www.samajalive.in
Friday, December 12, 2025
15.1 C
Bhubaneswar

ଧବଳ ଟଗର ଜଳରେ ଜହର

ଶୁଭ୍ରତା, ପରିଷ୍କୃତି ଓ ପବିତ୍ରତା ଆଦି ସମୟକ୍ରମେ କାଳିମା, ଅପରିଷ୍କୃତି ଓ ଅପବିତ୍ରତା ପ୍ରାପ୍ତି ହୁଅନ୍ତି। ସରଗରୁ ଖସୁଥିବା ବର୍ଷାଜଳ ତ ବେଶ୍‌ ପରିଚ୍ଛନ୍ନ, ପବିତ୍ର। ମାତ୍ର ମହୀରେ ପଡ଼ିବା ପରେ ପବିତ୍ରତାର ଏ ମୌଳିକତା ତା’ର ନଷ୍ଟ ହୋଇଯାଏ। କବି ତ ତୁଳସୀ ସ୍ତବକରେ ଲେଖିଲେ, ‘ଆବିଳ ନବଜଳ ପରଶେ ମହି, ମାୟାରେ ଜୀବ ଯଥା ଜଡ଼ି ହୁଅଇ।’ ପବିତ୍ରତା, ଅଧ୍ୟାତ୍ମ ସାଧନର ପ୍ରତୀକ, ସଭିଙ୍କ ପୂଜ୍ୟ ଗଙ୍ଗାମାତା ବି ଅପରିଷ୍କୃତି ଧଇଲେଣି। ଚଳଚ୍ଚିତ୍ରରେ ବି ଗୀତ ଭିନ୍ନାର୍ଥବୋଧରେ ବୋଲାଗଲାଣି, ‘ରାମ ତେରୀ ଗଙ୍ଗା ମୈଲି ହୋ ଗୟୀ, ପାପିୟୋକି ପାପ ଧୋତେ ଧୋତେ।’ ସେମିତି ବି ସଂସ୍କୃତ ମହାକବି ଲେଖିଛନ୍ତି, ‘ଯଥା ମଳାକ୍ତା ପରିଶୋଧ୍ୟ କେଶାନ୍‌ ନପେକ୍ଷତେ କଙ୍କତିକା ଶଳାକାମ୍‌, ପାପାତ୍ମସଙ୍ଗୋଦ୍ଭବ ପାପହତୈ, ତୀର୍ଥାନ୍ୟୁସନ୍ତି ଘ୍ରଂିରଜ ତଥାସ୍ତେ।’ ଅର୍ଥାତ୍‌ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ପାନିଆ ମଳି ଧରିଗଲେ, ତାକୁ ସଫା କରିବାକୁ ଖଡ଼ିକା ଲୋଡ଼ା ପଡ଼ିଲା ପରି, ପାପୀମାନଙ୍କ ପାପ ଧୋଇ ଧୋଇ ମଳି ହୋଇଯାଇଥିବା ତୀର୍ଥମାନେ ବି ତମର (ଦେବର୍ଷି ନାରଦଙ୍କ) ପାଦସ୍ପର୍ଶକୁ ଅପେକ୍ଷା କରିଥାନ୍ତି। ତେବେ ପବିତ୍ରତା, ପରିଚ୍ଛନ୍ନତାର ଚିର ସ୍ଥିତି ନେଇ କେହି ଅହଂ ବିଜଡ଼ିତ ହେବା ଠିକ୍‌ ନୁହେଁ। ଏକୁ ମଳି ଧରିବ ହିଁ ଧରିବ। ମାତ୍ର ଏ ସବୁକୁ ମଳିରୁ ଉଦ୍ଧାରିବା ଓ ପବିତ୍ରତାକୁ ଚିର ବାହେଲ ରଖିବା ହିଁ ‘ବୁଦ୍ଧି’ ବା ‘ଧୀ’। ନିମ୍ନକୁ ଉଚ୍ଚ କରିବା, ଅପବିତ୍ରକୁ ପବିତ୍ର କରିବା ପାଇଁ ‘ସ୍ପର୍ଶମଣି’ ସୃଷ୍ଟି ହୋଇଛି। ଆଜିର ବିଜ୍ଞାନ ଯୁଗରେ ନାନା ରାସାୟନିକ ମିଶ୍ରଣ କରାଯାଇଛି। ଫିନାଇଲ, ଗନ୍ଧକର୍ପୂର ଆଦି ବିଶୋଧକ ତ ମଣିଷ ସୃଷ୍ଟ। ‘ଛୁଇଁଲେ ପରଶମଣି, ଲୁହା ହୋଇଯାଏ ସୁନା ସେ କ୍ଷଣି, ମୋ ବାଇଧନ ଲୁହା ହୁଏ କି ସେ ପୁଣି?’ ମନ୍ଦକୁ ଭଲ, ଅସୁନ୍ଦରକୁ ସୁନ୍ଦର କରିବାର ପ୍ରୟାସ ଓ ଉଦାହରଣ ତ ଆମ ସଂସ୍କାର, ସଂସ୍କୃତିର ମୂଳାଧାର। କୁବ୍‌ଜା ଢେର ଅସୁନ୍ଦରୀ, ତାଙ୍କ ପିଠିର ଏକ କୁଜ ତାଙ୍କୁ ନୁଆଁଇ ଦେଇ ବିକୃତ କରି ଦେଇଥାଏ। ବଡ଼ ଗୁଣର ଓ ଭକ୍ତିମତି ସେ। ଲାଜ ଲାଗେ ତାଙ୍କୁ ବାହାରକୁ ଯିବାକୁ। କୁରୂପ ପାଇଁ ଉପହସିତ ହେବାକୁ। ପ୍ରଭୁ ତ ଭାବଗ୍ରାହୀ, ସେ ତ ସୃଷ୍ଟି କରିଛନ୍ତି କୁବ୍‌ଜାଙ୍କୁ। ‘ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ।’ ଛୁଇଁଦେଲେ କୁବ୍‌ଜାଙ୍କୁ, କି ସୁନ୍ଦରୀ ସେ ହୋଇଗଲେ ମ !
ଏବେ କିନ୍ତୁ ବୌଦ୍ଧିକ ଓ ବିଷୟ ସ୍ତରରେ ସାରା ବିଶ୍ବ କଳୁଷିତ ହୋଇଗଲାଣି। ମଣିଷ ଏବେ ମଣିଷଖିଆ ବାଘ ବନିଗଲାଣି। ଈର୍ଷା, ରାଗ, ‌େଷ ଆଦି ଏବେ ଜୀବକୁ ଓ ଜୀବନକୁ ଜାଳୁଛି। ଇଏ ତ ମାନସିକତା କଥା। ଶାରୀରିକ ସ୍ତରରେ, ପରିବେଶ ସ୍ତରରେ ବି ଅପରିଚ୍ଛନ୍ନତା ଜୀବନକୁ ଦୁର୍ବିସହ କଲାଣି। ସରକାର ‘ସ୍ବଚ୍ଛ ଭାରତ’ ନାଁରେ ପରିଚ୍ଛନ୍ନତା ସପ୍ତାହ ପାଳନ କରି ଛାତ୍ର, ନାଗରିକ ସଭିଙ୍କୁ ପରିବେଶର ସ୍ବଚ୍ଛତା ପାଇଁ, ନିଜର ସ୍ବଚ୍ଛତା ପାଇଁ ସଚେତନ ଓ ପ୍ରୟାସୀ ହେବାର ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ଇଏ ପୂରା ସଫଳ ହେଉନି। ମାତ୍ର କାହିଁକି? ଗୁଡ଼େ ଜନ୍ମ-ମଳିଆ, ମନରେ, ଦେହରେ, ପ୍ରବୃତ୍ତିରେ। ‘ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କରେ ଲୋଟେ।’ ହାତୀ ଗାଧୁଆ ଦେଖିଲେ ହସ ଲାଗେ, ବିସ୍ମୟ ବି ଲାଗେ। ବେଶ୍‌ ଗାଧୁଆଟେ ପରେ ପରେ ସେ ତା’ ଥୋଡ଼ପାରେ ମାଟି, ଧୂଳି, ବାଲି ଟେକି ଦିହ ଉପରେ ବିଞ୍ଚେ, ଢାଳେ। ପୁଣି ଯୋଉ ମଳି କି ସେଇ ମଳି। ଏବେ ହଜାର ବର୍ଷର କଟକ ସହର କଥା ଦେଖିବା। ‘ଗାଁ ପରିମଳ ଧୋବା ତୁଠରୁ’ ପରି କଟକ ସହର ଏ ରାଜ୍ୟର ଏକ ସମ୍ଭ୍ରାନ୍ତ ସହର। ଓଡ଼ିଶା ସଂସ୍କୃତି, ସଂସ୍କାରର ମୁଖଶାଳା ଜାଣ। ମାତ୍ର ଇଆର ଗଳିକନ୍ଦି ରାସ୍ତାଘାଟ ଅବସ୍ଥା କ’ଣ ହେଇଛି! ମହାନଦୀର ତ୍ରିକୋଣ ଭୂଇଁରେ ପ୍ରତିଷ୍ଠିତ ଏ ସମ୍ଭ୍ରାନ୍ତ ନଗରର ପରିଚ୍ଛନ୍ନତା ପ୍ରତି ଏହାର ମାଲିକ, ନେତା ଓ ଅମଲାଗଣ କେତେ ଓ କେମିତି ସଚେତନ ତା’ ଜଣାପଡ଼ିଯାଏ। ଏଠି ତ ସାଇବସ୍ତି ରାସ୍ତା ଦି’କଡ଼ ନାଳ ବା ନୟନଯୋରି ଅବସ୍ଥା ଭୟଙ୍କର, ଶୋଚନୀୟ। ଲୋକେ ଘର ମଡ଼ାଇ, ପାଚେରି ଗଢ଼ି ଏ ନାଳ ନର୍ଦମାକୁ ପୋତି ପକେଇଛନ୍ତି। ଟିକିଏ ବର୍ଷା ହେଲେ ଏଠି ଅଚଳାବସ୍ଥା, ବେଙ୍ଗ ମୂତିଲେ ଏଠି ବନ୍ୟା। ‘ଜାଇକା’ ନାଁରେ ରାସ୍ତାଘାଟ ସବୁ ସତେ ଯେମିତି କୋଷ୍ଠରୋଗାକ୍ରାନ୍ତ। ଏଠି ନଗରର ମଇଳା ଜଳ ନିଷ୍କାସନ ପାଇଁ ଦୁଇଟି ମୁଖ୍ୟନଳା, ଗୋଟିଏ ବିଦ୍ୟାଧରପୁର ଆଉ ଗୋଟିଏ ଖାନନଗରଠାରେ। ବିଦ୍ୟାଧରପୁରଠାରେ ବିଶୋଧନାଗାରରେ ମଇଳାଜଳ ବିଶୋଧିତ ହୋଇ ନଦୀକୁ ବୁହାଇ ଦିଆଯାଏ। ମାତ୍ର ଖାନନଗରରେ ମଇଳା ଜଳ ବିଶୋଧନ କରାଯାଏ ନାହିଁ। ଭୟଙ୍କର ମଇଳା ଜଳ ସିଧା ନଈରେ ଛାଡ଼ି ଦିଆଯାଉଛି। ଏହା ପାଣିରେ ମିଶିବା ଦ୍ବାରା ପାର୍ଶ୍ବବର୍ତ୍ତୀ ଜନତାଙ୍କ ଜୀବନ ବିପଦାପନ୍ନ ହେଉଛି। ଚର୍ମରୋଗ ସହ ଅନ୍ୟାନ୍ୟ ବହୁ ରୋଗରେ ଏମାନେ ଗୁରୁତର ଆକ୍ରାନ୍ତ ହେଉଛନ୍ତି। ଏପରି ଅବସ୍ଥାରେ ଜଳଜୀବ ମଧ୍ୟ ଏଥିରେ ବିପନ୍ନ ହେଉଛନ୍ତି। ଉଚ୍ଚ ନ୍ୟାୟାଳୟ ପ୍ରଦୂଷିତ ନାଳ ଜଳକୁ ବିଶୋଧନ କରି ନଈକୁ ଛାଡ଼ିବାକୁ ସ୍ପଷ୍ଟ ଓ କଡ଼ା ନିର୍ଦେଶ ଦେଇଥିଲେ ବି କାଇଁ କୁ ସାବଧାନତା, କାଇଁ କୁ ବିଶୋଧନ ବ୍ୟବସ୍ଥା? କଟକ ସହରର ଏ ହାତୀଦାନ୍ତିଆ ନେତା, ଅମଲା, କର୍ପୋରେସନ କର୍ମକର୍ତ୍ତା କ’ଣ ଜନତାଙ୍କ ଉପରେ ଗାଧୁଆ ପର ମଇଳା ଓଜଡାର ରୁଚି ଅନ୍ତର୍ଗତ ହେବା ଶିଖାଉଛନ୍ତି? ନିଜେ ଧୋବ ଫରଫର, ବାସନା ମହମହ ଏ ନେତା ଓ କର୍ତ୍ତାଙ୍କୁ ହାତଯୋଡ଼ି, ଏ ଐତିହ୍ୟ ସମ୍ପନ୍ନ ସହରକୁ ରକ୍ଷା କରିବାକୁ କହୁଛୁ। ‘ଶୁଭ୍ର-ସଉରଭ ରସିକେ, ଶୁଭ ସମ୍ପାଦିନୀ ହୁଅ ରଘୁ ବଂଶିକେ।’

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories