ବାଃରେ ଶିକ୍ଷା ବ୍ୟବସ୍ଥା
ନିର୍ଜୀବ କମ୍ପ୍ୟୁଟର ମୁଣ୍ଡରେ ଦୋଷ ଢାଳି ସାରା ବିଭ୍ରାଟରୁ ଖସିବା ଏକ ବାହାନା। କେବେ ସୁଧୁରିବ ବ୍ୟବସ୍ଥା? କିଏ ନେବ ଉତ୍ତରଦାୟିତ୍ବ?
ଜୀବ ଓ ଜୀବତ୍ବ ମଧ୍ୟରେ ଖେଳ ଜମାଏ ‘ମୁଁ’। ‘ମୁଁ’ର ଅନ୍ୟ ନାଁ ହେଲା ଅହଂ, ଅହଂକାର। ଏ ଜଗତରେ ଜମାଣିଆ ଖେଳର ଖଳନାୟକ ହେଲା ‘ମୁଁ’। କବିବର ରାଧାନାଥ ତ ଲେଖିଲେ, ‘‘ମୁଁ ଭାବେ ଜଡ଼ିତ ଅମର ଚିତ୍କଣା ଦେଖାଉଛି ଭବେ ଅସଂଖ୍ୟ ପେଖନା’’। ପଣ୍ଡିତ ଚନ୍ଦ୍ରଶେଖର ଲେଖିଲେ, ‘‘ମୁଁ ଛାର କୀଟୁଁ ନିଉନ, ନର ତନୁ ଧରି ବିବେକ ହୀନ, ଦୀନବନ୍ଧୁ ହେ। ‘‘ମୁଁ’’ କାର ତମସେ ଲୀନ, ଦୀନବନ୍ଧୁ ହେ।’’ ଏଇ ‘ମୁଁ’ ହିଁ ଜୀବନକୁ ତା’ ସ୍ରଷ୍ଟା ଠୁ ସବୁବେଳେ ଦୂରେଇ ରଖେ, ଦୂରତ୍ବ ସୃଷ୍ଟି କରେ। ପ୍ରଭୁଙ୍କ କର୍ତ୍ତୃତ୍ବକୁ ପାସଙ୍ଗରେ ପକାଉ ନ ଥିବା ‘ମୁଁ’ କାର ଅଧୀନ ଜୀବ ନିଜକୁ ଢେର ବଡ଼ ମନେକରେ। ସେ କେତେବଡ଼, ତା’ର କାରଧାନୀ କେତେ, ଏକଥା ତାକୁ ‘ପରୀକ୍ଷା’ ହିଁ ଚେତେଇ ଥାଏ। ଅସହାୟ ଭାବେ ବିପଦରେ ପଡ଼ିଥିବାବେଳେ ଆଖି ଲୁହ ପାଟିକୁ ପିଆଇଲା ବେଳେ, ଆମେ କହୁ, ‘‘ହେ ପ୍ରଭୁ ତୁ ମତେ କେତେ ପରୀକ୍ଷା କରୁଛୁ!’’ ଆରେ ବାବୁ, ସେ ତ ଅନ୍ତର୍ଯ୍ୟାମୀ। ସେ କ’ଣ ତୋତେ ଓ ତୋର କାରଧାନୀ ଜାଣି ନାହାନ୍ତି? ତୋ ଫୁଲାପଣକୁ ତତେ ଦେଖେଇ ଦେବାକୁ, ତୁ କ’ଣ ତୋର ସଠିକ୍ ମାପ ଜଣେଇବାକୁ, ‘ପରୀକ୍ଷା’ ପରୀକ୍ଷାର୍ଥୀ ପାଇଁ ସୃଷ୍ଟି। ପରୀକ୍ଷାର୍ଥୀକୁ ଜାଣି ନ ଥିବା ପରୀକ୍ଷକ କୋଉ ପରୀକ୍ଷା କରିପାରିବ? ଆେଗ ଗୁରୁଗୃହରେ ଶିଷ୍ୟ ତା’ ପରୀକ୍ଷା ଦେଇ ଫେରୁଥିଲା। ଆରୁଣୀ, ଉପମନ୍ୟୁ, କୌଚ୍ଛ ପ୍ରଭୃତି ଗୁରୁଙ୍କୁ ତୋଷ କରିବାରେ ବଳିଗଲେ। ଗୁରୁଙ୍କ ଜମିରେ ପାଣି ବାନ୍ଧିବାକୁ ଯାଇଥିବା ଅାରୁଣୀ ଶତ ଚେଷ୍ଟା ପରେ ହିଡ଼ରେ ବନ୍ଧବାନ୍ଧି ପାଣି ନ ଅଟକାଇ ପାରି ଶେଷକୁ ନିଜେ ହିଡ଼ ମଝିରେ ଶୋଇପଡ଼ି ପାଣି ବାନ୍ଧି ଦେଲା। ରାତି ସାରା କଟିଗଲା। ରାତିରେ କୁଟୀରକୁ ବା ଆଶ୍ରମକୁ ଫେରି ନ ଥିବାରୁ ଗୁରୁ ଅନ୍ୟ ଶିଷ୍ୟମାନଙ୍କ ସହ ଅଧ ରାତିରେ ‘‘ଆରୁଣୀ ଆରୁଣୀ’’ ଡାକ ଛାଡ଼ି ଖୋଜିଲେ। ପାଣି ଅଟକାଇ ବନ୍ଧରେ ଶୋଇଥିବା ଆରୁଣୀ, ଉଠି ପଡ଼ିଲେ ବନ୍ଧ ଭାଙ୍ଗିଯିବ, ପାଣି ମାଡ଼ିଯିବ। ସେଇଠୁ ବଡ଼ ପାଟିରେ କହିଲା, ‘‘ଆଜ୍ଞା ମୁଁ ଏଇ ବିଲ ହିଡ଼ରେ’’। ସ୍ତମ୍ଭୀଭୂତ ହୋଇଗଲେ ଗୁରୁ। ଆରୁଣୀଙ୍କ ପରୀକ୍ଷାରେ ଏଇଠି ଗୁରୁ ପରାସ୍ତ ହେଲେ। କଳି ପାରିଲେନି ଶିଷ୍ୟର ନିଷ୍ଠା ଓ ଗୁରୁପ୍ରାଣ କଥା। ସେମିତି ଏକଲବ୍ୟକୁ ଶିଷ୍ୟ ଭାବେ ଗ୍ରହଣ ନ କରି ନିରାଶ କରି, ନୀଚ ଜାତିର, ରଜାପୁଅଙ୍କ ସଙ୍ଗେ ପାଠ ପଢ଼ି ପାରିବନି କହି ଫେରାଇ ଦେଲେ। କାମୁଡ଼ା କୁକୁର ପାଟି ଶର ମାରି ବନ୍ଦ କରି ଦେଇଥିବା ଏକଲବ୍ୟର ଧନୁର୍ବିଦ୍ୟାରେ ଅସାଧାରଣ ପାରଦର୍ଶିତା ଦେଖି, ଅର୍ଜୁନକୁ ସେ ବଳି ଯାଇଥିବା ଧାରଣାରେ ତାକୁ ‘‘ତୋର ଗୁରୁ କିଏ’’ ବୋଲି ପଚାରିଲେ। ଏକଲବ୍ୟ ତାଙ୍କୁ ପାଣ୍ଡବମାନଙ୍କ ସହ ତା’ ଧନୁର୍ବିଦ୍ୟା ଅଭ୍ୟାସ ବଖରାକୁ ନେଇ ଏକ ହାତ ତିଆରି ମୂର୍ତ୍ତିକୁ ତାଙ୍କର ଗୁରୁ ବୋଲି କହିଲା। ଏ ମୂର୍ତ୍ତି ତ ତାଙ୍କର ସ୍ବୟଂ ବୋଲି ଜାଣି ସେ ଲଜ୍ଜିତ ଓ ବିସ୍ମିତ ହେଲେ। ତାଙ୍କ ଶିଷ୍ୟ ଅର୍ଜୁନକୁ ସେ ବଳି ନ ଯିବା ଏକ ପକ୍ଷପାତ ଭାବରେ ଦଂଶିତ ହୋଇ ତାଙ୍କୁ ‘ବୁଢ଼ା ଆଙ୍ଗୁଠି’ ମାଗିଲେ ଦକ୍ଷିଣା। ଗୁରୁପ୍ରାଣ ଏକଲବ୍ୟ ତା’ ବି କରି ଶିଷ୍ୟର ମହାନତା ପ୍ରମାଣ ଦେଇ ଗୁରୁଗିରିରେ ଦ୍ରୋଣାଚାର୍ଯ୍ୟଙ୍କ କଳାବୋଳା, କାଳ କାଳକୁ ରଖିଦେଲେ।
ସେତେବେଳେ ପରୀକ୍ଷା, ପରୀକ୍ଷାର୍ଥୀ ଓ ପରୀକ୍ଷକଙ୍କ ମଧ୍ୟରେ ଏକ ବୌଦ୍ଧିକ ଓ ଆଧ୍ୟାତ୍ମିକ ସମ୍ପର୍କ ଅଠାପରି ଯୋଡ଼ି ହୋଇଥିଲା। ସେଠି ଲାଞ୍ଚ ଖିଆ ପ୍ରଶ୍ନ କର୍ତ୍ତା ଓ ଦାୟିତ୍ବହୀନ ଭାବେ ଭ୍ରମାତ୍ମକ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ଛପାର ସୁଯୋଗ ହିଁ ନ ଥିଲା। ପରୀକ୍ଷା ମାନସିକ, ଶାରୀରିକ ଓ ନୈତିକତାର ଥିଲା। ଯାହାକି ଶିକ୍ଷାର ବିବିଧ ଅଙ୍ଗ- ବୌଦ୍ଧିକ(Intellectual), ନୈତିକ(Moral) ଓ ଶାରୀରିକ (Physical) ଥିଲା। ମାତ୍ର ଏ ପରୀକ୍ଷାରେ ଚୋରାନକଲ (copy), ଶିକ୍ଷା ଓ ଲାଞ୍ଚ ଦେଇ ନମ୍ବର ବଢ଼େଇ ପରୀକ୍ଷା ଉତ୍ତୀର୍ଣ୍ଣ ହେବାରେ ପର୍ଯ୍ୟବସିତ। ଏବେ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ, ପ୍ରଶ୍ନପତ୍ରରେ ଅସାଧାରଣ ଓ ଅସ୍ବାଭାବିକ ତ୍ରୁଟି ଘୋର ଉଦ୍ବେଗ ଓ ଭୟଙ୍କର ପରିବେଶ ସୃଷ୍ଟି କରିଛି। ଇଏ ଏଇ ବର୍ଷର କଥା ନୁହଁ। ପ୍ରତି ବର୍ଷ ପ୍ରାୟ ଘଟି ଆସୁଛି। ଏଥର ପ୍ରଶ୍ନପତ୍ର ପହଞ୍ଚିବା, ତ୍ରୁଟି ଆଦି ଘୋର ଉଦ୍ବେଗଜନକ। ଆରେ ମାଟ୍ରିକ ପରୀକ୍ଷା ତ ଏକ ନିୟମିତ ନିର୍ଦିଷ୍ଟ ବ୍ୟବସ୍ଥା। ଏଥିରେ ନିର୍ଦିଷ୍ଟ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ବନନ୍ତି। ବିଦ୍ୟାଳୟ ବା ପରୀକ୍ଷା କେନ୍ଦ୍ର ନିର୍ଦିଷ୍ଟ। ଏଥିରେ ଏତେ ବିଶୃଙ୍ଖଳା କ୍ରମାଗତ କେମିତି ହଉଚି? ବିଧାନସଭାରେ ହୋହଲ୍ଲା କରୁଥିବା ସଭ୍ୟମାନେ, ଦାନ୍ତ ଦେଖେଇ ବା ଗମ୍ଭୀର ହୋଇ ଉତ୍ତର ଦେଇଥିବା କର୍ମକର୍ତ୍ତାମାନେ, ନେତାମାନେ ଲଜ୍ଜିତ ହେଉନାହାନ୍ତି କେମିତି? ୟେ ମାଟ୍ରିକ ପରୀକ୍ଷା ନୁହେଁ, ଇୟେ ଶିକ୍ଷକ, ଅଭିଭାବକ, ନେତା ବା ସରକାରଙ୍କ ଏକ ପରୀକ୍ଷା। ଏଙ୍କୁ ଭୂତ ବନେଇକି ଏକ ଭେଲ ନେଇ ବିଦ୍ୟାର୍ଥୀ ବେଶ୍ ଉତ୍ତୀର୍ଣ୍ଣ ହେଉଚନ୍ତି। ତ୍ରୁଟି କଲେ ପ୍ରଶ୍ନ ପ୍ରସ୍ତୁତ କର୍ତ୍ତା। ଏଥିରେ ଛାଡ଼ କିଆଁ ପରୀକ୍ଷାର୍ଥୀଙ୍କୁ ମିଳିବ? ଦୟା (grace) ମୂଲ୍ୟାଙ୍କନ କାହିଁକି ହେବ? ସେମିତି ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ଜୀବନ ସାରା ‘ଗ୍ରେସ୍’ ବା ଦୟାକୁ ହିଁ ଉଣ୍ଡିବେ, ଆଶ୍ରା କରିବେ। ଗୋଟେ ଖଇଚାକୁ ଘୋଡ଼େଇବାକୁ ସାରା ପରୀକ୍ଷାର୍ଥୀଙ୍କୁ ଖଇଚା କେମିତି ଓ କାହିଁକି କରାଯାଉଛି? କୈଫିୟତ୍ କ’ଣ ନା, କମ୍ପ୍ୟୁଟର ଭୁଲ କରିଦେଲା। ମାର ମାର ଭଣ୍ଡାରିଆକୁ ମାର। ଭାଙ୍ଗ ସେ ଶଳା କମ୍ପ୍ୟୁଟରକୁ। ଇୟେ ହେଲା ଏ ଦେଶର ଅବସ୍ଥା। ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷା ପରୀକ୍ଷା ଓ ପାଠ୍ୟକ୍ରମ ପ୍ରସ୍ତୁତ ଦାୟିତ୍ବରେ ଶିକ୍ଷକ ବା ସାର୍ ମାନେ ଏହାର ମୁଖ୍ୟ ନୁହନ୍ତି। ସବ୍ଜାନତା ଆଇ.ଏ.ଏସ୍ ଓ ବରିଷ୍ଠ ଓ.ଏ.ଏସ୍ ଏହାର ମୁଖ୍ୟ। ଏ ଶିକ୍ଷାୟତନରେ ସେମାନେ ଢୁକିଲେ କେମିତି? ମାଷ୍ଟ୍ରଙ୍କ ଓଲିଆମିକୁ ରୋକିବାକୁ, ଗଁା ଭଣ୍ଡାରିକୁ ମାଛ ଚୋରିରୁ ଏଡ଼େଇବାକୁ ବିରାଡ଼ି ହାତରେ ମାଛ ଭାର ଦେବା ଭଳି ହେଉଛି ଏ ବ୍ୟାପାର। ଶେଷକୁ ସିଦ୍ଧାନ୍ତ, ‘‘ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁ ପାଇଁ ଧୋଇବା।’’ ନିର୍ଜୀବ କମ୍ପ୍ୟୁଟର ମୁଣ୍ଡରେ ଦୋଷ ଢାଳି ସାରା ବିଭ୍ରାଟରୁ ଖସି ଯାଉଥିବା ଏ ନେତା, ଏ ଅମଲା ଓ ଗୁରୁମାନେ ଯେ ସାରା ଗୋରୁ ବନି ଯାଉଛନ୍ତି, ଏ କଥାକୁ କେବଳ ଗାଲୁରେ ଉଡ଼ା ଯାଇପାରେ। ନୈତିକ ଓ ବିଷୟଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଆଖିଦୃଷ୍ଟିଆ ଦଣ୍ଡ ବିଧାନ ନ ହେଲେ, ବହୁ ମୂଲ୍ୟ ଦେଇ ଦୁର୍ଲଭ ନାମ କମେଇ ଥିବା ରାଜ୍ୟ ନେତୃତ୍ବ ଏଙ୍କ ବିଷ ବା ବାନ୍ତି ପିଇ ନୀଳ କି କଳା ବନିଯିବେ ଏଥିରେ ସନ୍ଦେହ ନାହିଁ। ଆଉ ଚିଲେଇବା ବାଲା, କୈଫିୟତ ଦେବାବାଲା, ସୁନା ତ ଆଦୌ ନୁହନ୍ତି, ଗିନିସୁନା ବି ନୁହନ୍ତି, ତୁଚ୍ଛା କଲେଇ। ଆଜିର ଠକାମି ରୋଲ୍ଡ ଗୋଲଡ୍। ବୋର୍ଡର ବିଜ୍ଞ ସଭାପତି କହିଲେ, ‘‘ପରୀକ୍ଷା ହେବନି, ବିଦ୍ୟାର୍ଥୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର’’। ଆରେ ୟେ ବିଦ୍ୟାର୍ଥୀଙ୍କୁ ଛୁରାମାଡ଼ ଓ ତାଙ୍କ ଭଳି ଦୋଷୀଙ୍କୁ ସାତ ଖୁଣ୍ ମାଫ୍। କାଇଁ ଦୋଷୀଙ୍କ ପାଇଁ ଦଣ୍ଡ ବିଧାନ କରିବାକୁ ଜିଭ ଲେଉଟିଲାନି? ବାଃରେ ଶିକ୍ଷାବିତ୍, ଶିକ୍ଷା ବ୍ୟବସ୍ଥା !!!
Comments are closed.