ମୂଲ୍ୟବୋଧର ମୂଲ୍ୟାଙ୍କନ
ସବୁ ପ୍ରକୃତି, ପ୍ରବୃତ୍ତି ଅଭ୍ୟାସର ଯଥାର୍ଥତା ବା ଅଯଥାର୍ଥତା ପାଇଁ ଯୁକ୍ତିତର୍କ ଯାହା ହେଉନା କାହିଁକି, ଲମ୍ବା ରାସ୍ତାରେ ଏକ ‘ସତ୍ୟ’ ଲୁଚିଥାଏ। ସବୁ ଗାଲୁ, ଭୁରୁଡ଼ି, ଯୁକ୍ତିତର୍କ ଊର୍ଦ୍ଧ୍ବରେ ଇଏ ଥାଏ
ରୁଚି ଓ ମୂଲ୍ୟବୋଧ ଏକ ଗାଣିତିକ ସ୍ବୟଂସିଦ୍ଧ ନିର୍ଣ୍ଣୟ ନୁହେଁ। ବର୍ଷରେ ଋତୁଚକ୍ର ପରି ଏହା ତା’ଠୁ ବି ଢେର ପରିବର୍ତ୍ତନଶୀଳ। ପ୍ରାଣୀ, ପଦାର୍ଥ ଓ ପରିସ୍ଥିତିର ଅଲଂଘନୀୟ ଚାପ ଓ ପ୍ରଭାବ ରୁଚି ଓ ମୂଲ୍ୟରେ ପରିବର୍ତ୍ତନ ଦେଇଥାଏ। ଆମିଷ ବିନା ଖାଇ ପାରୁନଥିବା ଓ ନିରାମିଷାରେ ଜୀବନ ସାରା ବିତାଇ ଦେଇଥିବା ଦୁଇ ଆମିଷ ଓ ନିରାମିଷ ପ୍ରବକ୍ତା ଦିନେ ଠିକ୍ ଓଲଟି ଯାଇଥିବା ଉଦାହରଣ କ’ଣ ମିଛ, ଅବାନ୍ତର? ନା ଆଦୌ ନୁହଁ। ତେବେ କିଏ ଠିକ୍ କିଏ ଭୁଲ୍? ସେତେବେଳେ ସେ ଠିକ୍ ଥିଲେ, ଏତେବେଳେ ୟେ ଠିକ୍। ‘କାଳକୁ କାଳ ଏହି ମତେ….।’ ବେପାରପତ୍ର ବନ୍ଧୁମାନେ ଏକ ସମ୍ବାଦ ପ୍ରକାଶ କରିଛନ୍ତି, ସେଥିରେ ବିଚରା ଶ୍ବାନ ଜାତି କ୍ରୋଧ ଠାଏ ଅସହଣିତ, ତାଙ୍କ ପ୍ରତି ସହାନୁଭୂତିରେ ପ୍ରାଣ ଦ୍ରବି ଗଲାଣି। ତାଙ୍କ ଦି’ଚକିଆ ଗାଡ଼ିରେ ଦି’ମହିଳା ପିଲାଟିଏକୁ ସାଙ୍ଗରେ ନେଇ ଯାଉଥିଲାବେଳେ, ଏବେ ରାସ୍ତାଘାଟରେ ହାଉଯାଉ କୁକୁର ମଧ୍ୟରୁ ଗୋଟେ ତାଙ୍କ ଦି’ଚକିଆ ଚକ ତଳକୁ ହଠାତ୍ ପଶି ଆସିଲା। ମହିଳା ଦି’ଜଣ ତ କୁକୁରର କାଣ୍ଡ ଯୋଗୁଁ ଯାହା ଭୋଗିଲେ, ବିଚରା ପିଲାଟିର ଅବସ୍ଥା ଦୁର୍ଘଟଣାରେ ଗୁରୁତର ହୋଇଗଲା। ଆଜିକାଲି ରାସ୍ତାଘାଟରେ କୁକୁରଗୁଡ଼ା ଯେମିତି ବୁଲଚାଲ କରି ସମସ୍ୟା ସୃଷ୍ଟି କରୁଛନ୍ତି ସେ ବିଷୟରେ ସ୍ବର ଉଠୁଛି, ପାଖାପାଖି ଖବରଟିଏ ବି ପ୍ରକାଶ ପାଇଛି ରାସ୍ତାରେ ପ୍ରାୟ ଟିକିଏ ଛଡ଼ାରେ ଛଅଟି କୁକୁର ମରିପଡ଼ିଛନ୍ତି। କେହି ଜଣେ ଏଙ୍କୁ ବିଷ ଦେଇ ମାରିଦେଇଛି। ଏଥିରେ ଆହତ ଓ ମଣିଷପଣିଆରେ ଦ୍ରବୀଭୂତ ଜଣେ ଥାନାରେ ଏତଲା ଦେଇ ମଣିଷଠେଇ ଏ ଅମଣିଷପଣିଆର ପ୍ରତିବାଦ କରିଛନ୍ତି। ଏବେ ଲୋକ କରିବ କ’ଣ? ଗାଈକି ମାଇଲେ ମଲି, ଗାଈ ମାଇଲେ ମଲି। କିଏ ମରୁ କି ନ ମରୁ ସମୟ ତା’ର ଖିଆଲ ନେବ, ଯାହା ଘଟିବା କଥା ଘଟିବ। ତେଣୁ ସବୁ ପ୍ରକୃତି, ପ୍ରବୃତ୍ତି ଅଭ୍ୟାସର ଯଥାର୍ଥତା ବା ଅଯଥାର୍ଥତା ପାଇଁ ଯୁକ୍ତିତର୍କ ଯାହା ହେଉନା କାହିଁକି, ଲମ୍ବା ରାସ୍ତାରେ ଏକ ‘ସତ୍ୟ’ ଲୁଚିଥାଏ। ସବୁ ଗାଲୁ, ଭୁରୁଡ଼ି, ଯୁକ୍ତିତର୍କ ଊର୍ଦ୍ଧ୍ବରେ ଇଏ ଥାଏ। ସେମିତି ଲୁଙ୍ଗି ପିନ୍ଧି ଠାକୁର ପୂଜା କଲେ କି ତ୍ରିକଚ୍ଛ ହୋଇ ଠାକୁର ପୂଜା କଲେ କୋଉଥିରେ ସିଏ ମିଳିବେ ଏକ ବିବଦମାନ ପ୍ରଶ୍ନ ସର୍ବଦା ଦୁଇ ସମ୍ପୃକ୍ତ ଧର୍ମାନ୍ଧଙ୍କ ପାଇଁ। ଉଭୟ ଠାକୁର ଲୁଙ୍ଗିରେ ବା କଛାରେ ନଥାନ୍ତି। ଛାଡ଼ନ୍ତୁ ସେ କଥା।
ରାଜରାସ୍ତାକୁ, ପରିବେଶକୁ ଦୁର୍ଘଟଣାମୁକ୍ତ ଓ ନିରାପଦ ରଖାଯିବା ସର୍ବାଦୌ ଆବଶ୍ୟକ। ମାତ୍ର ୟେ ବି ରୁଚି ଓ ଚେତନାଧୀନ। ରାସ୍ତା ମଝିରେ ଗାଡ଼ି ରଖିଦେଇ ସାଙ୍ଗ ଘରକୁ ପଳେଇଲେ, ନିଜ ପୋଷାକୁକୁର ଟମିକୁ ରାସ୍ତାକୁ ଝାଡ଼ା ଫେରାଇ ଆଣିଲେ, ନିଜ କୁକୁର ଟାଇଗର ପଡ଼ୋଶୀ ଘର ଏକମାତ୍ର ପୁତ୍ର ନିନାକୁ କାମୁଡ଼ିଦେବା ଓ ପରେ ସେ ଡାକ୍ତରଖାନାରେ କୋମାରେ ପଡ଼ିବାରେ ସୃଷ୍ଟ ଫୌଜଦାରୀ ପରିସ୍ଥିତି କୋଉ ପରିବେଶ ଓ ପରିସ୍ଥିତିକୁ ସୁସ୍ଥ ରଖିବ? ଏସବୁ ଏ ଦେଶ ଜନତାର ରୁଚିବୋଧ ଓ ମୂଲ୍ୟବୋଧ ପରିବର୍ତ୍ତନର ଆଭାସ କେବଳ ଦିଏ। କାଇଁ ଗୋପାଳନ? କାଇଁ ଗୋମାତା ସେବା? ସତରେ ରୁଚି ଓ ମୂଲ୍ୟବୋଧ କି ଭୀଷଣଭାବେ ବଦଳି ଯାଉଛି ମ! ମନେପଡ଼େ ଦରବାରରୁ ପଦେ,
‘‘ମନୁଷ୍ୟ ତୋଷିବା ପାଇଁ ସହି କଷ୍ଟ। ମନୁଷ୍ୟ-ପଣରୁ ହେଉଛନ୍ତି ଭ୍ରଷ୍ଟ।
ପଦ ପାଇଁ ଲୋକେ ହୋଇ ଲାଳାୟିତ। ତୋଷିବାକୁ ବ୍ୟସ୍ତ ମନୁଷ୍ୟର ଚିତ୍ତ।
ଭ୍ରମନ୍ତି ମନୁଷ୍ୟ-ପାଦ ଅନୁସରି। ସେହି ମନୁଷ୍ୟର ପୋଷା ଶ୍ବାନ ପରି।
ମନୁଷ୍ୟର ସ୍ମିତ ମନୁଷ୍ୟ ଭ୍ରୂକୁଟୀ। ହୋଇଛି ଜୀବନ ମରଣର ବୁଟି।
ମାନୁଷୀ ଅର୍ଚ୍ଚନା ଲାଗି ଅଗଣନ। ରଚନ୍ତି ଯତନେ ପୁଷ୍ପ-ଉପବନ।
ଦେବୀ ପାଇଁ ତହୁଁ ପୁଷ୍ପ ନେଲେ କେହି। ମାଳୀଏ ମରନ୍ତି ଜରିମାନା ଦେଇ।
ପବିତ୍ର ଶ୍ରୋତ୍ରିୟେ ନକରି ଗୋଦାନ। ଇତରେ ଦିଅନ୍ତି ଜିଣି ଦିବ୍ୟ ଶ୍ବାନ।
ତପ୍ତ-ବୈତରଣୀ ହେବେ ପରା ପାରି। ସେହି କୁକ୍କୁରର ହୋଇ ପୁଚ୍ଛଧାରୀ।’’
ମଣିଷର ରୁଚିବୋଧ କେତେ ବଦଳିଯାଇଛି। ତେବେ ତ ପ୍ରତ୍ୟହ ଲକ୍ଷେ ଝିଣ୍ଟିକା ମାରି ବଣି ପୋଷାଳିର ଉଦାରତାରେ ଫାଟି ପଡୁଥିବା ରୁଚିର ମୌସୁମୀ ୟେ। ତେବେ ଏମିତି ନାକଟେକାଳି ଓ ଅସନ୍ତୁଷ୍ଟିଆଙ୍କ ପାଇଁ ମଧ୍ୟ ଆକ୍ଷେପ କିଛି କମ୍ ନାହିଁ। ଏ ଦେଶର ରୀତି ନୀତି ଆଦର୍ଶ ଅନୁଯାୟୀ ଏ ଦେଶ କୁ ଚାଲିଛି। ମଣିଷ କୋଉ ସେ ଭାବରେ ନିଜକୁ ପ୍ରାୟୋଜିତ ବା ପ୍ରଚୋଦିତ କରୁଛି? ଏବେ ଏକ ନୂଆଫେଣ୍ଟ ସୃଷ୍ଟି ହୋଇଛି ବୋଲିବାକୁ ହେବ।
କଳ ବଳ କୌଶଳ ଖଟାଇ ଭାରତରେ ମୋଗଲ ସାମ୍ରାଜ୍ୟ ଲଦି ଦେବାକୁ ଆକ୍ବର ହିନ୍ଦୁମାନଙ୍କ ପରି ରାମାନନ୍ଦୀ ଚଦର କେବଳ ପକାଇଲେନି; ହିନ୍ଦୁ ରମଣୀଙ୍କୁ ବିବାହ ମଧ୍ୟ କଲେ ଏବଂ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପାଇଁ ଏକ ଧର୍ମଗ୍ରନ୍ଥ ପ୍ରଚଳନ କଲେ ‘ଦିନ୍ ଇ ଇଲାହି’। ଇଏ ବି କେତେଦିନ ଚାଲିଲା। ଏବେ ଗଣତନ୍ତ୍ରର ଧ୍ବଜା ସମଗ୍ର ବିଶ୍ବରେ ଉଡ଼ୁଛି। କେନ୍ଦ୍ରରେ ମୋଦୀଙ୍କ ପଦ୍ମଫୁଲ ତ ରାଜ୍ୟରେ ନବୀନଙ୍କ ଶଙ୍ଖ। ନାରାୟଣଙ୍କ ଦି’ ଆୟୁଧ ଦି’ ନେତାଙ୍କ ହାତରେ। ଚକ୍ର ଓ ପଦ୍ମକୁ ଏ ଦି’ନେତା ସାଲିସ୍ କରି କେତେ ବଣ୍ଟାବଣ୍ଟି କରି ନେଇଛନ୍ତି କି ସ୍ବୀୟ ରାଜିନାମାରେ, ପ୍ରୟୋଗ କରୁଛନ୍ତି, ତା’ ସମୟ କହିବ। ବିକାଶ ହେଉ, ରୁଟି, କପଡ଼ା, ମକାନରେ ସର୍ବେ ସନ୍ତୋଷ ରୁହନ୍ତୁ। ମେଟ୍ରୋ ଗାଡ଼ି ଗଡ଼ିଚାଲୁ। ମାତ୍ର ମଣିଷପଣିଆ ତା’ ସଂସ୍କୃତି ଓ ସଂସ୍କାର, ରାମକୃଷ୍ଣଙ୍କ ହାତରେ ଅନାହତ ରହିଲା ପରି ଏକୁ ଅନାହତ ରଖାଯାଉ- ଏତିକି ଆଶା।
Comments are closed.