ଗୁଜରାଟର ବଡ଼ୋଦରାଠାରେ ବୁଧବାର ଏକ ସେତୁ ଭୁଶୁଡ଼ି ୧୮ଜଣ ପ୍ରାଣ ହରାଇବା ପରେ ଭାରତରେ ନିର୍ମାଣ କାର୍ଯ୍ୟରେ ହେଉଥିବା ଦୁର୍ନୀତି ଓ ଦୁର୍ବଳ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠିଛି। ଏଥିଯୋଗୁଁ ବହୁ ଅମୂଲ୍ୟ ଜୀବନ ଅକାଳରେ ଝରିପଡ଼ୁଥିଲେ ବି ସେଥିପ୍ରତି କାହାରି ନିଘା ନଥିବା ମନେ ହେଉଛି। ବିଭାଗୀୟ ସରକାରୀ ଅଧିକାରୀ, ରାଜନେତା ତଥା ଠିକାଦାରଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ, ନିର୍ମାଣରେ ଉଧାରି ଜ୍ଞାନକୌଶଳ ତଥା ବୈଷୟିକ ତ୍ରୁଟି, ରକ୍ଷଣାବେକ୍ଷଣର ଅଭାବ ଓ ବ୍ୟାପକ ଦୁର୍ନୀତି ଏଭଳି ବାରମ୍ବାର ଅଘଟଣ ପାଇଁ ନିଶ୍ଚିତ ଭାବେ ଦାୟୀ। ଯାନ୍ତ୍ରିକ କାର୍ଯ୍ୟରେ ଅମଲାତନ୍ତ୍ରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଏହାର ଅନ୍ୟ ଏକ କାରଣ ହୋଇପାରେ। ତେବେ ପ୍ରତିଟି ଅଘଟଣରେ ସାଧାରଣ ଜନତା ହିଁ ଯନ୍ତ୍ରଣା ଭୋଗୁଛନ୍ତି। ସେମାନଙ୍କ ଟିକସ ଅର୍ଥ ବିନର୍ବ୍ୟୟ ହେଉଛି; କିନ୍ତୁ କାର୍ଯ୍ୟାନୁଷ୍ଠାନ ନ୍ୟୂନ। ଯାହା ବି ହେଉଛି ଲୋକଦେଖାଣିଆ। ତଦନ୍ତ ଆଳରେ ସବୁ ଦୋଷତ୍ରୁଟିକୁ ଲୁଚାଇ ଦିଆଯାଉଛି। ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ ଲାଭଖୋର ଠିକାଦାରମାନେ ମୁଣ୍ଡ ଲୁଚାଇ ଦିଅନ୍ତି। କର୍ତ୍ତବ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମିଳେ। ସରକାର କିଛି ସହାୟତା ଘୋଷଣା କରି ନିରବ ରହନ୍ତି। ସବୁ ଯେମିତି ପ୍ରାୟୋଜିତ ବୋଲି କୁହାଯାଇପାରେ।
ଆଜିକାଲି ସେତୁ ଭୁଶୁଡ଼ିବା ଓ ରାସ୍ତା ଧୋଇଯିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। କେଉଁଠି ନିର୍ମାଣାଧୀନ ତ’ କେଉଁଠି ଲୋକାର୍ପଣର ସ୍ବଳ୍ପ ବ୍ୟବଧାନରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି। ନିକଟରେ ରାଜସ୍ଥାନର ଝୁନ୍ଝୁନ୍ଠାରେ ଏକ ନବନିର୍ମିତ ଜାତୀୟ ରାଜପଥ ଅସରାଏ ମାତ୍ର ପ୍ରଥମ ବର୍ଷାରେ ଧୋଇଗଲା। ବେଙ୍ଗାଲୁରୁରେ ଗତ ଏପ୍ରିଲରେ ନିର୍ମିତ ପାଦଚଲା ରାସ୍ତା ଜୁଲାଇ ବର୍ଷାରେ ବିରାଟ ଖାତରେ ପରିଣତ ହୋଇଗଲା। ତେବେ ଗୁଜରାଟ ଓ ବିହାରରେ ସେତୁ ଭୁଶୁଡ଼ିବା ଦୃଷ୍ଟାନ୍ତ ସର୍ବାଧିକ। ଏକ ରିପୋର୍ଟ ଅନୁଯାୟୀ, ୧୯୭୭ରୁ ୨୦୧୭ ମଧ୍ୟରେ ଦେଶରେ ମୋଟ ୨୧୩୦ଟି ସେତୁ ଭୁଶୁଡ଼ିଥିଲା। ସେଥିମଧ୍ୟରୁ ୧୦ ପ୍ରତିଶତ ଦୁର୍ବଳ କଞ୍ଚାମାଲ ବ୍ୟବହାରେର ନିର୍ମାଣ ହେତୁ ଭୁଶୁଡ଼ିଥିବା ଦର୍ଶାଯାଇଥିଲା। ସରକାରୀ ତଥ୍ୟ ଅନୁସାରେ ଦେଶରେ ୨୦୨୧ରୁ ୨୦୨୪ ମଧ୍ୟରେ ୨୧ଟି ସେତୁ ଭୁଶୁଡ଼ିଥିଲାବେଳେ ୨୦୧୯ରୁ ୨୦୨୪ ମଧ୍ୟରେ ୪୨ଟି ସେତୁ ଭୁଶୁଡ଼ିଛି ଓ ଏଥିରେ ୨୩୫ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଆହତ ହୋଇଛନ୍ତି। ଗୁଜରାଟରେ ୩ ବର୍ଷ ମଧ୍ୟରେ ୧୬ଟି ଓ ଗତ ୫ ମାସ ଭିତରେ ୩ଟି ସେତୁ ଭୁଶୁଡ଼ିଛି। ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସର୍ବାଧିକ। ବିହାରରେ ୩ ବର୍ଷରେ ୧୩ଟି ସେତୁ ଭୁଶୁଡ଼ିଛି; କିନ୍ତୁ ଜୀବନହାନି କମ୍। ସିଏଜି ରିପୋର୍ଟ ଅନୁସାରେ ବିହାରର ଅଧିକାଂଶ ସେତୁ କେବଳ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଯୋଗୁଁ ଭୁଶୁଡ଼ିଛି। ଏହି ରାଜ୍ୟରେ ପ୍ରତ୍ୟେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ନାହିଁନଥିବା ଦୁର୍ନୀତି ହୋଇଥାଏ। ଏଥିପାଇଁ ଉଦ୍ଦିଷ୍ଟ ବଜେଟର ୪୦ ପ୍ରତିଶତ ନେତା, ଅଧିକାରୀ ଓ ଠିକାଦାରଙ୍କ ଦ୍ବାରା ଆତ୍ମସାତ୍ ହୋଇଥାଏ। ଗୁୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିର୍ମାଣରେ ବୈଷୟିକ ତ୍ରୁଟି। ଆଜିକାଲି ଭାରତର ନିଜସ୍ବ ଜ୍ଞାନକୌଶଳରେ ସେତୁ ନିର୍ମାଣ ହେଉନାହିଁ। ଚୀନ୍ଠୁ ଉଧାରି ଜ୍ଞାନକୌଶଳରେ ସ୍ଲାବ୍ ଆଣି ସିଧା ଖୁଣ୍ଟ ଉପରେ ରଖାଯାଉଛି। ଏଥିରେ ହୁଏତ ଦୁର୍ବଳତା ରହୁଛି; ଯେଉଁଥିପାଇଁ ସେତୁ ମଝିରୁ ସ୍ଲାବ୍ ଖସିପଡ଼ି ଦୁର୍ଘଟଣା ଘଟୁଛି। କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉଥିବା ମନେହୁଏନାହିଁ। ଗୋଟିଏ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଭାରତେର ସ୍ଥାନ ଭିତ୍ତିରେ ହାରାହାରି ୨୪ରୁ ୫୦ କୋଟି ଏବଂ ଏକ କିଲୋମିଟର ସେତୁ ବା ଉଚ୍ଚ ସଡ଼କ ନିର୍ମାଣ ବାବଦରେ ୨୫୦ରୁ ୩୦୦ କୋଟି ଟଙ୍କା ବ୍ୟୟ ହୋଇଥାଏ। ଏତେ ବିପୁଳ ବ୍ୟୟ ପଛରେ ଦୁର୍ନୀତିମୂଳକ ଅଭିସନ୍ଧି ରହିଥିବା କୁହାଯାଏ। ସେଥିଯୋଗୁଁ ନିର୍ମାଣ କାର୍ଯ୍ୟ ଦୁର୍ବଳ ହୋଇଥାଏ। ଏହା ପ୍ରକାରାନ୍ତରେ ରାଜକୋଷକୁ ଶୋଷଣ ସହ ବିକାଶକୁ ପଛାଇ ନେଇଥାଏ। ଗତ ୧୫ ବର୍ଷ ମଧ୍ୟରେ କେବଳ ସେତୁ ଭୁଶୁଡ଼ିବା ବାବଦ କ୍ଷତି ୪୦ ହଜାର କୋଟି ଓ ସଡ଼କ ଧୋଇଯିବା ଜନିତ କ୍ଷତି ୩ ଲକ୍ଷ କୋଟି ଏବଂ ପାଦଚଲା ରାସ୍ତା ମରାମତି ବାବଦରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଜନତାଙ୍କ ଅର୍ଥର ଏଭଳି ଅପବ୍ୟୟ ସମ୍ପର୍କରେ କେହି କେବେ ପ୍ରଶ୍ନ କରନ୍ତି ନାହିଁ। କାହାକୁ ତା’ହେଲେ ଦାୟୀ କରିବା ?
ଏକଦା ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀ ଦଳ ପରିଚାଳନା ପାଇଁ ଠିକାଦାର ପୋଷିବା ପ୍ରସଙ୍ଗରେ ପଦ ଛାଡ଼ିଦେବାକୁ ଧମକ ଦେଇଥିଲେ। ଏହାଦ୍ବାରା ଦୁର୍ନୀତି ବଢ଼ିବ ଓ ଲୋକେ ମରିବେ; ସେଥିରୁ କି ଲାଭ ମିଳିବ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ହୁଏତ ଏବେକା ଘଟଣାବଳୀରୁ ଗୋଟିଗୋଟି ହୋଇ ସ୍ପଷ୍ଟ ହେଉଛି। ଏଭଳି ଖାମଖିଆଲ ଢଙ୍ଗରେ ବିକଶିତ ଭାରତ ଗଠନ ସ୍ବପ୍ନ ପୂରଣ ହେବ ତ? କାହାକୁ କହିବା, ଶୁଣିବ କିଏ?
କାହାକୁ କହିବା, ଶୁଣିବ କିଏ?
Popular Categories



