ବ୍ୟକ୍ତିତାନ୍ତ୍ରିକ ଗଣତନ୍ତ୍ର !
ପ୍ରକୃତରେ ଗଣତନ୍ତ୍ରର ଚାବିକାଠି ଭୋଟର ଯଦି ଶିକ୍ଷିତ ଓ ସଚେତନ ନ ହେବେ ,ତେବେ ଗଣତନ୍ତ୍ର ଏକ ଅନିଷ୍ଟକର ଭବିଷ୍ୟତ ପ୍ରାପ୍ତ ହେବ।
କ୍ଷେତ ଖିଆ ବାଡ଼ ଗୁଣ ଅସରା। ଇଏ ଖଜୁରିଗଛ ମୂଳରୁ ପାହାଚ ପାହାଚ। ଏବେ ପୃଥିବୀରେ ଗଣତନ୍ତ୍ର ଶାସନ ବେଶ୍ ଲୋକପ୍ରିୟ ହୋଇଛି। ଗଣତନ୍ତ୍ରର ଜନକ କୁହାଯାଉଥିବା ବିଲାତରେ କିନ୍ତୁ ରାଜାରାଣୀ ଶାସନ ଚଳେଇ ରଖାଯାଇଛି। ଏମିତି ଆରବ ଓ ଜାପାନ ଆଉ ବି ଦେଶ ଅଛି ସେମାନେ ଗଣତାନ୍ତ୍ରିକ ଶାସନ ଗ୍ରହଣ କରିଥିଲେ, ରାଷ୍ଟ୍ରମୁଖ୍ୟଙ୍କୁ ନିର୍ବାଚନ ଭିତରକୁ ନ ଆଣି ବଂଶାନୁଗତର ଅଧିକାର ଦିଆଯାଇଛି। ସବୁକଥା ବହୁମତରେ ସ୍ଥିର ହେବାରେ ବୋଧେ ଏ ଗଣତନ୍ତ୍ରର ବଡ଼ପଣ୍ଡା ମାନଙ୍କର ସମ୍ମତି ନାହିଁ। ରାମ ରାଜ୍ୟ କଥା ଲୋକ ଜାଣିଛନ୍ତି, ପ୍ରଥମ ବିଶ୍ବଯୁଦ୍ଧର ଖଳନାୟକ ଦ୍ବିତୀୟ (ନିକୋଲାସ)/ ଜାର୍ ଫରାସୀ ରାଜା ଷୋଡ଼ଶ ଲୁଇ, ଦ୍ବିତୀୟ ବିଶ୍ବଯୁଦ୍ଧର ହିଟଲର ମୁସୋଲିନ୍ଙ୍କ ଶାସନଗାଥା ତ ଇତିହାସରେ ଲିପିବଦ୍ଧ। ବିଲାତରେ କ୍ରମୱେଲ ଥରେ ରାଜତନ୍ତ୍ର ଭାଙ୍ଗି ମିଲିଟାରି ଶାସନ ପ୍ରତିଷ୍ଠା କରିଥିଲେ। ତାଙ୍କ ମୃତ୍ୟୁର ୧୨ବର୍ଷ ପରେ ଲୋକେ ତାଙ୍କ ଶାସନତନ୍ତ୍ରକୁ ଭାଙ୍ଗି ନଥିଲେ କେବଳ, କବରରୁ ଶବ ବାହାର କରି ଫାଶୀ ଦେଉଥିଲେ। କ୍ଷମତା ଦଖଲ ପାଇଁ ହଣାମରା ନାନା ବିପ୍ଳବରେ ପୃଥିବୀ ବହୁବାର ଲାଲ ହୋଇଯାଇଛି। ଏବେ ଗଣତନ୍ତ୍ର ଚାଲିଛି। ଇଏ କୁଆଡ଼େ ଲୋକଙ୍କ ସରକାର, ଶାସନ। ରଜାର ପୁଅ ରଜା ହେବାର ଏଠି ଆଉ ନାହିଁ। ରାମିଆ ଦାମିଆ ସାମିଆ ରାଜଗାଦିରେ ଅଧିଷ୍ଠାନ ହୋଇପାରିବେ। ହେଉଛନ୍ତି ବି। ମାତ୍ର ଗଣତନ୍ତ୍ରର ଇଏ କ’ଣ ସଫଳତା। କ୍ରମବିକାଶ ପଥରେ ଗଣତନ୍ତ୍ର ଯେ ଗୋଷ୍ଠୀତନ୍ତ୍ରରେ ପରିଣତ ହେବାକୁ ଯାଉଚି, ଏକଥା ଏକ ସୂକ୍ଷ୍ମ ଅନୁଧ୍ୟାନରୁ ଧରାପଡ଼ିଯିବ। ଗଣତନ୍ତ୍ର ବିଷୟରେ ଜଣେ ବିଶିଷ୍ଟ ରାଜନେତା କହିଥିଲେ, ‘Democracy without Education is Hypocrisy without Limitation.’ ପ୍ରକୃତରେ ଗଣତନ୍ତ୍ରର ଚାବିକାଠି ଭୋଟର ଯଦି ଶିକ୍ଷିତ ଓ ସଚେତନ ନହେବେ ତେବେ ଗଣତନ୍ତ୍ର ଏକ ଅନିଷ୍ଟକର ଭବିଷ୍ୟତ ପ୍ରାପ୍ତ ହେବ। ସବୁ ଭୋଟରଙ୍କର ଭୋଟ ସମାନ, ଧୁଆମୂଳା ଅଧୁଆମୂଳାକୁ ସମାନ କଲେ ଯା’ ହେବା କଥା ହେଉଛି ଓ ଗଣତନ୍ତ୍ରର ଇଏ ଗୋଟେ ଘୁଣ। ଓଡ଼ିଶାରେ ନବୀନ ବାବୁଙ୍କ ୨୩ ବର୍ଷର ଶାସନ, କଲିକତାରେ ମମତା ବାନାର୍ଜୀଙ୍କ କ୍ରମାଗତ ଦ୍ବିତୀୟବାର ଶାସନ ଓ ଆହୁରି ରାଜ୍ୟରେ ‘ବ୍ୟକ୍ତି’ ବିଶେଷଙ୍କ ପ୍ରଭାବରେ ଦଳ ଚାଲିଛି ଓ ଭୋଟେର ବି ଏଥିରେ ପ୍ରଭାବିତ।
ଏମିତି ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଦରିଦ୍ର ଲୋକଙ୍କଠାରୁ ଭୋଟ ଯେମିତି କିଣା ଯାଉଚି, ସେଥିରୁ ଅର୍ଥବଳ ଓ ବାହୁବଳ ଯେ ଏବର ଗଣତନ୍ତ୍ରର ମଙ୍ଗ ମୋଡ଼ିବାକୁ ବସିଛି, ଏ କଥା ବି ଏ ଲୋକେ ବୁଝୁନାହାନ୍ତି। କିଛିଦିନ ତଳେ ଅଭିଯୋଗ ହୋଇଥିଲା ଯେ ଦେଶର ପୁଞ୍ଜିପତିମାନେ ତାଙ୍କ କଳାଧନକୁ ଏ ନିର୍ବାଚନରେ ବୁଣିବିଛେଇ ନିଜ ଲୋକଙ୍କୁ, ଅନୁଗତଙ୍କୁ ପାର୍ଲାମେଣ୍ଟଙ୍କୁ ପଠାଉଛନ୍ତି। ଏକଥା ପ୍ରମାଣ କରିବା କଷ୍ଟ, ମାତ୍ର ଅନୁଭବକୁ କିଏ ତେଡ଼ି ଦେଇପାରିବ? ଏବେ କଂଗ୍ରେସର ରାହୁଲ ଗାନ୍ଧୀ, ଭାରତ ପ୍ରଧାନମନ୍ତ୍ରୀଙ୍କ ପୁଞ୍ଜିପତିଙ୍କ ସଙ୍ଗେ ସମ୍ପର୍କ ବିଷୟରେ ଚିଲଉଛନ୍ତି। ଏ ଅଭିଯୋଗ ସତ କି ମିଛ ସେ ତର୍କ ପାଇଁ ଏଠି ସ୍ଥାନ ନାହିଁ। ଏବେ ଏକଥା ଶୁଣି କୁହାଯାଇପାରିବ, ଚାଲୁଣୀର ଛୁଞ୍ଚିର କଣାକୁ ବାହୁନା କଥା। ତେବେ ଇଏ ତ ଗଣତନ୍ତ୍ର, ଯେ ଯାହା କହିପାରିଲା, କରିପାରିଲା। ନିଜ ଗୋଷ୍ଠୀ ସଂସଦରେ ବା ବିଧାନସଭାରେ ଦୃଢ଼ ଦଖଲ ପାଇଲେ ସମସ୍ୟା ଖତମ। ତା’ ପର କଥା, ‘ରାଜାର ନନ୍ଦିନୀ ପ୍ୟାରୀ ଜା କରେ ତା ଭାଲୋ’।
ଏବେ ଘଟଣା ଦେଖି ଜଣେ ଆଇଏଏସ ଜି. କ୍ରିଷ୍ଣୟା କଲେକ୍ଟରଙ୍କୁ ପିଟି ପିଟି ମାରି ଦେଇଥିବା ଜଣେ ଗୁଣ୍ଡାରୁ, ଅପରାଧୀରୁ ରାଜନେତା ବନିଥିବା ଗ୍ୟାଙ୍ଗ୍ଷ୍ଟାର ରାଜନେତା ଆନନ୍ଦ ମୋହନଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ବିସ୍ମୟର କଥା, ଯେ ଜିଅଲଖାନାରେ ଥାଇ ବି ନିର୍ବାଚନ ଜିତୁ ଥିଲେ। ଜିତିଗଲେ କଥା ସଇଲା, ‘ଜୋ ଜିତା ୱ ସିକନ୍ଦର’। ତେଣିକି ବତିପେଲାବାଲା, ଗୋଡ଼ାଣିଆଙ୍କ ଜିନ୍ଦାବାଦରେ ଗଗନ ଫାଟିବ, ଧରା ଦୁଲୁକିବ। ତାଙ୍କୁ ଜିଅଲରୁ ଆଜୀବନ କାରାଦଣ୍ଡରୁ ମୁକୁଳାଇବା ପାଇଁ ସେ ସରକାର ତାଙ୍କୁ ଖଲାସ କରିବାକୁ ସହାୟକ ହେବା ଆଇନର ବିଷୟ। ପୁରୁଣା ଆଇନକୁ ତମାଦି କରିଦେଲେ ସିଏ ଏବେ ଜିଅଲରୁ ଖଲାସ। ଇଏ ମୁଖ୍ୟମନ୍ତ୍ରୀଙ୍କର ଇତିହାସ, ନିନ୍ଦା ଅପନିନ୍ଦାକୁ ଖାତିର ନାହିଁ। ଷୋଡଶ ଲୁଇ କହିଲେ ‘I am the monarch and my words are law’. ଏ ଖଲାସ ବିରୋଧରେ ଅନ୍ୟଜଣେ ଆଇଏଏସ ଅନୁପମ କୁମାର ସୁମନ ଏବେ ଅଦାଲତକୁ ଯାଇଛନ୍ତି। ମୃତ କ୍ରିଷ୍ଣୟାଙ୍କ ପରିବାର ମଧ୍ୟ ଆତଙ୍କିତ ହୋଇ ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଫଳ କଅଣ ହେବ କେଜାଣି ?
ତେବେ ଗଣତନ୍ତ୍ର ଯେ ଗୋଷ୍ଠୀତନ୍ତ୍ରକୁ ମୋଡ଼ ଦେଉଛି ଓ ଗୋଷ୍ଠୀତନ୍ତ୍ର କ୍ରମବିକାଶ ପଥରେ ପୁଣି ଜଣେ ସମ୍ରାଟ ବନାଇବ, ସୃଷ୍ଟି କରିବ, ଏ ଆଶଙ୍କା ଅମୂଳକ ନୁହେଁ। ଇଂରେଜ ସରକାର(ଇଷ୍ଟ ଇଣ୍ଡିଅା କମ୍ପାନୀ) ଭାରତର ଖଣ୍ଡେ ଖଣ୍ଡେ ଅଞ୍ଚଳ ଦଖଲ କରି ଚାଲିଥାନ୍ତି। ମାନଚିତ୍ରରେ ବ୍ରିଟିଶ ଅଧିକୃତ ଏହି ଅଞ୍ଚଳ ସବୁ ନାଲି ଚିହ୍ନରେ ଚିହ୍ନିତ ହୋଇଥାଏ। ଦେହରେ ୮୦ଟା ଖଣ୍ଡା ହଣା ଦାଗ ଥିବା ଓ ବ୍ରିଟିଶଙ୍କୁ ବିରୋଧ କରୁଥିବା ମହାରାଜ ରଣଜିତ ସିଂ ମାନଚିତ୍ରର ଏ ନାଲି ଜାଗା ସବୁ ଦେଖି ଦୀର୍ଘଶ୍ବାସ ପକାଇ କହିଲେ, ‘ଇଏ ସବ ଲାଲ ହୋ ଯାଏଗା’। ସତରେ ଦିନେ ସବୁ ନାଲି ହୋଇ ଭାରତ ଇଂରେଜ ଶାସନାଧୀନ ହୋଇଗଲା।
ଏବେ ଗଣତନ୍ତ୍ରରେ ଚୋର,ଡକାୟତ, ଖୁନି ଓ ଅପରାଧୀଙ୍କୁ ଦଳ ଓ ଗୋଷ୍ଠୀ ସୃଷ୍ଟି ପାଇଁ ହାତେଇବା, ଆରେଇବାରେ ଉଦ୍ୟମ ସାରା ଦେଶରେ ଚାଲିଛି, ତାକୁ ଦେଖି କହିବାକୁ ହେଉଛି, ‘ଏ ଗଣତନ୍ତ୍ର ଏକ ଦିନ୍ ବ୍ୟକ୍ତିତନ୍ତ୍ର ବନଯାଏଗା’। ଗଣତନ୍ତ୍ରରେ ହାଇକମାଣ୍ଡିଆ ଚେର ଓ ଭାବ ବର୍ଣ୍ଣ ସଙ୍କରିଅ ଏକ ପ୍ରଭାବ।
Comments are closed.