
ତୃତୀୟ ଭାଷା ବିବାଦ

ତ୍ରିଭାଷୀ ସୂତ୍ରକୁ ନେଇ ଏବେ ମଧ୍ୟ ଭାରତରେ ଏକ ଜାତୀୟ ମତୈକ୍ୟ ପ୍ରକାଶ ପାଇପାରି ନାହିଁ। ପ୍ରାଦେଶିକ ଭାଷା ସହିତ ଇଂରାଜୀକୁ ଶିକ୍ଷାନୁଷ୍ଠାନରେ ପ୍ରବର୍ତ୍ତନ କରିବାକୁ କୌଣସି ରାଜ୍ୟରେ ବିରୋଧ ନାହିଁ; ତେବେ ତୃତୀୟ ଭାଷା ଭାବେ ହିନ୍ଦୀ ଓ ଅନ୍ୟ ଭାଷାକୁ ନେଇ ବିରୋଧ ରହିଛି। କେନ୍ଦ୍ର ସରକାର ହିନ୍ଦୀକୁ ତୃତୀୟ ଭାଷା ଭାବେ ଅଣହିନ୍ଦୀ ଭାଷୀ ରାଜ୍ୟରେ ପ୍ରବର୍ତ୍ତନ କରିବାକୁ ଅଗ୍ରାଧିକାର ଦେଉଥିବାବେଳେ ଏହାକୁ ଅଧିକାଂଶ ରାଜ୍ୟ ବିରୋଧ କରୁଛନ୍ତି। କହିବାର କଥା ହେଲା ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ମାତୃଭାଷା ହିନ୍ଦୀ ସହିତ ଇଂରାଜୀ ଶିକ୍ଷାନୁଷ୍ଠାନରେ ପ୍ରବର୍ତ୍ତିତ ହେଉଥିବାବେଳେ କୌଣସି ତୃତୀୟ ଭାଷାର ପ୍ରଚଳନ ବ୍ୟବସ୍ଥା ନାହିଁ। ଏଭଳି ସ୍ଥଳେ ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀକୁ ସ୍କୁଲରେ ପ୍ରଚଳନ କରାଇବା ଅନାବଶ୍ୟକ ହୋଇପାରେ।
ଏକାଧିକ ଭାଷା ଶିଖିବାର ଅନେକ ଭଲ ଦିଗ ରହିଛି। ବହୁଭାଷୀ ହେବା ସାଂପ୍ରତିକ ବିଶ୍ବ ପରିପ୍ରେକ୍ଷୀରେ ଏବଂ ରୋଜଗାର ଦୃଷ୍ଟିରୁ ବିଶେଷ ଗୁରୁତ୍ବ ରଖେ। ତେବେ ପାଠପଢ଼ାରେ ବା ବିଦ୍ୟା ପ୍ରବେଶରେ ବିଶେଷ ଗୁରୁତ୍ବ ରଖେ ମାତୃଭାଷା। ମାତୃଭାଷା ମାଧ୍ୟମରେ ପିଲାଟିଏ ପାଠ ପଢ଼ିବା ପରେ ତା’ର ଶିକ୍ଷଣ ସହଜ ହୁଏ ଓ ବୃହତ୍ତର ଜ୍ଞାନ ଦୁନିଆର ଦ୍ବାର ଉନ୍ମୁକ୍ତ କରିବାରେ ଏହା ସହାୟକ ହୋଇଥାଏ। ଏଥିରେ ସଂଯୋଗ ଭାଷା ବା ଲିଙ୍କ୍ ଲାଙ୍ଗୁଏଜ ବିଶେଷ ଭୂମିକା ରଖେ। ସେଥିପାଇଁ ହିନ୍ଦୀ ଅପେକ୍ଷା ଇଂରାଜୀର ଗୁରୁତ୍ବ ଅଧିକ। ଏବେ ପ୍ରଶ୍ନ ଉଠୁଛି ଯେ ସ୍କୁଲରେ ମାତୃଭାଷା ଓ ଇଂରାଜୀରେ ପାଠ ପଢ଼ିବା ପରେ ଏକ ତୃତୀୟ ଭାଷା ଶିଖିବାର ଯଥାର୍ଥତା କ’ଣ? ଯେ ପର୍ଯ୍ୟନ୍ତ ଏକ ଭାଷା ରୋଜଗାରର ଭାଷା ନ ହୋଇଛି ତାହାକୁ ଶିଖିବାକୁ ବିଶେଷ ଆଗ୍ରହ ରହେନାହିଁ। ତେଣୁ ତୃତୀୟ ଭାଷା ପ୍ରତି ଆଗ୍ରହ ହ୍ରାସ ପାଇବା ସ୍ବାଭାବିକ। କେବଳ କିଛି ନିର୍ଦିଷ୍ଟ ଶିକ୍ଷାନୁଷ୍ଠାନ ଓ ଘରୋଇ ସ୍କୁଲରେ ଇଂରାଜୀ, ହିନ୍ଦୀ ସହିତ ମାତୃଭାଷା ଏକ ବିଷୟ ଭାବେ ସ୍ଥାନ ପାଇଥାଏ। ଏଥିରେ ମାତୃଭାଷା ଗୌଣ ରହୁଥିବାବେଳେ ଇଂରାଜୀ ଓ ହିନ୍ଦୀ ପ୍ରାଧାନ୍ୟ ପାଏ। ସେଥିପାଇଁ ନୂଆ ଜାତୀୟ ଶିକ୍ଷାନୀତି ୨୦୦୦ରେ ଗୁରୁତ୍ବ ଦିଆଯାଇଛି। ତେଣୁ ତ୍ରିଭାଷୀ ସୂତ୍ରକୁ ନେଇ ବିବାଦ ରହିବା ଅନୁଚିତ। ତୃତୀୟ ଭାଷାଟିଏ ଆମ ପିଲା ଶିଖିଲେ (ମାତୃଭାଷା ଓ ଇଂରାଜୀ ସହିତ) ଅସୁବିଧା କେଉଁଠି?
ଏସବୁ ସତ୍ତ୍ବେ ଏକ ତୃତୀୟ ଭାଷା ଶିକ୍ଷା ଘେନି ଅଧିକାଂଶ ରାଜ୍ୟ ଏବେ ସଂଘର୍ଷରତ। ହିନ୍ଦୀ ପରିବର୍ତ୍ତେ ଆଉ କେତେକ ରାଜ୍ୟ ସଂସ୍କୃତ ବା ଉର୍ଦୁକୁ ତୃତୀୟ ଭାଷାର ମାନ୍ୟତା ଦେବାକୁ ଚେଷ୍ଟା କରୁଛନ୍ତି। କେଉଁ ରାଜ୍ୟରେ କେଉଁ ଭାଷାକୁ ତୃତୀୟ ଭାଷାର ମାନ୍ୟତା ଦିଆଯିବା ଆବଶ୍ୟକ କେନ୍ଦ୍ର ସରକାର ବିଭିନ୍ନ ପ୍ରଦେଶର ସରକାରଙ୍କ ମତାମତକୁ ବିଚାରକୁ ନେଇ ଏହା ସ୍ଥିର କରିବା ଉଚିତ।
ଆମେ କିନ୍ତୁ ଦେଖୁଛୁ ଯେ ଅଧିକାଂଶ ରାଜ୍ୟରେ ପ୍ରାରମ୍ଭିକଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଖରାପ। ସୀମିତ ଭିତ୍ତିଭୂମି ସହିତ ଯୋଗ୍ୟ ଶିକ୍ଷକଙ୍କ ଅଭାବ ଆମ ଶିକ୍ଷା ବ୍ୟବସ୍ଥାର ଦୁର୍ଗତିର କାରଣ। ନୂଆନୂଆ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନ ସରକାରୀ ସ୍ତରରେ ପ୍ରତିଷ୍ଠା ହେଉଥିବାବେଳେ ଶିକ୍ଷକଙ୍କ ଉତ୍କଟ ଅଭାବ ରହିଛି। ଗୋଟିଏ ଗୋଟିଏ ପ୍ରାଥମିକ ସ୍କୁଲ ଏବେ ଜଣେ ଲେଖାଏଁ ଠିକା ଶିକ୍ଷକରେ ଚାଲିଛି। ତୃତୀୟ ଭାଷା ଶିକ୍ଷା ବଡ଼ ସମସ୍ୟା ହୋଇ ନଥିବାବେଳେ ଏହାକୁ ପଢ଼ାଇବାକୁ ସେଭଳି ଶିକ୍ଷକ ନାହାନ୍ତି। ଅନେକ ଶିକ୍ଷକ ମଧ୍ୟ ଇଂରାଜୀ ପାଠ ଓ ବିଷୟବସ୍ତୁକୁ ନିଜେ ବୁଝିବା ଅବସ୍ଥାରେ ନାହାନ୍ତି। ତେଣୁ ଏଭଳି ସ୍ଥିତିରେ ରାଜନେତାମାନେ ଏହି ଶିକ୍ଷକଙ୍କ ଉପରେ ତୃତୀୟ ଭାଷା ଶିକ୍ଷା ଲଦି ଦେଲେ ଲକ୍ଷ୍ୟ ସଫଳ ହେବ ନାହିଁ। ଭାରତ ଭଳି ଏକ ବହୁଭାଷୀ ରାଷ୍ଟ୍ରରେ ଭାଷାଗତ ବିବିଧତା ଏକ ଗର୍ବ ଓ ଗୌରବର ବିଷୟ। ବିଡ଼ମ୍ବନା ହେଲା ଆମ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହରୁ କିନ୍ତୁ ବିରୋଧର ସ୍ବର ଶୁଭୁଛି। ଫଳରେ ସମ୍ବିଧାନର ତୃତୀୟ ଭାଷା ପ୍ରତିଶ୍ରୁତି ଯାହା ଏକ ଶୈକ୍ଷିକ ଉପହାର, ତାହା ପରୋକ୍ଷରେ ଏକ ପ୍ରଶାସନିକ ବୋଝ ପାଲଟୁଛି। ବିବିଧ ଭାଷା କେବଳ ତାନ୍ତ୍ରିକ ମାର୍ଗ ତିଆରି କରେ ନାହିଁ। ଏହା ଆମକୁ ପରସ୍ପର ସହିତ ଯୋଡ଼େ। ଏହା ଲୋକଙ୍କ ମଧ୍ୟରେ ସାଂସ୍କୃତିକ ବୁଝାମଣାକୁ ସମୃଦ୍ଧ କରିଥାଏ। ଗୋଟିଏ ଭାଷାଭାଷୀର ଲୋକ ଅନ୍ୟ ଭାଷାଭାଷୀଙ୍କ ଐତିହ୍ୟ ଓ ସଂସ୍କୃତି ବିଷୟରେ ବୁଝିବାର ସୁଯୋଗ ପାଇଥାନ୍ତି। ତେଣୁ ପାଠ୍ୟକ୍ରମରେ ତୃତୀୟଭାଷା ଶିକ୍ଷାର ଉଦ୍ଦେଶ୍ୟ ସ୍ପଷ୍ଟ ହେବା ସହିତ ଏହା ରାଜନୀତିରୁ ଊର୍ଦ୍ଧ୍ବରେ ରହିବା ଆବଶ୍ୟକ।
Comments are closed.