ୍ଥା ଆଡ଼କୁ ଖସିବାରେ ଲାଗିଛି ।
ବର୍ତ୍ତମାନ ପ୍ରଥମ ଆବଶ୍ୟକତା କ୍ୟାପିଟାଲ୍ ଏକାଉଣ୍ଟରେ ଟଙ୍କାର ପୂର୍ଣ୍ଣ ବିନିମୟତା। ସେଥିପାଇଁ ଏକ ସୁନିୟନ୍ତ୍ରିତ ଓ ଅନୁକୂଳ ଅର୍ଥନୈତିକ, ସାମାଜିକ ଓ ବ୍ୟବସ୍ଥାଗତ ପରିବେଶ ଆବଶ୍ୟକ। ଭାରତର ମାତ୍ରାଧିକ ରପ୍ତାନି ନିର୍ଭରଶୀଳତା, ଦୁର୍ନୀତି, ଦ୍ରୁତ ଜନସଂଖ୍ୟା ବୃଦ୍ଧି, ସାମାଜିକ ଓ ଅର୍ଥନୈତିକ ଆହ୍ୱାନ ଓ ଅମଲାତାନ୍ତ୍ରିକ ଜଟିଳତା ପୂର୍ଣ୍ଣବିନିମୟ-ପରବର୍ତ୍ତୀ ସମୟରେ ବିଫଳତାର କାରଣ ହୋଇପାରେ। ଯେତେବେଳେ ବିଶାଳ ବିଶ୍ବବଜାରରେ ହଜାର ହଜାର ଲୋକ ପୂର୍ଣ୍ଣ ବିନିମୟକ୍ଷମ ଭାରତୀୟ ମୁଦ୍ରାରେ କାରବାର କରିବେ ତା’ର ଅବମୂଲ୍ୟାୟନ ବା ଅଧିମୂଲ୍ୟାୟନ ପରି ଅସ୍ଥିରତା ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବ। ସେଥିପାଇଁ ଭାରତୀୟ ବିତ୍ତୀୟ ବ୍ୟବସ୍ଥାରେ ଯେଉଁସବୁ ଦୁର୍ବଳତା ରହିଛି ସେସବୁ ଦୂରୀଭୂତ ହେବା ଆବଶ୍ୟକ। ବିତ୍ତୀୟ ଦୃଢ଼ୀକରଣ, ବ୍ୟାଙ୍କଗୁଡ଼ିକର ପ୍ରବଳ ଅନାଦାୟ ଋଣର ଉପଚାର, ଯଥେଷ୍ଟ ପରିମାଣର ବିଦେଶୀ ମୁଦ୍ରା ସଞ୍ଚୟ, ନ୍ୟୂନତମ କରେଣ୍ଟ୍ ଆକାଉଣ୍ଟ୍ କ୍ଷତି, ବିତ୍ତୀୟ ସଂସ୍ଥା ଓ ବଜାରର ନିୟନ୍ତ୍ରଣ ଏବଂ ସୁପରିଚାଳନା ଇତ୍ୟାଦି ପଦକ୍ଷେପ ମାଧ୍ୟମରେ ମାକ୍ରୋଇକୋନୋମିକ୍ ସ୍ଥିରତା ଅଣାଯିବା ଆବଶ୍ୟକ; ନଚେତ୍ ସମୁଦାୟ ପ୍ରକ୍ରିୟାଟି ଏକ ଅର୍ଥନୈତିକ ବିପର୍ଯ୍ୟୟ ସିଦ୍ଧ ହେବ।
ସମସ୍ତ ପ୍ରତିକୂଳତା ସତ୍ତ୍ବେ କେନ୍ଦ୍ରୀୟ ବ୍ୟାଙ୍କ ଟଙ୍କାକୁ ପୂର୍ଣ୍ଣ ବିନିମୟକ୍ଷମ କରି ଅନ୍ତର୍ଜାତୀୟ ମୁଦ୍ରାରେ ପରିଣତ କରିବାକୁ ସ୍ଥିର କରିଛନ୍ତି। ଭାରତୀୟ ଅର୍ଥନୀତି ବିଶାରଦଙ୍କର ମତ ଯେ ଏହା ଯଦିଓ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଦୀର୍ଘ ସମୟ ନେବ ତଥାପି ପରିସ୍ଥିତିର ସୁଯୋଗ ନେବା ଉଚିତ। ବର୍ତ୍ତମାନ ହିଁ ଏହି ପ୍ରକ୍ରିୟା ଆରମ୍ଭ କରିବାର ଉପଯୁକ୍ତ ସମୟ। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ହେତୁ ରୁଷ୍ ଆମେରିକା ସମେତ ପ୍ରାୟ ସମସ୍ତ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଅର୍ଥନୈତିକ ବାସନ୍ଦର ଶିକାର। ଆନ୍ତର୍ଜାତିକ ବାଣିଜ୍ୟିକ ଦେଣନେଣ ବ୍ୟବସ୍ଥା (SWIFT )ରୁ ରୁଷ୍ ନିଷ୍କାସିତ। ଫଳରେ ଏହାର ଆମଦାନୀ ଓ ରପ୍ତାନି ସଂପୂର୍ଣ୍ଣରୂପେ ବାଧାପ୍ରାପ୍ତ । ସେହିପରି ଶ୍ରୀଲଙ୍କା, ଅନେକ ଗରିବ ଆଫ୍ରିକୀୟ ଓ ଦକ୍ଷିଣ ଆମେରିକୀୟ ଦେଶମାନଙ୍କରେ ବିଦେଶୀ ମୁଦ୍ରା (ଆମେରିକୀୟ ଡଲାର ଯାହା ଅନ୍ତର୍ରାଷ୍ଟ୍ରୀୟ ବାଣିଜ୍ୟିକ ଦେଣନେଣର ମାଧ୍ୟମ) ଗଚ୍ଛିତ ନ ଥିବାରୁ ସେମାନେ ‘ଲେଟର ଅଫ୍ କ୍ରେଡିଟ୍’ ମାଧ୍ୟମରେ ଆମଦାନୀ କରୁଛନ୍ତି। ଯେହେତୁ ନୂତନ ପ୍ରକ୍ରିୟା ସ୍ୱିଫ୍ଟ୍ ବ୍ୟବସ୍ଥାର ବାହାରେ, ରୁଷ୍ ସମେତ ଏହି ଛୋଟଛୋଟ ଦେଶ ସହିତ ପ୍ରାରମ୍ଭିକ ସ୍ତରରେ ଭାରତ ଟଙ୍କା ମାଧ୍ୟମରେ ବାଣିଜ୍ୟିକ ଦେଣନେଣ କରିପାରିବ। ଟଙ୍କା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଦେଣନେଣର ସଫଳତା ନିର୍ଭର କରେ ଅପର ଦେଶର ଟଙ୍କାକୁ ଗ୍ରହଣ କରିବାର ଇଚ୍ଛା ଉପରେ; ଅନ୍ୟ ଅର୍ଥରେ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ଉପରେ। ଏଥିପାଇଁ କୂଟନୈତିକ ସ୍ତରରେ ଏକ ଅନୁକୂଳ ବାତାବରଣ ସୃଷ୍ଟିର ଆବଶ୍ୟକତା ରହିଛି। ଏପରି ହୋଇପାରିଲେ ଭାରତୀୟ ଟଙ୍କା ଭବିଷ୍ୟତରେ ଏକ ଦୃଢ଼ ଓ ସଫଳ ଅନ୍ତର୍ଜାତୀୟ ମୁଦ୍ରାରେ ପରିଣତ ହୋଇପାରିବ।

ସୁଜାତା ପ୍ରହରାଜ
praharajs18@gmail.com

Comments are closed.