ବିନାଶ ଅଭିମୁଖେ ୟୁକ୍ରେନ

ରୁଷ୍‌-ୟୁକ୍ରେନ ଯୁଦ୍ଧ ଯେତେ ଲମ୍ବି ଚାଲିଥିବ ବିଶ୍ବରେ ଅସ୍ଥିରତା ସେତେ ବୃଦ୍ଧି ପାଉଥିବ

ନିଜର ଜିଦ୍‌‌ଖୋର ମନୋଭାବ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍‌‌ ଜେଲେନ୍‌‌ସ୍କି ତାଙ୍କ ଦେଶକୁ ବାରୁଦ ଗଦାରେ ଛିଡା କରିଦେଇଛନ୍ତି। ୨୦୨୨ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ରୁଷିଆ ଆରମ୍ଭ କରିଥିବା ଆକ୍ରମଣ ଏବେ ସୁଦ୍ଧା ଚାଲିଛି। ୟୁକ୍ରେନର ସହର ପରେ ସହର, ଗ୍ରାମାଞ୍ଚଳ, ଶିଳ୍ପସଂସ୍ଥା ଧ୍ୱଂସସ୍ତୂପରେ ପରିଣତ ହୋଇସାରିଲାଣି। ଦେଶର ଲକ୍ଷାଧିକ ଲୋକ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ଚାଲିଯାଇଛନ୍ତି। କହିବାକୁ ଗଲେ ଏହି ଯୁଦ୍ଧ ଆରମ୍ଭରୁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ସୀମିତ ହୋଇ ରହିନାହିଁ, ଏହା ରୁଷିଆ ଏବଂ ନାଟୋର ସଦସ୍ୟ ରାଷ୍ଟ୍ର ତଥା ୟୁରୋପୀୟ ରାଷ୍ଟ୍ରସମୂହ ମଧ୍ୟରେ ଚାଲିଛି। ଉକ୍ତ ରାଷ୍ଟ୍ରଗୁଡିକ ପ୍ରତ୍ୟକ୍ଷ ଭାବରେ ରୁଷିଆ ସହିତ ଲଢେଇ କରୁନଥିଲେ ମଧ୍ୟ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି। ପ୍ରାୟ ପ୍ରତିଦିନ ଜେଲେନ୍‌‌ସ୍କି ଏଥିପାଇଁ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ନିକଟରେ ହାତ ପାତୁଛନ୍ତି; କିନ୍ତୁ ଏବେ ସେହି ରାଷ୍ଟ୍ରଗୁଡିକ ମଧ୍ୟ ୟୁକ୍ରେନକୁ ଅଧିକ କାଳ ଅସ୍ତ୍ରଶସ୍ତ୍ର ଯୋଗାଇବା ଉପରେ ଦ୍ୱିଚିନ୍ତା କରୁଛନ୍ତି। କାରଣ ସେମାନଙ୍କର ଅସ୍ତ୍ର ଭଣ୍ଡାର ଶେଷହେବାରେ ଲାଗିଛି। ଇତିମଧ୍ୟରେ ଫିନଲାଣ୍ଡ ନାଟୋର ସଦସ୍ୟ ହୋଇସାରିଥିବାବେଳେ ସ୍ୱିଡେନ୍‌‌କୁ ଖୁବ୍‌‌ଶୀଘ୍ର ସଦସ୍ୟତା ମିଳିବା ଆଶା ଉଜ୍ଜ୍ୱଳ ହୋଇଛି। ୟୁକ୍ରେନ ମଧ୍ୟ ସଦସ୍ୟତା ପାଇଁ ଗୁହାରି କରିବାରେ ଲାଗିଛି। ସ୍ୱିଡେନ୍‌‌ର ନାଟୋ ସଦସ୍ୟତା ପଦକୁ ତୁର୍କୀ ବିରୋଧ କରୁଥିବାବେଳେ ଏବେ ନିଜ ମନ ପରିବର୍ତ୍ତନ କରିଛି। ଆଙ୍କାରାରେ କୁର୍ଦ୍ଦ ଗୋଷ୍ଠୀଙ୍କୁ ସ୍ୱିଡେନ୍‌‌ର ସମର୍ଥକୁ ନେଇ ତୁର୍କୀ ରାଷ୍ଟ୍ରପତି ତୟିପ ଏର୍ଦୋଗାନ୍‌‌ ସ୍ୱିଡେନ୍‌‌ର ନାଟୋ ସଦସ୍ୟତାକୁ ବିରୋଧ କରିଆସୁଥିଲେ। ୧୯୫୨ରୁ ନାଟୋ ସଦସ୍ୟ ରହିଥିବା ତୁର୍କୀ ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ ଉକ୍ତ ଗୋଷ୍ଠୀ ଆତଙ୍କବାଦୀ ଏବଂ ତୁର୍କୀ ସରକାରଙ୍କ ସହିତ ତାଙ୍କର ବରାବର ଲଢେଇ ଚାଲୁଛି। ସ୍ୱିଡେନ୍‌‌ ଏ ବାବଦରେ ଏର୍ଦୋଗାନ୍‌‌ଙ୍କୁ ବାରମ୍ବାର ଭରସା ଦେଇଆସୁଥିଲେ ମଧ୍ୟ ସେଥିରେ ଏର୍ଦୋଗାନ୍‌‌ଙ୍କ ମନ ବୁଝୁନଥିଲା। ଏବେ କିନ୍ତୁ ସେ ସ୍ୱିଡେନ୍‌‌ର ଆବେଦନକୁ ସମର୍ଥନ ଜଣାଇଛନ୍ତି। ଅବଶ୍ୟ ଏହା ପଛରେ ଏର୍ଦୋଗାନ୍‌‌ଙ୍କର ଏକ ଭିତିରି ଉଦ୍ଦେଶ୍ୟ ରହିଥିବା କୁହାଯାଉଛି। ତାହା ହେଉଛି ତୁର୍କୀ ନାଟୋରେ ନିଜର ଉପସ୍ଥିତିକୁ ବ୍ୟବହାର କରି ଆମେରିକା ଏବଂ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡିକ ନିକଟରୁ ଫାଇଦା ହାସଲ କରିବା ସହିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଏହା ସୂଚାଇ ଦେବାକୁ ଚାହୁଁଛି ଯେ ଏହା ମଧ୍ୟ ସେମାନଙ୍କର ଏକ ଅଂଶୀଦାର ରାଷ୍ଟ୍ର, ଯାହାର ଦାବିଗୁଡିକୁ ଗୁରୁତ୍ୱର ସହିତ ବିଚାର କରାଯିବା ଦରକାର। ଏପରି କି ତୁର୍କୀ ସେନା ପାଇଁ ଏଫ ୧୬ ବିମାନ ଯୋଗାଇଦେବାକୁ ଏର୍ଦୋଗାନ୍‌‌ ଆମେରିକା ସହିତ ମୂଲଚାଲ କରିଥିବା କୁହାଯାଉଛି। ଏଠି କହିରଖିବା ଉଚିତ୍‌‌ ହେବ ଯେ, ରୁଷିଆ ସହିତ ତୁର୍କୀର ମଧ୍ୟ ଉତ୍ତମ ସମ୍ପର୍କ ରହିଛି; କିନ୍ତୁ ସ୍ୱିଡେନ୍‌‌ର ନାଟୋ ସଦସ୍ୟତାକୁ ସମର୍ଥନ କରି ତୁର୍କୀ ନିଜର ଅନ୍ୟତମ ମିତ୍ର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍‌‌ଙ୍କ ପିଠିରେ ଛୁରି ମାରିଛନ୍ତି। ଦୁଇଦିନ ତଳେ ଲିଥୁଆନିଆର ଭିଲନିୟସ୍‌‌ଠାରେ ନାଟୋର ଏକ ବୈଠକ ବସିଥିଲା। ସେଥିରେ ନାଟୋ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ଯୋଗଦେଇ ସେମାନଙ୍କର ପ୍ରତିରକ୍ଷା ଯୋଜନାକୁ ଅନୁମୋଦନ କରିଥିଲେ। ତେବେ ସ୍ୱିଡେନ୍‌‌ ନାଟୋ ସଦସ୍ୟ ହେବା ପ୍ରସଙ୍ଗକୁ ରୁଷିଆ ଦୃଢ ବିରୋଧ କରୁଛି। ତାହା ସହିତ ୟୁକ୍ରେନ୍‌‌ର ସଦସ୍ୟତାକୁ ମଧ୍ୟ ରୁଷିଆ ସହିତ ଚରମ ଶତ୍ରୁତା ଭାବରେ ବିବେଚନା କରୁଛି। ସ୍ୱିଡେନ୍‌‌ ନାଟୋ ସଦସ୍ୟ ହେଲେ ନାଟୋ ଗୋଷ୍ଠୀର ପରିସର ବୃଦ୍ଧିପାଇବ ଏବଂ ତାହା ରୁଷିଆ ଭୂଖଣ୍ଡ ପ୍ରତି ବିପଦର କାରଣ ହେବ। ଅନ୍ୟପକ୍ଷରେ ୟୁକ୍ରେନ୍‌‌କୁ କେବେ ନାଟୋ ସଦସ୍ୟତା ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ନାଟୋ ପକ୍ଷରୁ କୁହାଯାଇଛି, ଜେଲେନ୍‌‌ସ୍କି ସର୍ତ୍ତ ପୂରଣ କଲେ ତାଙ୍କ ଦେଶକୁ ନାଟୋ ସଦସ୍ୟତା ମିଳିବ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ନାଟୋର ଏଭଳି ନିଷ୍ପତ୍ତି ରୁଷିଆକୁ ତାହାର ଆକ୍ରମଣ ଜାରି ରଖିବାକୁ ପ୍ରେରିତ କରୁଥିବା ଜେଲେନ୍‌‌ସ୍କି ଅଭିଯୋଗ କରିଛନ୍ତି। ଅବଶ୍ୟ ଏ କଥା ସତ ଯେ, ଭିଲ୍‌‌ନିୟସରେ ନାଟୋର ଦୁଇ ଦିନିଆ ବୈଠକ ପରେ ୟୁକ୍ରେନ୍‌‌ର ଭବିଷ୍ୟତ ପ୍ରତି ନାଟୋ ଯତ୍ନବାନ୍‌‌ ବୋଲି କୁହାଯାଇଛି; କିନ୍ତୁ ସେଥିପାଇଁ ସମୟ ଦିଆଯାଇନି। ଅନ୍ୟପକ୍ଷରେ ମଙ୍ଗଳବାର ୟୁକ୍ରେନ୍‌‌ ରାଜଧାନୀ କିଭ୍‌‌ ଉପରେ ରୁଷିଆ ପକ୍ଷରୁ ବଡଧରଣର ଆକ୍ରମଣ କରାଯାଇଛି, ଯାହା ଚଳିତ ମାସରେ ଦ୍ୱିତୀୟ ଥର ହୋଇଛି। ଗତ ସପ୍ତାହକ ମଧ୍ୟରେ ରୁଷିଆ ପକ୍ଷରୁ ୟୁକ୍ରେନ୍‌‌ ଉପରେ ୩୩୪ ଥର ଆକାଶୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି। ସେ ଦେଶର ରାଜଧାନୀ କିଭ୍‌‌ ସହିତ ଓଡ଼େଶା ଓ ଖେର୍‌‌ସନ ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ ଜାରି ରହିଛି। ଏପରିକି ଲିଥୁଆନିଆରେ ନାଟୋ ବୈଠକ ଚାଲିଥିବାବେଳେ ମଧ୍ୟ ୟୁକ୍ରେନ୍‌‌ ଉପରେ ରୁଷିଆ ପକ୍ଷରୁ ଆକ୍ରମଣ ଜାରି ରହିଥିଲା। ଚାଲିଥିବା ଯୁଦ୍ଧରେ ୟୁକ୍ରେନ ବସ୍ତୁତଃ ଧ୍ୱଂସସ୍ତୂପରେ ପରିଣତ ହୋଇଥିବାବେଳେ ରୁଷିଆ ଉପରେ ମଧ୍ୟ ସମାନୁପାତିକ ପ୍ରଭାବ ପଡୁଛି। ସେହି କାରଣରୁ ଇତିମଧ୍ୟରେ କେତେଥର ରୁଷିଆ ରାଷ୍ଟ୍ରପତି ପୁତିନ୍‌‌ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ପରମାଣୁ ଆକ୍ରମଣ ଧମକ ମଧ୍ୟ ଦେଇସାରିଲେଣି। ଏପରିକି ଆମେରିକା ଏବଂ ରୁଷିଆ କିଛି ସ୍ଥାନରେ ପରମାଣୁ ଯୁଦ୍ଧାସ୍ତ୍ର ମୁତୟନ କରିସାରିଥିବା ସାମରିକ ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି। କିଛି ସାମରିକ ବିଶ୍ଳେଷକଙ୍କ ଆକଳନ ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଯେତେ ଦୀର୍ଘ ହେବ, ବିଶ୍ୱରେ ପରମାଣୁ ଯୁଦ୍ଧ ଭୟ ସେତେ ଅଧିକ ଘନୀଭୂତ ହେବାରେ ଲାଗିବ। ବିଶ୍ୱର ଅନ୍ୟତମ ବିସ୍ତାରବାଦୀ ମନୋଭାବ ସମ୍ପନ୍ନ ରାଷ୍ଟ୍ର ଚୀନ୍‌‌ ଅନୁରୂପ ଭାବରେ ବାରମ୍ବାର ତାଇୱାନ୍‌‌କୁ ଧମକାଇବାରେ ଲାଗିଛି। ଏହା ଯେ କୌଣସି ସମୟରେ ତାଇୱାନ୍‌‌ ଉପରେ ଆକ୍ରମଣ କରିଦେଇପାରେ। ଆଜରବୈଜାନ-ଆର୍ମେନିଆ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ବିବାଦ ଲାଗିରହିଛି। ଉତ୍ତର କୋରିଆର ଏକଛତ୍ର ଶାସକ କିମ୍‌‌ ଜଙ୍ଗ୍‌‌ ଉନ୍‌‌ ମଝିରେ ମଝିରେ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ପରୀକ୍ଷା କରି ବିଶ୍ୱବାସୀଙ୍କୁ ଆତଙ୍କିତ କରିଦେଉଛନ୍ତି। କିଛି ଜିଦ୍‌‌ଖୋର ଏବଂ ଅସ୍ତ୍ରଶସ୍ତ୍ରରେ ବଳୀୟାନ୍‌‌ ରାଷ୍ଟ୍ର ସାରା ବିଶ୍ୱ ପାଇଁ ଯେଉଁଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛନ୍ତି, ତାହା ଯେ ସେମାନଙ୍କ ପାଇଁ ମଧ୍ୟ କାଳ ହେବ, ତାହା ସେମାନେ ବିଚାରୁ ନାହାନ୍ତି। ସେମାନେ ନିଜେ ନହେଜିଲେ କିଏ ସେମାନଙ୍କୁ ଏହା ବୁଝାଇ ପାରିବ?

Comments are closed.