
ବିଚାରପତି ଓ ମହାଭିଯୋଗ ପ୍ରସ୍ତାବ

ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିବା ପରେ ସେଠାରୁ ବିପୁଳ ପରିମାଣରେ ଅଧାପୋଡ଼ା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ଏ ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ଏକ କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଜଷ୍ଟିସ୍ ବର୍ମାଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ; କିନ୍ତୁ ସେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ତଦନ୍ତ କମିଟିର ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବା ସହ ସୁପ୍ରିମକୋର୍ଟ ଜଷ୍ଟିସ୍ ବର୍ମାଙ୍କ ବହିଷ୍କାର ନିମନ୍ତେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି। ସଂସଦର ଆସନ୍ତା ମୌସୁମି ଅଧିବେଶନରେ ଜଷ୍ଟିସ୍ ବର୍ମାଙ୍କୁ ବହିଷ୍କାର କରିବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବା ନିମନ୍ତେ ସରକାର ଯୋଜନା କରୁଛନ୍ତି। ତେଣୁ ପ୍ରଶ୍ନ ଉଠୁଛି ସେ ତାଙ୍କ ପଦରୁ ବହିଷ୍କୃତ ହେବେ ନା ଇସ୍ତଫା ଦେବେ? ଆମ ସମ୍ବିଧାନରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ବହିଷ୍କାର କରିବା ପାଇଁ ଯେଉଁ ବ୍ୟବସ୍ଥା ଅଛି ତାହା ଅତି ଜଟିଳ। ସ୍ବାଧୀନତା ପରେ ଏବଂ ସମ୍ବିଧାନ କାର୍ଯ୍ୟକାରୀ ହେବା ପୂର୍ବରୁ ୧୯୪୯ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଶିବ ପ୍ରସାଦ ସିହ୍ନାଙ୍କୁ ବହିଷ୍କାର କରାଯାଇଥିଲା। ଫେଡେରାଲ୍ କୋର୍ଟଙ୍କ ସୁପାରିସକ୍ରମେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ୍ ସି. ରାଜଗୋପାଳଚାରୀ ‘ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ, ୧୯୩୫’ର ଧାରା ୨୨୦(୨)(ଖ) ଅନୁସାରେ ଜଷ୍ଟିସ୍ ସିହ୍ନାଙ୍କୁ ବିଚାରପତି ପଦରୁ ବହିଷ୍କାର କରିଥିଲେ। ଭାରତର ସମ୍ବିଧାନ ପ୍ରଣୟନ ହେବା ପରେ ଅର୍ଥାତ୍ ୧୯୫୦ ମସିହା ପରେ ଆଜି ପର୍ଯ୍ୟନ୍ତ ଦୁର୍ନୀତି ଅଭିଯୋଗରେ ଜଣେ ହେଲେ ବିଚାରପତିଙ୍କୁ ବହିଷ୍କାର କରାଯାଇପାରି ନାହିଁ।
୨୦୧୧ ମସିହାରେ ଜଷ୍ଟିସ୍ ସୌମିତ୍ର ସେନଙ୍କ ବିରୋଧରେ ଲୋକସଭାରେ ଆଗତ ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଯଦି ସେ ଇସ୍ତଫା ଦେଇ ନ ଥାନ୍ତେ, ତେବେ ସେ ଭାରତର ପ୍ରଥମ ବହିଷ୍କୃତ ବିଚାରପତି ଭାବେ ପରିଗଣିତ ହୋଇଥାନ୍ତେ। ପ୍ରଥମ ଦୁର୍ନୀତି ଅଭିଯୋଗ ଆସିଥିଲା ବମ୍ବେ ହାଇକୋର୍ଟ ବିଚାରପତି ଏସ୍. କେ. ଦେଶାଇଙ୍କ ବିରୋଧରେ। କେତେକ ମାମଲାରେ ସେ ପକ୍ଷପାତିତା କରିଥିଲେ ବୋଲି ବାର୍ ଆସୋସିଏସନ୍ ତଥା କେତେକ ସମ୍ବାଦପତ୍ର ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଥିଲା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଶେଷରେ ଅନ୍ୟ ହାଇକୋର୍ଟକୁ ବଦଳି ଆଦେଶ ରାଷ୍ଟ୍ରପତି ଦେବା ପରେ ସେ ଇସ୍ତଫା ଦେଇଥିଲେ। ୨୦୦୩ ମସିହାରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ସମିତ୍ ମୁଖାର୍ଜୀ ସରକାରୀ ଜମି ଜବରଦଖଲ କରିଥିବା ଜନୈକ ବ୍ୟବସାୟୀଙ୍କ ସପକ୍ଷରେ ଲାଞ୍ଚ ନେଇ ରାୟ ଦେଇଥିବାର ଅଭିଯୋଗ କରାଯାଇଥିଲା। ଜଣେ ମହିଳା ଆଇନଜୀବୀଙ୍କ ବଶବର୍ତ୍ତୀ ହୋଇ ସେ ରାୟ ଦେଉଥିଲେ ବୋଲି ଗୁରୁତର ଅଭିଯୋଗ ହୋଇଥିଲା। ସେ ହେଉଛନ୍ତି ପ୍ରଥମ ବିଚାରପତି ଯାହାଙ୍କୁ ଦୁର୍ନୀତି ଅଭିଯୋଗରେ ସି.ବି.ଆଇ ଗିରଫ କରିଥିଲା। ଶେଷରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
ଇସ୍ତଫାପତ୍ର ଗ୍ରହଣ କରିବା ପରେ ତତ୍କାଳୀନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କଲାମ୍ ‘ଏ କ୍ଷେତ୍ରରେ କେବଳ ଇସ୍ତଫା ଯଥେଷ୍ଟ ନୁହେଁ, ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି’ ବୋଲି ମତବ୍ୟକ୍ତ କରିଥିଲେ। ୧୯୯୩ ମସିହାରେ ଅର୍ଥ ହେରଫେର ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ସୁପ୍ରିମକୋର୍ଟ ବିଚାରପତି ଭି. ରାମସ୍ବାମୀ ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ପ୍ରଥମ ଥର ପାଇଁ ସମ୍ବିଧାନର ୧୨୪(୪) ଧାରାରେ ଜଷ୍ଟିସ ରାମସ୍ବାମୀଙ୍କ ବହିଷ୍କାର ପାଇଁ ମହାଭିଯୋଗ ପ୍ରସ୍ତାବ ସଂସଦରେ ଅଣାଯାଇଥିଲା। ୧୦୮ ଜଣ ଲୋକସଭା ସଦସ୍ୟଙ୍କ ଦ୍ବାରା ଆଗତ ମହାଭିଯୋଗ ପ୍ରସ୍ତାବକୁ ତତ୍କାଳୀନ ବାଚସ୍ପତି ରବି ରାୟ ଗ୍ରହଣ କରିଥିଲେ। ମାତ୍ର ରାଜନୈତିକ କାରଣରୁ କଂଗ୍ରେସ ଦଳ ଏହି ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂ ବା ମତଦାନରେ ଅଂଶଗ୍ରହଣ ନ କରିବାରୁ ଜଷ୍ଟିସ୍ ରାମସ୍ବାମୀଙ୍କୁ ବିଚାରପତି ପଦରୁ ବହିଷ୍କାର କରାଯାଇ ପାରିଲା ନାହିଁ। ସେହିପରି ୨୦୧୧ ମସିହାରେ ସିକ୍କିମ୍ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ପି.ଡି.ଦିନାକରନ୍ ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ୨୦୧୭ ମସିହାରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ହାଇକୋର୍ଟର ବିଚାରପତି ସି.ଭି. ନାଗାର୍ଜୁନ ରେଡ୍ଡୀଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ମଧ୍ୟ ଫଳପ୍ରଦ ହୋଇପାରି ନ ଥିଲା। ଯଦି ଜଣେ ସରକାରୀ କର୍ମଚାରୀ ଏଭଳି ଦୁର୍ନୀତିରେ ଲିପ୍ତ ରହନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କାର କରିବାର ବ୍ୟବସ୍ଥା ଅଛି; କିନ୍ତୁ ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏତେ ସହଜ ନୁହେଁ। କାରଣ, ଆମ ସମ୍ବିଧାନରେ ବିଚାରପତିଙ୍କ ବହିଷ୍କାର ପାଇଁ ଯେଉଁ ବ୍ୟବସ୍ଥା ଅଛି ତାହା ଏତେ ଜଟିଳ ଯେ ତାହାକୁ କାର୍ଯ୍ୟକାରୀ କରିବା ବହୁ କଷ୍ଟକର।
ଏହାର ମୁଖ୍ୟ କାରଣ ହେଲା ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ବହିଷ୍କାର ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଗୃହର ଦୁଇ- ତୃତୀୟାଂଶ ସଦସ୍ୟ ଭୋଟ ଦେଲେ ହିଁ ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେହିପରି ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନରେ ପୂର୍ଣ୍ଣ ବହୁମତର ଆବଶ୍ୟକତା ଅଛି। ଅନୁଚ୍ଛେଦ ୧୨୪(୪) ଓ (୫) ଅନୁସାରେ ବିଚାରପତିଙ୍କ ବହିଷ୍କାର ପ୍ରସ୍ତାବ ପାଇଁ ୫୦ ଜଣ ରାଜ୍ୟସଭା ସଦସ୍ୟ କିମ୍ବା ୧୦୦ ଜଣ ଲୋକସଭା ସଦସ୍ୟଙ୍କ ଆବଶ୍ୟକତା ରହିଛି। ଏହା ପରେ ବିଚାରପତି(ତଦନ୍ତ) ଆଇନ, ୧୯୬୮ ଅନୁଯାୟୀ ଉପରାଷ୍ଟ୍ରପତି ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରିବେ। ସାଧାରଣତଃ ଜଣେ କାର୍ଯ୍ୟରତ ସୁପ୍ରିମକୋର୍ଟ ବିଚାରପତି ଓ ଦୁଇଜଣ ହାଇକୋର୍ଟ ବିଚାରପତିଙ୍କୁ ନେଇ ଏହି କମିଟି ଗଠନ କରାଯାଏ। ଏହା ପ୍ରଧାନ ବିଚାରପତିଙ୍କ ପରାମର୍ଶକ୍ରମେ ହୋଇଥାଏ। କମିଟି ଏକ ଟ୍ରାଏଲ୍ କୋର୍ଟ ଭଳି କାର୍ଯ୍ୟ କରିଥାଏ। ଏହା ପରେ କମିଟିର ନିଷ୍ପତ୍ତି ସଂସଦର ଉଭୟ ଗୃହରେ ଉପସ୍ଥାପନ କରାଯାଏ। ତେଣୁ ଏହି ଜଟିଳ ସାମ୍ବିଧାନିକ ବ୍ୟବସ୍ଥା ଯୋଗୁଁଁ ବିଚାରପତିଙ୍କ ଉତ୍ତରଦାୟିତ୍ବ ସମ୍ପର୍କରେ କୌଣସି ସ୍ପଷ୍ଟ ମତ ପ୍ରକାଶ ପାଇପାରୁ ନାହିଁ। ନିମ୍ନ ଅଦାଲତ ତଥା ଏହାର ବିଚାରବିଭାଗୀୟ ଅଧିକାରୀମାନେ ସମ୍ବିଧାନର ଅନୁଚ୍ଛେଦ ୨୩୫ ଅନୁଯାୟୀ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟ ପ୍ରତି ଉତ୍ତରଦାୟୀ ରହନ୍ତି; କିନ୍ତୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କ ଉତ୍ତରଦାୟିତ୍ବ ସମ୍ପର୍କରେ ସମ୍ବିଧାନରେ ନିର୍ଦିଷ୍ଟ ଭାବେ କେଉଁଠାରେ ଦର୍ଶାଯାଇ ନାହିଁ। ତା’ ଛଡ଼ା ବିଚାରପତିଙ୍କ ଦୁର୍ନୀତିର ତଦନ୍ତ ପାଇଁ ଏକ ନିର୍ଦିଷ୍ଟ ନିରପେକ୍ଷ ସଂସ୍ଥା ମଧ୍ୟ ନାହିଁ। ବିଚାରପତି ପଦ ହେଉଛି ଅତି ସମ୍ବେଦନଶୀଳ ପଦ।
ଯଦି ଜଣେ ବିଚାରପତି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୋଇଯାଏ, ତେବେ ସମୁଦାୟ ବିଚାର ବିଭାଗ ପ୍ରତି ଜନତାଙ୍କ ଆସ୍ଥା ତୁଟି ଯାଏ। ତେଣୁ ସଚ୍ଚୋଟ, ନିଷ୍ଠାବାନ ତଥା ଚରିତ୍ରବାନ ବ୍ୟକ୍ତି ଏହି ଆସନ ପାଇଁ ଯୋଗ୍ୟ। ବ୍ରିଟିଶ ଶାସନ ସମୟରେ ‘ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ, ୧୯୧୫,’ ଅନୁସାରେ ବ୍ରିଟିଶ ସମ୍ରାଟଙ୍କ ଇଚ୍ଛା ମୁତାବକ ହାଇକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଉଥିଲା। ଏହି ପଦ ପାଇଁ ୫ ବର୍ଷ ଅଭିଜ୍ଞତା ଥିବା ବାରିଷ୍ଟର, ଭାରତୀୟ ପ୍ରଶାସନିକ ସେବା ସଦସ୍ୟ ଓ ହାଇକୋର୍ଟରେ ୧୦ ବର୍ଷରୁ ଊର୍ଦ୍ଧ୍ବ ଓକିଲାତି ଅଭିଜ୍ଞତା ଥିବା ଓକିଲ ଯୋଗ୍ୟ ବିବେଚିତ ହେଉଥିଲେ। ‘ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ, ୧୯୩୫’ରେ ପ୍ରଥମ ଥର ବିଚାରପତିଙ୍କୁ ବହିଷ୍କାର କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଗଲା। ବିଚାରପତି ଦୁର୍ବ୍ୟବହାର ପ୍ରଦର୍ଶନ କଲେ ବା ଶାରୀରିକ ଦୁର୍ବଳତା ଯୋଗୁଁଁ କାର୍ଯ୍ୟ କରିବାକୁ ସକ୍ଷମ ନ ହେଲେ କିମ୍ବା ମସ୍ତିଷ୍କ ବିକୃତି ଘଟିଲେ ପ୍ରିଭିକାଉନ୍ସିଲ୍ ଦ୍ବାରା ଗଠିତ ନ୍ୟାୟିକ କମିଟିର ସୁପାରିସକ୍ରମେ ତାଙ୍କୁ ବିଚାରପତି ପଦରୁ ବହିଷ୍କାର କରିବାର କ୍ଷମତା ବ୍ରିଟିଶ ସମ୍ରାଟଙ୍କ ଥିଲା।
ପ୍ରଚଳିତ ବ୍ୟବସ୍ଥାରେ ବିଚାରପତିଙ୍କ ନିଯୁକ୍ତି, ବଦଳି ଓ ବହିଷ୍କାର ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ କୌଣସି ନିର୍ଦିଷ୍ଟ ନିରପେକ୍ଷ ସଂସ୍ଥା ନାହିଁ। କଲେଜିୟମ୍ ହିଁ ସମସ୍ତ ନିଷ୍ପତ୍ତି ନେଇଥାନ୍ତି। କୌଣସି ଚାପର ବଶବର୍ତ୍ତୀ ନ ହୋଇ ଭୟ କିମ୍ବା ପ୍ରଲୋଭନର ଊର୍ଦ୍ଧ୍ବରେ ରହି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ବିଚାରପତିମାନେ ଶପଥ ନେଇଥାନ୍ତି। ବିଚାରପତିଙ୍କ ପ୍ରଧାନ କର୍ତ୍ତବ୍ୟ ତଥା ଦାୟିତ୍ବ ହେଉଛି ପ୍ରକୃତ ସତ୍ୟକୁ ଖୋଜି ବାହାର କରିବା। ସେଥିପାଇଁ ଉଚ୍ଚ ବ୍ୟକ୍ତିତ୍ବସମ୍ପନ୍ନ ବ୍ୟକ୍ତିଙ୍କୁ ବିଚାରପତି ପଦରେ ଆସୀନ କରାଯିବ ଉଚିତ। ଅର୍ଥ , ସମ୍ପତ୍ତି, ଖ୍ୟାତି ଓ ସାମାଜିକ ପ୍ରତିଷ୍ଠା ସର୍ବସ୍ବ ନୁହେଁ। କାରଣ ବିଚାରପତିଙ୍କ କଲମର ଗାରରେ ଜଣକର ଜୀବନ ନଷ୍ଟ ହୋଇଯାଇପାରେ। ସେଥିପାଇଁ ବ୍ରିଟିଶ ନ୍ୟାୟିକ ବ୍ୟବସ୍ଥାରେ ବିଚାରପତିମାନେ ଧୀର, ବିଚାରବନ୍ତ, ଦକ୍ଷ, ନିରପେକ୍ଷ ତଥା ଅସୀମ ଧୈର୍ଯ୍ୟର ଅଧିକାରୀ ହେବା ଉଚିତ ବୋଲି ଦର୍ଶାଯାଇଛି।
ଆମ ଦେଶରେ ଦୁର୍ନୀତି ଅଭିଯୋଗରେ ଜଣେ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇ ତାଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯିବାର ବ୍ୟବସ୍ଥା ଅଛି। ଏହି ପ୍ରକ୍ରିୟାରେ ବହିଷ୍କୃତ ବିଚାରପତି ତାଙ୍କର ସମସ୍ତ ଅବସରକାଳୀନ ସୁବିଧା ସହ ପେନ୍ସନରୁ ବଞ୍ଚିତ ହେବେ। କିନ୍ତୁ ସେ ସମ୍ବିଧାନର ୨୧୭ ଧାରା ଅନୁଯାୟୀ ଯଦି ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ଦେଇ ଦିଅନ୍ତି, ତେବେ ପେନ୍ସନ ସହ ସମସ୍ତ ଅବସରକାଳୀନ ସୁବିଧା ପାଇବେ। ତେଣୁ ଜଣେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ପୂର୍ବରୁ ଯଦି ଇସ୍ତଫା ଦିଅନ୍ତି ତେବେ ସେ ପେନ୍ସନ ସହ ସମସ୍ତ ଅବସରକାଳୀନ ସୁବିଧା ପାଇ ପାରିବେ। ବର୍ତ୍ତମାନ ବିଚାର ବ୍ୟବସ୍ଥାରେ ଦେଖାଦେଇଥିବା ଏହି ଭଳି ଦୁର୍ନୀତି ଯୋଗୁଁଁ ନ୍ୟାୟପାଳିକା ଉପରେ ସାଧାରଣ ଜନତାଙ୍କ ଆଶା ଭରସା ତୁଟିବାରେ ଲାଗିଛି। କଲେଜିୟମ୍ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ଦେଖାଦେଇଛି। କାରଣ ବିଚାରପତି ନିଯୁକ୍ତି ସମୟରେ ଜଣେ ବ୍ୟକ୍ତିର ଚରିତ୍ର, ସାଧୁତା, ନିଷ୍ଠା, କର୍ମଦକ୍ଷତା ଆଦିକୁ ବିଚାରକୁ ନେବା ନିତାନ୍ତ ଆବଶ୍ୟକ।
Comments are closed.