ଚେଇଁ ଶୋଇଥିବ ଯିଏ…..
ଏବେ ମଣିଷ ପ୍ରକୃତି ଠାରୁ ଢେର ଦୂରେଇ ଯାଇଛି। ବ୍ରାହ୍ମ ମୁହୂର୍ତ୍ତ ଓ ସକାଳ ସୂର୍ଯ୍ୟର କିରଣ ଆଜି ଫାଲତୁ କଥା।
ସ୍ରଷ୍ଟା ବା ପ୍ରକୃତିର ସୃଷ୍ଟି ଚକ୍ରରେ ‘ପ୍ରଦୂଷଣ’ର ଚିହ୍ନ ହିଁ ନଥିଲା। ଫସଲ ପୋକ ଖାଇଗଲେ ତ, ବିଭିନ୍ନ ପକ୍ଷୀ ଓ ଜୀବ ଫସଲରୁ ବାଛିବାଛି ପୋକ ତକ ଖାଇଯାଆନ୍ତି। ଯାହାକୁ ଇଂରାଜୀରେ ଇକୋଲୋଜିକାଲ ବାଲାନ୍ସ (ପ୍ରାକୃତିକ ସନ୍ତୁଳନ)ବୋଲି କୁହାଯାଏ। କିଏ ଅଯଥା ବଢ଼େ ତ ତାକୁ ଛିଡ଼ାଇବାକୁ ପ୍ରକୃତିର ବ୍ୟବସ୍ଥା ରହିଛି। ଗଙ୍ଗା ହିମାଳୟରୁ ବହିଛି। କେତେବର୍ଷ ତଳେ ଜଣେ ବୈଜ୍ଞାନିକ ଗଙ୍ଗାଜଳକୁ ପରୀକ୍ଷା କରି ଏହା ଜୀବାଣୁ ବା କୀଟାଣୁମୁକ୍ତ ବୋଲି ପ୍ରମାଣ କରିଥିଲେ। ଗଙ୍ଗା ପାଣି ତ ସମସ୍ତଙ୍କ ଘରେ ବୋତଲରେ ମାସ ମାସ ଧରି ମହଜୁଦ ଥାଏ। ପବିତ୍ରତା ପାଇଁ ଅପବିତ୍ରତା ବା ପ୍ରଦୂଷଣ ନାଶ ପାଇଁ ଏହା ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଏ। ବର୍ଷର ଏକ ସମୟରେ ଅଯଥା କୀଟ ବୃଦ୍ଧିକୁ ରୋକିଥାଏ, ଦୀପାବଳି ଦିନ ଦାନ ଓ ଅଗ୍ନି ଆଲୋକରେ ଯାହା ପିତୃପୁରୁଷଙ୍କୁ ବାଟ ଦେଖାଇବା ପାଇଁ ଉଦ୍ଦିଷ୍ଟ। ଏ ଉତ୍ସବର ବ୍ୟାପକ ଅଗ୍ନି ଅର୍ପଣ, ବହୁ ପୋକ କୀଟଙ୍କୁ ନାଶ କରିଥାଏ। ଛ’ଋତୁର ସମ୍ଭାର ଓ ବ୍ୟବସ୍ଥା ଘର ସଫା ପାଇଁ ଝାଡ଼ୁ ଲୋଡ଼ା ପରି, ପରିବେଶକୁ ଜୀବସୃଷ୍ଟି ଅନୁକୂଳ ପାଇଁ କାର୍ଯ୍ୟ କରିଥାଏ। ଏବେ ଏ ଛ’ଋତୁ କାଇଁ? ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରୁଥିବା ବୁଢ଼ୀମା ବା ଗୃହବଧୂ, ମୁହଁ ଧୋଇ ଘର ଦାଣ୍ଡରୁ ବାଡ଼ିଯାଏ ଗୋବର ପାଣି ଛିଞ୍ଚେ। ଗୋବର ତ ପଞ୍ଚ ଗବ୍ୟରୁ ଗୋଟିଏ। ଏବେ ଗୋବର ଛିଞ୍ଚା କାଇଁ? ଗାଈ ତ ନାହାନ୍ତି, ଗୋବର ଆସିବ କେଉଁଠୁ? ଘରେ ଘରେ ଏବେ ବାଘ ଭଳି ଲୋମମୟ ଛନଛନିଆ କୁକୁର ପୋଷା। ପୋଷା ନୁହଁତ ଖଟଉପରେ ବାବୁଆଣୀଙ୍କ ମନ୍ତେ ଶୁଅନ୍ତି ବି। ତାଙ୍କ ମଳ କୋଉ ଘର ଛିଞ୍ଚାରେ କାମ ଦେବ କହୁନା? ଏବେ ମଣିଷ ପ୍ରକୃତି ଠାରୁ ଢେର ଦୂରେଇ ଯାଇଛି। ବ୍ରାହ୍ମ ମୁହୂର୍ତ୍ତ ଓ ସକାଳ ସୂର୍ଯ୍ୟର କିରଣ ଆଜି ଫାଲତୁ କଥା। ସିଗ୍ରେଟ୍ ପିିଇ ରାତି ତିନିଟାଯାଏ ‘ନେଟ୍’ରୁ ପାଠ ପଢ଼ୁଥିବା ଯୁବକ ଦିନ ୧୧ଟାରେ ଉଠିଲେ, ସୂେର୍ଯ୍ୟାଦୟ, ବ୍ରାହ୍ମମୁହୂର୍ତ୍ତ କାହୁଁ ଅନୁଭବ କରିବ? ଅଶୁଖା ଘା’ ହେଲେ କି ଗୋଡ଼ହାତ ପୋଡ଼ିଗଲେ ମରା ନଡ଼ିଆତେଲରେ କର୍ପୂର ମିଶାଇ ଲଗାଇଲେ, ତା ୨/୩ ଦିନରେ ଆରୋଗ୍ୟ ହେବାକୁ ତମେ ଅନ୍ଧ କି ଗନ୍ଧ ବିଶ୍ବାସ କହିପାର। ଏକଥା ଶୁଣି ଜଣେ ୧୫/୨୦ ବର୍ଷର ଯୁବକ ପଚାରିଲା ନଡ଼ିଆ ତେଲ ତ ସେ ପୁଣି ମରା ନଡ଼ିଆତେଲ କ’ଣ? ପଣ୍ଡିତଙ୍କୁ ସହଜରେ ବୁଝାଇ ହେବ, ମୂର୍ଖକୁ ମଧ୍ୟ ଟିକିଏ ଶ୍ରମରେ ବୁଝାଇହେବ, ମାତ୍ର
ଅଧା ପାଠୁଆଙ୍କୁ ମୋଟେ ବୁଝାଇ ହେବନି। ‘‘ଜ୍ଞାନ କଣା ବିଦଗ୍ଧେନ ବ୍ରହ୍ମାରପି ନ ରଞ୍ଜୟନ୍ତି ’’। ଏବେ ସବ୍ଜାନତା ଯୁଗ। ‘ପ୍ରଦୂଷଣ ପ୍ରଦୂଷଣ’ ବୋଲି ଗୁଡ଼ାଏ ଚିଲଉଛନ୍ତି। ନିଜେ ବୁଝନ୍ତିନି ପ୍ରଦୂଷଣ କ’ଣ ଓ ତା’ର କାରଣ। ଆଉ ସଂସ୍କୃତରେ କୁହାଯାଉଥିବା, ‘କାୟିକଂ ବାଚିକଂଚ୍ୟବ ମାନସମ୍ ଯତ୍ ଦୁଷ୍କୃତଂ’, ଅର୍ଥାତ୍ ପବିତ୍ରତା ଓ ପ୍ରଦୂଷଣହୀନତା କେବଳ ଗ୍ରହଣୀୟ ହେବ ଯେତେବେଳେ ଜଣେ ‘କାୟ ମନ ବାକ୍ୟରେ’ ପବିତ୍ରତା ପ୍ରମାଣ କରିପାରିବ। ‘ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ ଢେର କଡ଼ୁଆ ସଂସ୍ଥା। ବଡ଼ବଡ଼ କାରଖାନାକୁ ବନ୍ଦ କରିଦେବେ, ବଡ଼ବଡ଼ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତାଙ୍କ ସିଦ୍ଧାନ୍ତ ଅନୁକୂଳ ନ ହେଲେ କଥା ସଇଲା। ଏ ଦେଶରେ ଶହଶହ କଳକାରଖାନା ପ୍ରତିଷ୍ଠିତ, ବହୁ ସଂସ୍ଥା ଦୂଷିତ ସାମଗ୍ରୀ ଜଳାଦି ତ୍ୟାଗକରି ପ୍ରଦୂଷଣ କରୁଛନ୍ତି। ମାତ୍ର ‘ପ୍ରଦୂଷଣ ବୋର୍ଡ’ ହଁ କଲା ତ ପ୍ରଦୂଷଣ ୟେ କରୁନି। ଏ ବାଗ ଓ ସୂତ୍ର ଅବଶ୍ୟ ସମ୍ପୃକ୍ତ ସଭିଙ୍କୁ ଜଣା। ବେଶି ଖୋଳେଇ ହେଲେ ଆମେ ବି ପ୍ରଦୂଷିତ ଘୋଷିତ ହୋଇଯିବୁ।
ଗଛ ତ ତମ ବିଜ୍ଞାନ ସୃଷ୍ଟି କରିନି, ଗଛଲତାର ଉପକାରିତା ବର୍ଣ୍ଣନାର ପରିସର ଏଠାରେ ନାହିଁ। ମରୁଭୂମିବାସୀ ବୁଝିପାରିବ ଗଛ ହିଁ ଜୀବନ। ଗଛରୁ ଅମ୍ଳଜାନ ସୃଷ୍ଟି ହୁଏ। ଗଛ ଟାଙ୍ଗର ମାଟିକୁ ସରଳ କରେ, ଭୂତଳ ଜଳସ୍ତରକୁ ଉପରକୁ ଉଠାଏ। ମାତ୍ର ରାସ୍ତା ପ୍ରଶସ୍ତୀକରଣ ନଁାରେ ୫୦/୧୦୦ବର୍ଷର ଶହ ଶହ ପ୍ରକାଣ୍ଡ ଗଛସବୁକୁ ନିର୍ବିକାର ଭାବେ ରାସ୍ତା କଡ଼ରେ ଯୋଉ ଶୁଆଇ ଦିଆଯାଉଛି, ତା’ଫଳ ତ ଏ ଚଉଡ଼ା ରାସ୍ତା ଚାଲି ଜନତା ହେଜିବ, ଭୋଗିବ। ପ୍ରକାଣ୍ଡ ଗଛସବୁ ହାଣି ସେଠି ଦୋମହଲା ଉପରେ ସାଇବଙ୍କ କୁଣ୍ଡର ବାକ୍ସ ଗଛ କେତେ ଉପକାରୀ? ତେବେ ସାହେବମାନେ ତ ବେଶ୍ ସମଝଦାର। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ?
ଆରେ ବାବୁ, ଆହେ ସାରେ ଆଜ୍ଞା, ପଲିଥିନ ମୁଣା କଥା କହୁଚ, ଦୋକାନ ବଜାର ଚଢ଼ଉ କରି ବ୍ୟବହାରକାରୀଙ୍କୁ ଦଣ୍ଡଦେଇ ସଂସ୍ଥା କେତେ ଦାଢୁଆ ପ୍ରମାଣ କରୁଚ। କଳକାରଖାନା ଧୂଆଁ କ’ଣ ରାମା, ଦାମା, ଶାମା, ସୃଷ୍ଟି କରି ପରିବେଶ ପ୍ରଦୂଷିତ କରୁଛନ୍ତି? ପଲିଥିନ କ’ଣ କେଶୁଆ ଦୋକାନୀ ବାଡ଼ିରେ ଲେଉଟିଆ ଶାଗ ପରି ଫଳୁଛି ଯେ ସେ କାଟି ଆଣି ବ୍ୟବହାର କରୁଛି। ବୁଝି ହେଉନି, ଜରି (ପଲିଥିନ) ତିଆରି କରୁଥିବା ସଂସ୍ଥାକୁ ଏ ପ୍ରଦୂଷଣ ନିୟନ୍ତ୍ରିତ ମହାତ୍ମାମାନେ କାହିଁକି ରୋକ ଲଗାଉ ନାହାନ୍ତି! ପିଇବା ପାଣିବୋତଲ ଆଦି କୋଉଥିରେ ତିଆରି? ପ୍ରଦୂଷଣ ନିୟନ୍ତ୍ରଣ ସାରେ, ଶ୍ରୀଚକ୍ଷୁକୁ କ’ଣ ଦୃଷ୍ଟିଗୋଚର ହଉନି? ଅବଶ୍ୟ ଠାଏ ଠାଏ ଭାଲିଆ ଗୁଣ କରେ, ଠାଏ ଠାଏ ଭାଲିଆ ଖୁଣ କରେ। ଏ ନିୟନ୍ତ୍ରଣ ସଂସ୍ଥା ପ୍ଲାଷ୍ଟିକ ପାଣିବୋତଲ ପ୍ରଦୂଷିତ ନୁହଁ କି ନାଇଁ କହିବେ। ଆମ ଦେଶରେ ତଥିଲା, Cleanliness is next to godliness। ଆଶ୍ରମ ପୋଖରୀ ମଇଳା ଉପରେ ଟିପ୍ପଣୀ ଦେଇ କବି ଲେଖିଛନ୍ତି, – ‘ଦେଖ ମଳିନ ହୋଇ ଆଶ୍ରମ ସର ନ ବହେ ହୃଦେ ଛବି ତୀର ବନର, ମତିକୁ କଳୁଷିତ କଲେ ଯେସନେ ଅକ୍ଷମ ଜନେ ତା’ର ଗୁଣ ଗ୍ରହଣେ।’
ଏବେ ଆମ ଜଗତ-ସର କଳୁଷିତ ଓ ଜନତା ମତି କଳୁଷିତ ହେତୁ ଦିଶୁନି ବାଟ କୋଉଟା, ଅକ୍ଷମ ହେଉଛୁ ସତ୍ୟ ସିଦ୍ଧାନ୍ତ ଠିକେଇବାରେ। ହୋ ହଲ୍ଲାରୁ, ଆତଙ୍କ ସୃଷ୍ଟିରୁ କ’ଣ ମିଳିବ? ଗୋଦରୀ ଲୋ ତୋ ଗୋଡ଼କୁ ଚାହଁା। ଜୟ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥା, ଜୟ ହୋ ହଲ୍ଲା ଚାଲିଥାଉ ହୋ।
Comments are closed.