ବିତଣ୍ଡା ତର୍କ

ପୁରୁଣା କଥା ମନେ ପଡ଼େ। ରେଭେନ୍ସା କଲେଜରେ ଅଧ୍ୟାପକ ଚଟ୍ଟୋପାଧ୍ୟାୟ ମହାଶୟ ତର୍କଶାସ୍ତ୍ର ପଢ଼଼ଉଥିଲେ। ଛାତ୍ରଛାତ୍ରୀମାନଙ୍କର ପ୍ରଥମ ବର୍ଷ। କୈଶୋର ଅବସ୍ଥା, ତେଣୁ ଅଧ୍ୟାପକ ମହାଶୟ ତର୍କଶାସ୍ତ୍ରରେ ତର୍କ କିପରି ଭ୍ରାନ୍ତିଜନକ ହୋଇଥାଏ ଏବଂ କାହାକୁ ବିତଣ୍ଡା ତର୍କଦୋଷ କୁହାଯାଇଥାଏ, ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅତ୍ୟନ୍ତ ସରଳ ଭାଷାରେ ସୁନ୍ଦର ଉଦାହରଣ ଦେଇ ବୁଝାଉଥିଲେ।
‘ପିଲାମାନେ, ତୁମେ ସମସ୍ତେ ଜାଣିଛ ଯେ ଗୋଟିଏ ଗାଈର ଚାରିଟି ଗୋଡ଼ ଥାଏ, ଗୋଟିଏ ଛେଳିର ଚାରିଟି ଗୋଡ଼ ଥାଏ, ଗୋଟିଏ କୁକୁରର ଚାରିଟି ଗୋଡ଼ ଥାଏ ଏବଂ ଗୋଟିଏ ଚୌକିର ମଧ୍ୟ ଚାରିଟି ଗୋଡ଼ ଥାଏ। ଗାଈ, ଛେଳି ଓ କୁକୁର ସମସ୍ତେ ଗୋଟିଏ ଗୋଟିଏ ପଶୁ ଅଟନ୍ତି ତେଣୁ ଚୌକିଟି ମଧ୍ୟ ଗୋଟିଏ ପଶୁ ଅଟେ।’ ଏହିପରି ବିତଣ୍ଡା ତର୍କକୁ ତର୍କଶାସ୍ତ୍ରରେ ଭ୍ରାନ୍ତିଜନକ ତର୍କ ବୋଲି କୁହାଯାଇଥାଏ ଏବଂ ଯେଉଁମାନେ ଏହି ଧରଣର ତର୍କ କରିଥାନ୍ତି ସେମାନଙ୍କୁ ତର୍କଦୋଷରେ ପୀଡ଼ିତ ବୋଲି କୁହାଯାଇଥାଏ।
ବନ୍ଧୁଗଣ, ଦୁଃଖ ଓ କ୍ଷୋଭର ସହିତ କହିବାକୁ ପଡୁଛି ଯେ ବର୍ତ୍ତମାନ ଭାରତୀୟ ରାଜନୀତିରେ ଅନେକ ରାଜନୈତିକ ବ୍ୟକ୍ତି ଏହିପରି ତର୍କଦୋଷରେ ପୀଡ଼ିତ ହୋଇ ଅଯଥା ଗୁଡ଼ାଏ ଭ୍ରାନ୍ତିଜନକ ବିବୃତି ଦେଉଛନ୍ତି। ଥରେ ଭାବନ୍ତୁ ଯଦି ଅମୁକ ମୋଦୀ େଚାର ଓ ସମୁକ ମୋଦୀ େଚାର ତେବେ କ’ଣ ଢ଼ମୁକ ମୋଦୀକୁ ମଧ୍ୟ େଚାର କୁହାଯିବ? ଯଦି ରାମାୟଣ ଧାରାବାହିକରେ ରାକ୍ଷସ ଓ ରାକ୍ଷସୀମାନେ ଅଟ୍ଟହାସ୍ୟ କରୁଛନ୍ତି ତେବେ କ’ଣ ସଂସଦରେ ଯେଉଁ ରାଜନେତା ଓ ରାଜନେତ୍ରୀ ଅଟ୍ଟହାସ୍ୟ କରିବେ ସେମାନଙ୍କୁ ରାକ୍ଷସ କିମ୍ବା ରାକ୍ଷସୀ ବୋଲି କୁହାଯିବ? ସରକାର ହୁଅନ୍ତୁ କିମ୍ବା ବିରୋଧୀ ହୁଅନ୍ତୁ ଏହା ଉଭୟଙ୍କର ତର୍କଦୋଷର ଅପରାଧ ନୁହେଁ କି?
ପ୍ରଶ୍ନ ଉଠେ ରାଜନୈତିକ ବ୍ୟକ୍ତିବୃନ୍ଦ କାହିଁକି ଏହିପରି ବିତଣ୍ଡା ତର୍କ କରିଥାନ୍ତି? ଏହାର କାରଣ ହେଉଛି ଏହା ସମଗ୍ର ଭାରତବର୍ଷର ସମ୍ବାଦ ଜଗତରେ ଗୋଟେ ହଟଚମଟ ସୃଷ୍ଟି କରିଥାଏ। କୁକୁରଟିଏ ମଣିଷକୁ କାମୁଡ଼ି ଦେଲେ ଆଲୋଚନା ହୁଏ ନାହିଁ କିନ୍ତୁ ଯଦି ମଣିଷଟିଏ କୁକୁରକୁ କାମୁଡ଼ିଦିଏ ତେବେ ସମସ୍ତେ ଚକିତ ହୋଇପଡ଼ି ଏହି ସମ୍ବାଦଟିକୁ ଶୁଣିବାକୁ ଉତ୍କଣ୍ଠା ପ୍ରକାଶ କରିଥାନ୍ତି। ଯେନତେନ ପ୍ରକାରେଣ ସମ୍ବାଦରେ ରହିବାର ଇଚ୍ଛାକୁ ପୂର୍ଣ୍ଣ କରିବା ନିମନ୍ତେ ଏହି ଭଳି ଭ୍ରାନ୍ତିଜନକ ବିତଣ୍ଡା ତର୍କ ସେମାନେ କରିଥାନ୍ତି ଏବଂ ବିଡ଼ମ୍ବନାର ବିଷୟ ଏହି ଯେ ଏହି ଉଦ୍ଦେଶ୍ୟ ହାସଲରେ ସେମାନେ ସଫଳ ମଧ୍ୟ ହୋଇଥାନ୍ତି।
ଏହି ତର୍କଦୋଷର ରୋଗ ବର୍ତ୍ତମାନ ଦିନକୁ ଦିନ ବଢ଼଼ିଚାଲିଛି କାରଣ ଏହା ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହିଁକୁ ବେଶ୍‌ ସୁହାଉଛି। ଭାରତବର୍ଷରେ ବିତଣ୍ଡା ଯୁକ୍ତି ଏକ ଜଘନ୍ୟ ଅପରାଧ ହୋଇନଥାଏ; କିନ୍ତୁ ଏହିଭଳି ଅପରାଧ ଅନେକ ଜଘନ୍ୟ ଅପରାଧର ଖବର ପ୍ରସାରଣକୁ ତୁରନ୍ତ ଚପେଇ ଦେଇଥାଏ। ରାଜନୈତିକ ଛକାପଞ୍ଝା ଭିତରେ ସରକାରଙ୍କର ଅନେକ ଗୁରୁତର ଅପରାଧ ପ୍ରତି ଦୃଷ୍ଟି ଆକର୍ଷଣ ନ କରିବା ନିମନ୍ତେ ଏହିପରି କିଛି ଅପରାଧକୁ ଗୁରୁତ୍ୱ ଦିଆଯାଇଥାଏ କାରଣ ଏହାର ଆଢୁଆଳରେ ସରକାରଙ୍କ ଅପାରଗତାର ଅନେକ ଖବର ଲୁଚିଯାଇଥାଏ। ସାଧାରଣ ଲୋକଟିଏ ଏହିପରି ଏକ ଚକ୍ରାନ୍ତକୁ ବୁଝି ନପାରି ଅଯଥା ଗୁଡ଼ାଏ ନିରର୍ଥକ ତର୍କବିତର୍କରେ ନିଜକୁ ଫସେଇ ଦେଇଥାଏ।
କେବଳ ଅଭିଯୋଗକାରୀ ନୁହେଁ ଏହି ଅପରାଧର ଯିଏ ଅଭିଯୁକ୍ତ ସିଏ ମଧ୍ୟ ଏହାର ରାଜନୈତିକ ଫାଇଦା ଉଠେଇବା ନିମନ୍ତେ ପ୍ରସ୍ତୁତ ହୋଇପଡ଼ିଥାଏ। ଏହିପରି ଅପରାଧ ଏକ ହତ୍ୟା, ଅପହରଣ କିମ୍ବା ଧର୍ଷଣ ସଦୃଶ ଘୃଣ୍ୟ ଅପରାଧ ହୋଇନଥିବାରୁ ଜନସାଧାରଣ ଏହାକୁ ହେୟଜ୍ଞାନ କରିଥାନ୍ତି କିନ୍ତୁ ଯେତେବେଳେ କୋର୍ଟ କଚେରି ଏହି ଅପରାଧୀଙ୍କୁ ଦୁଇଚାରି ବର୍ଷ ସଶ୍ରମ କାରାଦଣ୍ଡ ଦେଇଥାଏ ସେତେବେଳେ ସେମାନେ ଏମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରି କହିଥାନ୍ତି ‘କ’ଣ ହେଲା, ଏଠି େଚାରି, ଡକାଏତି କରି ଲୋକମାନେ ଖୁଲମ୍‌‌ଖୁଲ୍ଲା ବୁଲୁଛନ୍ତି ଅଥଚ କ’ଣ ସେ ଜଣକୁ ଟିକେ େଚାର କହିଦେଲା ବୋଲି ଦୁଇବର୍ଷ ସଶ୍ରମ ଜେଲ ଯିବ, ତା’ ସଭ୍ୟପଦ ରଦ୍ଦ ହୋଇଯିବ, ଘରୁ ତଡ଼ାଖାଇବ ଓ ଆଠବର୍ଷ ବାସନ୍ଦ ହୋଇ ଘରେ ରହିବ?’ ଲୋକମାନଙ୍କର ଏହିପରି ସହାନୁଭୂତି ଅଭିଯୁକ୍ତଙ୍କ ଉପରେ ଓଜାଡ଼ି ହୋଇପଡ଼ି଼ଥାଏ ଏବଂ ଅପରାଧୀ ନିଜକୁ ଭାଗ୍ୟବାନ ମନେ କରି ଜେଲ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଏ।
ଏହି ସମ୍ବାଦକୁ ଖବର ଜଗତରେ ତାଜା ରଖିବା ନିମନ୍ତେ ସରକାର ମଧ୍ୟ ତୁରନ୍ତ ସକ୍ରିୟ ହୋଇପଡ଼ନ୍ତି। ତତ୍‌‌କ୍ଷଣାତ୍‌ ସଭ୍ୟପଦ ରଦ୍ଦ କରିଦେବା ପରେ ମାତ୍ର ତିରିଶଦିନ ଭିତରେ ଘର ଖାଲି କରିଦେବା ନିମନ୍ତେ ତୁରନ୍ତ ନି​‌େ​‌ର୍ଦଶ ଦେଇଦିଅନ୍ତି। ଆଗାମୀ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଚାରିଆଡ଼େ ଏହି ବିଷୟରେ ହୋ ହାଲ୍ଲା ଚାଲିଛି। ଆଦାନୀ, ଅମ୍ବାନୀ, ହିଡ଼େନବର୍ଗ, ଆଇନଶୃଙ୍ଖଳା, ଦରବୃଦ୍ଧି ସବୁ କୁଆଡ଼େ ଚୁଲିକି ଗଲାଣି। ଅପରପକ୍ଷ ମଧ୍ୟ ସହାନୁଭୂତି ଗୋଟେଇବାରେ ଲାଗିଛନ୍ତି। ଉପରିସ୍ଥ କୋର୍ଟରୁ ସ୍ଥଗିତ ଆଦେଶ ପାଇଁ ବାଜା ବଜେଇ ପଟୁଆର ନେଇ କୋର୍ଟ କଚେରିକୁ ଯାଉଛନ୍ତି। ଡେରି ହେଲେ ମନରେ ଦୁଃଖ ନାହିଁ। ଯେତିକି ଡେରି ହେଉଛି ସେତିକି ସେ ସହାନୁଭୁତି ଗୋଟେଇ ଚାଲିଛନ୍ତି। ଦେଖିବାକୁ ଗଲେ ଏହା ତାଙ୍କୁ ବେଶ୍‌ ସୁହାଉଛି।
ମୁଲ୍ଲା ନସିରୁଦ୍ଦିନଙ୍କ ପତ୍ନୀଙ୍କୁ ଅପହରଣ କରି ନିଆଗଲା। ପରଦିନ ଅପହରଣକାରୀଙ୍କ ଦାବିପତ୍ର ଆସିଲା। ଲେଖା ହୋଇଥିଲା ‘ମୁଲ୍ଲା ତୁମେ ଯଦି ଆମ ବିରୁଦ୍ଧରେ ଥାନାକୁ ଯାଅ ତେବେ ଜାଣିରଖ ଆମେ କ’ଣ କରିବୁ?’ ଏହାପରେ ବାକିତକ ମୁଲ୍ଲା ପଢ଼଼ିପାରିଲେ ନାହିଁ ଓ ଭୟରେ କାନ୍ଦିବାକୁ ଲାଗିଲେ। ଏ କଥା ଦେଖି ସମସ୍ତେ ମୁଲ୍ଲାଙ୍କୁ ସମବେଦନା ଜଣେଇଲେ ଓ ଦୟା ପରବଶ ହୋଇ ପ୍ରତ୍ୟହ ତାଙ୍କୁ ଘରକୁ ଡାକି ଖାଇବା ପିଇବାକୁ ଦେଲେ। ପତ୍ନୀଙ୍କର କାଳେ କ’ଣ ହୋଇଯିବ ଭାବି ମୁଲ୍ଲା ଭୟରେ ଥାନାକୁ ଯିବା ପାଇଁ ଜାଣିଶୁଣି ଡେରି କରୁଥିଲେ। ମୁଲ୍ଲାଙ୍କ ପଡ଼ୋଶୀଙ୍କ ପତ୍ନୀ ତାଙ୍କ ସ୍ୱାମୀକୁ କହିଲେ ‘ଦେଖ, ମୁଲ୍ଲାଙ୍କ ସ୍ତ୍ରୀ ବିଚରା ମୁଲ୍ଲାଙ୍କୁ କେତେ ଦହଗଞ୍ଜ କରେ ତଥାପି ତା’ର ନିରାପତ୍ତା ପାଇଁ ମୁଲ୍ଲା ଥାନାକୁ ବି ଜଲଦି ଯାଉନାହିଁ।’ ପଡ଼ୋଶୀ ମୁଲ୍ଲାକୁ ଭଲ ଭାବରେ ଜାଣିଥିଲେ। ସେ ମୁଲ୍ଲାଙ୍କୁ କହିଲେ ‘ଅପହରଣକାରୀ ତୁମକୁ ଦେଇଥିବା ଚିଠିଟି ଟିକେ ଦେଖାଅ ତ।’ ମୁଲ୍ଲା ତାହା ଦେଖେଇଲେ। ସେଥିରେ ଲେଖାଯାଇଥିଲା “ତୁମେ ଯଦି ଆମ ବିରୁଦ୍ଧରେ ଥାନାକୁ ଯାଅ ତେବେ ମନେରଖ, ଆ​‌େ​‌ମ ତୁମ ସ୍ତ୍ରୀକୁ ନେଇ ତୁମ ଘରେ ଛାଡି଼ ଦେଇ ଆସିବୁ।”
ବନ୍ଧୁଗଣ, ପତ୍ନୀଙ୍କ ଅପହରଣ ମୁଲ୍ଲାଙ୍କୁ ବେଶ୍‌ ସୁହାଇଛି। ଲୋକଙ୍କ ସହାନୁଭୂତି ମିଳୁଛି। ଭରପୂର ଭୋଜନ ମିଳୁଛି ଆଉ ଏଣେ ତା’ର ଦହଗଞ୍ଜରୁ ମଧ୍ୟ ମୁକ୍ତି ମିଳିଛି, ତେଣୁ ମୁଲ୍ଲା ଥାନାକୁ ଜଲଦି ଯିବେ କାହିଁକି?

prayash

ଶ୍ୟାମସୁନ୍ଦର ଅଗ୍ରୱାଲା
୯୭, ଜନପଥ, ଭୁବନେଶ୍ବର
ଦୂରଭାଷ: ୯୪୩୭୦୬୭୫୬୭

Comments are closed.