ଶାନ୍ତି ଫେରିବ କେବେ?
ଚାରି ମାସରୁ ଊର୍ଦ୍ଧ୍ବକାଳ ଧରି ମଣିପୁରରେ ହିଂସା ଜାରି ରହିଥିବାବେଳେ ଶାନ୍ତି ପ୍ରତିଷ୍ଠା ଦିଗରେ ସମସ୍ତ ଉଦ୍ୟମ ବିଫଳ ହେବା ଚିନ୍ତାଜନକ
ଗୋଟିଏ ପଟେ ଆଜିଠାରୁ ରାଜଧାନୀରେ ଭବ୍ୟ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ଓ ଅନ୍ୟ ପଟେ ଦେଶର ଗୋଟିଏ ରାଜ୍ୟ ଘୋର ହିଂସା, ଅସ୍ଥିରତା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛି। ଦୁର୍ଭାଗ୍ୟର କଥା ଯେ ଚାରି ମାସରୁ ଊର୍ଦ୍ଧ୍ବ କାଳ ଧରି ମଣିପୁରରେ ସ୍ଥାନୀୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ମୁହାଁମୁହିଁ ସଂଘର୍ଷ ଏବେ ମଧ୍ୟ ଜାରି ରହିଛି। ସେନା ଏବଂ ସ୍ଥାନୀୟ ପୁଲିସ ଏହି ସଂଘର୍ଷକୁ ବନ୍ଦ କରିବାରେ ସମର୍ଥ ହୋଇନାହିଁ; ବରଂ ସୁରକ୍ଷା ବଳ ଓ ସ୍ଥାନୀୟ ସଶସ୍ତ୍ର ଲୋକଙ୍କ ମଧ୍ୟରେ ଗୁଳିଗୋଳା ବିନିମୟବେଳେ ନିରୀହ ସାଧାରଣ ଲୋକ ବଳି ପଡ଼ୁଛନ୍ତି। ଶୁକ୍ରବାର ସଦ୍ୟ ଘଟଣାରେ ତେଙ୍ଗ୍ନୌପାଲ ଜିଲାର ପାଲ୍ଲେଲ୍ ସହରରେ ଦୀର୍ଘ ସମୟ ଧରି ଏପରି ଗୁଳି ବିନିମୟରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗତ ବୁଧବାର ବିଷ୍ଣୁପୁର ଜିଲାରେ ସହସ୍ରାଧିକ ପ୍ରତିବାଦକାରୀ ସେନାର ପଥରୋଧକାରୀ ବ୍ୟବସ୍ଥାକୁ ହଟାଇ ତୋରବୁଙ୍ଗ୍ସ୍ଥିତ ସେମାନଙ୍କ ଘରକୁ ଫେରିବାକୁ ଚାହୁଁଥିଲେ; କିନ୍ତୁ ସେନା ସେମାନଙ୍କୁ ତାହା କରିବାକୁ ଦେଇନଥିଲା। ଏହାର ଦିନକ ପୂର୍ବରୁ ହିଁ ସ୍ଥିତି ସଂଗିନ ହେଉଥିବା ଅନୁଭବ କରାଯାଇ ଉପତ୍ୟକାର ପାଞ୍ଚଟିଯାକ ଜିଲାରେ ସଂପୂର୍ଣ୍ଣ ସାନ୍ଧ୍ୟ ଆଇନ ଲାଗୁ କରାଯାଇଥିଲା।
ମଣିପୁରରେ ଶାନ୍ତି ସ୍ଥାପନ କରିବାର ସମସ୍ତ ସରକାରୀ ଘୋଷଣା ଓ ପ୍ରଚେଷ୍ଟା ସତ୍ତ୍ବେ ବାସ୍ତବତା ହେଲା ଆଜି ମଧ୍ୟ ସେଠାକାର ହିଂସା ପ୍ରଭାବିତ ଅଞ୍ଚଳର ପୀଡ଼ିତ ଲୋକଙ୍କ ପାଖରେ ଆବଶ୍ୟକ ସାଧନ ପହଞ୍ଚାଇବାରେ ସରକାର ଅସମର୍ଥ ହୋଇଛନ୍ତି। କୌଣସି ଗୋଟିଏ ସମ୍ପ୍ରଦାୟର ପ୍ରଭାବ ରହିଥିବା ଅଞ୍ଚଳରେ ଅନ୍ୟ ସମ୍ପ୍ରଦାୟର କିଛି ଲୋକଙ୍କ ବସତି ଥିଲେ ସେଠାରୁ ସେମାନଙ୍କୁ ସୁରକ୍ଷା ବଳ ଦ୍ବାରା ତାଙ୍କ ଅନିଚ୍ଛା ସତ୍ତ୍ବେ ସ୍ଥାନାନ୍ତର କରାଯାଉଛି। ଅବସ୍ଥା ଏପରି ହୋଇଛି ଯେ ଇମ୍ଫାଲ୍ର ସୁରକ୍ଷିତ ଅଞ୍ଚଳ ବୋଲି ଧରାଯାଉଥିବା ନିଉ ଲେମ୍ବୁଲେନରୁ ମଧ୍ୟ କୁକି ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟତ୍ର ପଳାୟନ କରିବାକୁ ପଡ଼ିଛି। ଏହି ସ୍ଥାନଠାରୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ମାତ୍ର ଦେଢ଼ କିଲୋମିଟର ଦୂର ଓ ପୁଲିସ୍ ମୁଖ୍ୟାଳୟ ମଧ୍ୟ ଅନତିଦୂରରେ ଅବସ୍ଥିତ। ସେହି ଅଞ୍ଚଳରେ ଆଗରୁ ତିନି ଶହ କୁକି ପରିବାର ରହୁଥିବାବେଳେ ବର୍ତ୍ତମାନ ସେଠାରୁ ସମସ୍ତେ ପଳାୟନ କରିସାରିଛନ୍ତି। ସର୍ବାଧିକ ସୁରକ୍ଷିତ ଅଞ୍ଚଳରେ ଯଦି ନାଗରିକଟିଏ ନିଜକୁ ଅସୁରକ୍ଷିତ ମନେ କରୁଛି, ସେହି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ଥିବ ତାହା ସହଜେ ଅନୁମେୟ। ସହସ୍ରାଧିକ ଘର ଜାଳି ଦିଆଯାଇଥିବାବେଳେ ଲୋକେ ରିଲିଫ୍ ଶିବିରରେ ରହୁଛନ୍ତି। ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ସୁପାରିସ କରିବାକୁ ମଣିପୁର ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବାପରେ ଚାରିମାସ ତଳେ ଯେଉଁ ପ୍ରତିବାଦ ଆରମ୍ଭ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ୨୦୦ ଜଣଙ୍କ ଜୀବନ ନେଇସାରିଲାଣି ଏବଂ ହଜାରହଜାର ଲୋକ ଆହତ ହୋଇଛନ୍ତି। ଏବେ ମଧ୍ୟ ଏହି ଧାରା ବନ୍ଦ ହୋଇନାହିଁ। ସୀମାନ୍ତବର୍ତ୍ତୀ ଏହି ରାଜ୍ୟର ସ୍ଥିତି ଦେଶର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗୋଟିଏ ରାଜ୍ୟ ଦୀର୍ଘକାଳ ଧରି ହିଂସାଗ୍ରସ୍ତ ହୋଇଥିଲେ ହେଁ ପ୍ରଧାନମନ୍ତ୍ରୀ ସେଠାକୁ ଗସ୍ତ ନ କରିବା ନେଇ ଦେଶରେ ଚର୍ଚ୍ଚା ଏବେ ମଧ୍ୟ ଥମି ନଥିବାବେଳେ ନିକଟରେ ବିଶ୍ବର ବିଭିନ୍ନ ଦେଶରେ ବାସ କରୁଥିବା ମୈତେଇ ସମ୍ପ୍ରଦାୟର ସହସ୍ରାଧିକ ବ୍ୟକ୍ତି ମିଳିତଭାବେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବ୍ୟକ୍ତିଗତ ଭାବେ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସଂଗେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି। ସେମାନେ ପତ୍ରରେ ଲେଖିଛନ୍ତି ଯେ ହିଂସା ଦ୍ବାରା ରାଜ୍ୟର କୃଷକମାନେ କୃଷିକାର୍ଯ୍ୟ କରିବାରେ ବାଧା ଉପୁଜିଥିବାରୁ ସେଠାରେ ଅନାହାର ଭଳି ସ୍ଥିତି ଉପୁଜିପାରେ। ଏପରି ଆଶଙ୍କାକୁ ସଂପୂର୍ଣ୍ଣ ଅମୂଳକ କହି ଏଡ଼ାଇ ଦିଆଯାଇ ନପାରେ। କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ ଶାସନରେ ଥିବାସତ୍ତ୍ବେ ଏ ପର୍ଯ୍ୟନ୍ତ କାହିଁକି ମଣିପୁରରେ ଅରାଜକତା ଜାରି ରହିଛି, ସେ ନେଇ ପ୍ରଶ୍ନ ଉଠିବା ଅସ୍ବାଭାବିକ ନୁହେଁ। ସଂସଦ ଅଧିବେଶନ ଚାଲିଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ପ୍ରବଳ ପ୍ରତିବାଦ କରିଥିଲେ ମଧ୍ୟ ତାହା କୌଣସି ଫଳପ୍ରଦ ହୋଇଥିବା ଦେଖାଯାଉ ନାହିଁ। ଏବେ ମଣିପୁର ପାଇଁ ବିରୋଧୀଙ୍କ ସ୍ବର ମଧ୍ୟ ପୂର୍ବଭଳି ଶୁଭୁନାହିଁ। ଅପରପକ୍ଷେ, ଜି-୨୦ ପାଇଁ ବିଶ୍ବର ପ୍ରମୁଖ ନେତୃବୃନ୍ଦ ସଂପ୍ରତି ଭାରତ ଆସିଥିବାବେଳେ ସେମାନେ ମଣିପୁର ବିଷୟକ ଖବର ଉପରେ ଯେ ନଜର ରଖିନଥିବେ, ତାହା ନୁହେଁ। କହିବା ବାହୁଲ୍ୟ ଯେ ଦେଶର ଏହି ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସରକାର ପ୍ରଭାବଶାଳୀ ପଦକ୍ଷେପ ନେବା ଅତୀବ ଜରୁରୀ ହୋଇପଡ଼ିଛି।
Comments are closed.