ଘନଉଛି ଖାଦ୍ୟ ସଙ୍କଟ
ଚାଉଳ, ଗହମ ନିଅଣ୍ଟ ପାଇଁ କୋଟି କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା
ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱରେ ଖାଦ୍ୟ ସଙ୍କଟ ଘନେଇବାରେ ଲାଗିଛି। ୨୦୨୨ ଫେବୃଆରୀ ୨୪ ତାରିଖରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଖାଦ୍ୟ ସଙ୍କଟ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଶ୍ୱର ପ୍ରମୁଖ ଗହମ ଉତ୍ପାଦନ ଓ ରପ୍ତାନିକାରୀ ରାଷ୍ଟ୍ର ୟୁକ୍ରେନରୁ ମୁଖ୍ୟତଃ କୃଷ୍ଣସାଗର ଦେଇ ଅନେକ ରାଷ୍ଟ୍ରକୁ ଗହମ ରପ୍ତାନି କରାଯାଇଥାଏ; କିନ୍ତୁ ରୁଷିଆ ପକ୍ଷରୁ କୃଷ୍ଣସାଗରରେ ଯୁଦ୍ଧ ଜାହାଜ ମୁତୟନ ସହିତ ୟୁକ୍ରେନ ବନ୍ଦରଗୁଡିକରୁ ଜାହାଜ ଚଳାଚଳ ଓ ଗହମ ରପ୍ତାନିକୁ ଅନୁମତି ଦିଆନଯିବାରୁ ବିଶ୍ୱ ବଜାରରେ ଗହମର ଅଭାବ ଦେଖାଦେଲା। ତାହା ପୂର୍ବରୁ ଗହମ ଦର ବୃଦ୍ଧି ପାଇଥିବାବେଳେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ଅଧିକ ଖରାପ କରିଦେଲା। ଯଦ୍ଦ୍ୱାରା ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା ଏବଂ ଏସିଆ ମହାଦେଶର କେତେକ ରାଷ୍ଟ୍ରକୁ ରପ୍ତାନି ହେବାକୁ ଥିବା ପ୍ରାୟ ୨୦ ନିୟୁତ ଟନ୍ ଗହମ ୟୁକ୍ରେନରେ ଅଟକି ରହିଲା। ଏହା ଉକ୍ତ ଶସ୍ୟର ପୁନଃ ମୂଲ୍ୟବୃଦ୍ଧିକୁ ଉସୁକାଇଲା। ତଥ୍ୟ ଅନୁଯାୟୀ ବିଶ୍ୱବ୍ୟାପୀ ଯେତିକି ପରିମାଣରେ ଗହମ ଓ ବାର୍ଲି ରପ୍ତାନି କରାଯାଏ ସେଥିମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ରୁଷିଆ ଓ ୟୁକ୍ରେନ କରିଥାନ୍ତି। ତେଣୁ ୟୁକ୍ରେନରୁ ରପ୍ତାନି ବନ୍ଦ ହେବାଦ୍ୱାରା ଏହିସବୁ ରାଷ୍ଟ୍ରରେ ସୃଷ୍ଟ ପରିସ୍ଥିତି ସହଜରେ ଅନୁମେୟ। ଅବଶ୍ୟ ଦୀର୍ଘ ସପ୍ତାହ ଆଲୋଚନା ପରେ କିଛି ପରିମାଣ ଗହମ ରପ୍ତାନି ନିମନ୍ତେ ରୁଷିଆ ଅନୁମତି ଦେଇଥିଲା। ୟୁକ୍ରେନ ଗହମ ଉପରେ ନିର୍ଭର କରୁଥିବା ବିଶ୍ୱର ୪୦୦ ନିୟୁତରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ଦେଢବର୍ଷ ଧରି ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଚାଲିଥିବାରୁ ଇତିମଧ୍ୟରେ ୟୁକ୍ରେନର ଅନେକ ଶସ୍ୟାଗାର ନଷ୍ଟ ହୋଇଯାଇଛି ଏବଂ ତା’ଭିତରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗହମ ପୋଡି ପାଉଁଶ ହୋଇଯାଇଛି। ଅନ୍ୟପକ୍ଷରେ ଆମେରିକା ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡିକର କଟକଣା କାରଣରୁ ରୁଷିଆରୁ ମଧ୍ୟ ପୂର୍ଣ୍ଣ ମାତ୍ରାରେ ଗହମ ରପ୍ତାନି ସମ୍ଭବ ହେଉନାହିଁ। ତାହା ସହିତ ଚଳିତ ବର୍ଷ ୟୁକ୍ରେନରେ ଗହମ ଉତ୍ପାଦନ ଆଶାତୀତ ଭାବରେ ହ୍ରାସପାଇଛି। ଯୁଦ୍ଧ ଘନଘଟାରୁ ଜୀବନ ବଞ୍ଚାଇବାକୁ ଦେଶର ଲକ୍ଷ ଲକ୍ଷ ଲୋକ ଅନ୍ୟତ୍ର ପଳାଇ ଯାଇଥିବାବେଳେ ରୁଷିଆର ବାରମ୍ବାର କ୍ଷେପଣାସ୍ତ୍ର ଓ ରକେଟ ମାଡ ଭୟରେ ଚାଷ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ସମ୍ପ୍ରତି ଏଲ୍ ନିନୋ ଏବଂ ଜଳବାୟୁ ପରବର୍ତ୍ତନ ପ୍ରଭାବରେ ଭାରତ ସମେତ କେତେକ ଏସୀୟ ରାଷ୍ଟ୍ରରେ ଅନିୟମିତ ବୃଷ୍ଟିପାତ ଏବଂ ଚାଷ ପାଇଁ ଜଳାଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଏହି ସମସ୍ତ ରାଷ୍ଟ୍ରରେ ଚାଉଳ ଦର ଅସ୍ୱାଭାବିକ ଭାବରେ ବୃଦ୍ଧିପାଇଛି। ତଥ୍ୟ ଅନୁଯାୟୀ ୨୦୦୮ ପରେ ଚଳିତ ବର୍ଷ ଚାଉଳ ଦର ବୃଦ୍ଧି ସର୍ବାଧିକ ହୋଇଛି। ବିଶ୍ୱର ଅନ୍ୟତମ ଅଗ୍ରଣୀ ଚାଉଳ ଉତ୍ପାଦନ ଓ ରପ୍ତାନିକାରୀ ରାଷ୍ଟ୍ର ଥାଇଲାଣ୍ଡରେ ମାତ୍ରାଧିକ ଦର ବୃଦ୍ଧି କାରଣରୁ ତାହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡ଼ିଛି। ଏଥିସହିତ ପ୍ରମୁଖ ଚାଉଳ ରପ୍ତାନିକାରୀ ରାଷ୍ଟ୍ର ଭାରତ ନିଜ ଦେଶରେ ଖାଉଟିଙ୍କୁ ଆବଶ୍ୟକ ମୁତାବକ ଚାଉଳ ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହି ଖାଦ୍ୟ ଶସ୍ୟ ରପ୍ତାନି ଉପରେ କଟକଣା ଜାରି କରିଛି। ଏହା ବିଶ୍ୱରେ ଚାଉଳକୁ ମୁଖ୍ୟ ଖାଦ୍ୟାନ୍ନ ଭାବରେ ବ୍ୟବହାର ରାଷ୍ଟ୍ରଗୁଡିକ ପାଇଁ ଚିନ୍ତାର କାରଣ ପାଲଟିବା ସହିତ ସେଠାରେ ଖାଦ୍ୟ ସଙ୍କଟ ସୃଷ୍ଟ କରିବା ଭଳି ପରିସ୍ଥିତି ଉପୁଜିଛି। କେବଳ ସେତିକି ନୁହେଁ; ପ୍ରକାରାନ୍ତରେ ଏହାର ପ୍ରଭାବ ନିକଟ ଭବିଷ୍ୟତରେ ମୁଦ୍ରାସ୍ଫୀତି ଉପରେ ମଧ୍ୟ ଦେଖିବାକୁ ମିଳିବ। ଜଣାଯାଇଛି ଯେ ସାରା ବିଶ୍ୱରେ ଯେତିକି ପରିମାଣରେ ଚାଉଳ ବ୍ୟବସାୟ ହୋଇଥାଏ ସେଥିରେ ଭାରତର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଛି। ତାହା ସହିତ ଚୀନ ପରେ ଏହା ଦ୍ୱିତୀୟ ସର୍ବାଧିକ ପରିମାଣର ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ଭାବରେ ପରିଚିତ; କିନ୍ତୁ ଚଳିତ ବର୍ଷ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ଅନିୟମିତ ବର୍ଷା କାରଣରୁ ଧାନ ଚାଷକୁ ନେଇ ଆଶଙ୍କା ଲାଗି ରହିଛି। ତାହାସହିତ ଚୀନ ଓ ପାକିସ୍ତାନରେ ପାଣିପାଗରେ ଅନିୟମିତତା, ବନ୍ୟା ବିଭୀଷିକା ଭଳି ପରିସ୍ଥିତି ଘଟିବାରେ ଲାଗିଛି। କେବଳ ଏସିଆ ନୁହେଁ; ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏହି କାରଣରୁ ବିଶ୍ୱରେ ଚାଉଳ ଉତ୍ପାଦନ ୨୦ ବର୍ଷ ମଧ୍ୟରେ ସର୍ବାଧିକ ହ୍ରାସପାଇବ ବୋଲି ଖାଦ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ୨୦୨୨-୨୩ ବର୍ଷରେ ବିଶ୍ୱରେ ପ୍ରାୟ ୮.୭ ନିୟୁତ ଟନ୍ ଚାଉଳ ଅଭାବ ପରିସ୍ଥିତି ଦେଖାଦେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ପାଖାପାଖି ୩୫୦ କୋଟି ଲୋକ ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେବେ। ଏହା କୋଟି କୋଟି ପରିବାର ଏବଂ ସାମଗ୍ରିକ ଭାବରେ ସେମାନେ ବାସ କରୁଥିବା ରାଷ୍ଟ୍ରସମୂହର ଅର୍ଥନୀତି ସହିତ ଉକ୍ତ ରାଷ୍ଟ୍ରଗୁଡିକ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ନକାରାତ୍ମକ ଭାବେ ପ୍ରଭାବିତ କରିବା ନିଶ୍ଚିତ ମନେହେଉଛି।
Comments are closed.