ଭୂତାଣୁ ପ୍ରକୋପ
କୋଭିଡ୍ ଦୁଃଖ ଏ ପର୍ଯ୍ୟନ୍ତ ମନରୁ ଲିଭିନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଏଚ୍୩ଏନ୍୨ ଭୂତାଣୁ ଉପପ୍ରଜାତିର ପ୍ରଭାବରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ଜରୁରୀ
ଚଳିତ ବର୍ଷ ଶୀତଋତୁର ଲୁଚକାଳି ମଧ୍ୟରେ କ୍ରମାଗତ ଭାବେ ଅସୁସ୍ଥ ରହୁଥିବା ଲୋକଙ୍କ ସମସ୍ୟା ବଢ଼ିଚାଲିଥିଲା। ଋତୁ ପରିବର୍ତ୍ତନଜନିତ ଥଣ୍ଡା, କାଶ ଓ ଜ୍ବର ହେଉଛି ବୋଲି ମନେ କରାଯାଉଥିଲା। ତେବେ ଦୀର୍ଘଦିନ ଧରି ଅସୁସ୍ଥତା ଲାଗି ରହୁଥିବାରୁ ରୋଗର କାରଣ ଓ ନିରାକରଣ ହଠାତ୍ ଜଣାପଡୁନଥିଲା। ଏହି ଅସୁସ୍ଥତାର ଅନ୍ୟ ଗୋଟିଏ ଦିଗ ହେଲା, କ୍ରମାଗତ ଗଳାରେ ଦରଜ ଓ କାଶ ଲାଗି ରହିଥିବାରୁ ଚିକିତ୍ସା ପଦ୍ଧତିରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡୁଥିଲା। କିଛି ଚିକିତ୍ସକ ବନ୍ଧୁ ଅଯଥା ଔଷଧ ନ ଖାଇ ଉଷୁମ ପାଣି ପିଇବାକୁ ପରାମର୍ଶ ଦେଉଥିଲେ। ଏପରି କି ମନେହେଉଥିଲା, କୋଭିଡ୍ର କୌଣସି ନୂଆ ପ୍ରଜାତିର ସଂକ୍ରମଣରେ ଏହି ଲକ୍ଷଣ ଅନୁଭୂତ ହେଉଛି। ଯେହେତୁ ଆମ ଦେଶରେ ଦୁଇପାନ ଟିକା ଓ ବୁଷ୍ଟର ଅଧିକାଂଶ ଲୋକଙ୍କୁ ଦିଆଯାଇଛି, ତେଣୁ କୋଭିଡ୍ ବିଶେଷ କ୍ଷତି ଘଟାଇପାରୁନି। ଏହି ସଂକ୍ରମଣ କେବଳ ଥଣ୍ଡା, ଜ୍ବରରେ ସୀମିତ ଥିବାରୁ ତାହାକୁ ନେଇ ଅଯଥା ଭୟ କିମ୍ବା ଆତଙ୍କ ନଥିଲା; କିନ୍ତୁ ଶ୍ବାସ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଘାତକ ସାବ୍ୟସ୍ତ ହୋଇଛି। ଏପରି କି ସେମାନଙ୍କ ମଧ୍ୟରେ କେତେକ ନିମୋନିଆରେ ପୀଡ଼ିତ ହେଉଥିବାରୁ ଦୀର୍ଘଦିନ ଧରି ଆଇସିୟୁରେ ରହି ଚିକିତ୍ସିତ ହେବାକୁ ପଡୁଛି। ତେବେ ମୋଟାମୋଟି ଭାବେ ପୀଡ଼ିତଙ୍କ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍। ଆମ ଚିକିତ୍ସକଙ୍କ ମତରେ ଏହା ଏକ ଭାଇରାଲ ଜ୍ବର, ସ୍ଥଳ ବିଶେଷରେ ସେମାନେ ଆଣ୍ଟିବାୟୋଟିକ୍ସ ମାଧ୍ୟମରେ ରୋଗ ଉପଶମ କରିବାରେ ଚେଷ୍ଟିତ ରହିଲେ। ତେବେ କାଶ ତ ଜାରି ରହିଲା ଦିନଦିନ ଧରି। ଦୁଇଦିନ ତଳେ ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପ୍ରକାଶିତ ରୋଗ ଓ ତାହାର ନିରାକରଣକୁ ସ୍ପଷ୍ଟ କରିଛି। ତାଙ୍କ ପରାମର୍ଶର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଲା, ଆଣ୍ଟିବାୟୋଟିକ୍ସ ପ୍ରଦାନରୁ ଚିକିତ୍ସକମାନେ ଯଥାସମ୍ଭବ ଦୂରେଇ ରହିବା ଉଚିତ।
ଏହି ରୋଗ ସଂକ୍ରମଣ ଆରମ୍ଭ ହୋଇଛି ଗତ ଡିସେମ୍ବର ମାସରୁ। ରୋଗୀଙ୍କଠାରେ କୋଭିଡ୍ର ସମସ୍ତ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ତାହା ଯେ ଇନଫ୍ଲୁଏନଞ୍ଜା ରିପୋର୍ଟରୁ ସ୍ପଷ୍ଟ ହେଉଛି। ତେବେ ଆମକୁ କୋଭିଡ୍ ସମୟରେ ଦିଆଯାଉଥିବା ପରାମର୍ଶଗୁଡ଼ିକୁ ଅନୁପାଳନ କରିବାକୁ ପଡ଼ିବ। ଦେଶରେ ଥିବା ୩୦ଟି ଭିଆର୍ଡିଏଲ୍ କେନ୍ଦ୍ରରୁ ସଂଗୃହୀତ ତଥ୍ୟର ଭିତ୍ତିଭୂମି ଉପରେ ଆଇସିଏମ୍ଆର୍ ଏହି ନିର୍ଯାସରେ ଉପନୀତ ହୋଇଛନ୍ତି। ଏଚ୍୩ଏନ୍୨ ଭୂତାଣୁର ଉପପ୍ରଜାତି ପ୍ରଭାବରେ ଇନ୍ଫ୍ଲୁଏଞ୍ଜା ଦେଶରେ କାୟାବିସ୍ତାର କରିଛି। ସମଗ୍ର ଦେଶରେ ଏହି ରୋଗରେ ବହୁ ଲୋକ ପୀଡ଼ିତ। ଔଷଧ ସେବନ ସତ୍ତ୍ବେ ଦିନ ଦିନ ଧରି ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ। ରୋଗ ସାଧାରରତଃ ଭୂତାଣୁଜନିତ କିମ୍ବା ବୀଜାଣୁଜନିତ ହୋଇଥାଏ। ଏ କ୍ଷେତ୍ରରେ ଭୂତାଣୁଜନିତ ସଂକ୍ରମଣର ସମ୍ଭାବନା ଅଧିକ। ରିପୋର୍ଟରେ ୯୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି ବୋଲି କୁହାଯାଇଛି। ଆଣ୍ଟିବାୟୋଟିକ୍ସ କେବଳ ବୀଜାଣୁକୁ ମାରିଥାଏ। ତେଣୁ ଏ କ୍ଷେତ୍ରରେ ଚିକିତ୍ସକମାନେ ଠିକ୍ ପରୀକ୍ଷା ନ କରି ଆଣ୍ଟିବାୟୋଟିକ୍ସ ନିଦାନ ନ ଲେଖିବାକୁ ପରାମର୍ଶ ଦିଆଯାଇଛି। ଆମେ ଏଠାରେ ଉଲ୍ଲେଖ କରିପାରିବା ଯେ କୋଭିଡ୍ ସଂକ୍ରମଣ ବେଳେ ଯେଉଁ ଔଷଧ ମାଧ୍ୟମରେ ରୋଗୀ ଚିକିତ୍ସା କରାଯାଉଥିଲା ତାହା ଏବେ ମଧ୍ୟ ଜାରି ରହିଛି। କାରଣ ଏ କ୍ଷେତ୍ରରେ ମଧ୍ୟ ସେହି ଲକ୍ଷଣ ପରିଲକ୍ଷିତ ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ଦୁଇତିନି ଦିନ ମଧ୍ୟରେ ଜ୍ବର କମିଯାଉଥିଲେ ମଧ୍ୟ ରୋଗର ଅନ୍ୟ ଉପସର୍ଗଗୁଡ଼ିକ ଦୀର୍ଘଦିନ ସାଥିରେ ଧରି ରୋଗୀ ବୁଲୁଛି। ସେହିମାନେ ହିଁ ସଂକ୍ରମଣର ମୁଖ୍ୟକାରଣ ପାଲଟିଛନ୍ତି। ଯଥେଷ୍ଟ ଆଗରୁ ମୁଖରେ ତୁଣ୍ଡିବାନ୍ଧିବା ସକାଶେ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ତାହାକୁ ଅଧିକାଂଶ ମାନୁନାହାନ୍ତି। ସାଙ୍ଗସାଥୀ ଓ ବଜାରଘାଟରୁ ସେମାନେ ଏହି ଇନ୍ଫ୍ଲୁଏଞ୍ଜା ସାଙ୍ଗରେ ନେଇ ଘରକୁ ଫେରୁଛନ୍ତି। ଏହା ଉଭୟ ବୟସ୍କ ଓ ଛୋଟ ଛୁଆଙ୍କ ସକାଶେ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଆମକୁ ପୂର୍ବଭଳି ମୁଖତୁଣ୍ଡି ବାନ୍ଧିବାକୁ ପଡ଼ିବ। ଏଥିସହ ବାରମ୍ବାର ସାବୁନରେ ହାତ ଧୋଇବା ସହ ଯଥାସମ୍ଭବ ଲୋକଗହଳିରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ବାରମ୍ବାର ଆଖି ନାକରେ ହାତ ମାରିବା ନାହିଁ। ଏ ସବୁ ଆମ ପାଇଁ କିଛି ନୂଆ କଥା ନୁହେଁ। ଦୁଇବର୍ଷ ଧରି ଯେଉଁ କଟକଣାକୁ ଆମେ ମାନି ଆସୁଥିଲେ ଏବେ ତାହାକୁ ପୁଣି ଥରେ ଆଦରି ନେବାରେ ଅସୁବିଧା କ’ଣ?
ଦୁଇ ବର୍ଷ ଧରି କୋଭିଡ୍ ଆମକୁ ବହୁ ଯାତନା ଦେଇଛି, ଏକାଧିକ ସାଙ୍ଗସାଥୀଙ୍କୁ ଆମଠାରୁ ଛଡ଼େଇ ନେଇଛି। ଅନେକେ ନିଜ ନିଜର ପେସା ଓ ବୃତ୍ତି ହରାଇଛନ୍ତି। ସେମାନେ ସାମାଜିକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ଆପାତତଃ ତାହାର ତ ଆଉ ପୁନରାବୃତ୍ତି ହେବନାହିଁ। ତେବେ ନିଜକୁ ସୁସ୍ଥ ରଖି ସମୟର ଆବଶ୍ୟକତାକୁ ଚାହିଁ ଛୋଟ ଛୋଟ ପ୍ରତିବନ୍ଧକଗୁଡ଼ିକୁ ଯଥାସମ୍ଭବ ଏଡ଼ାଇଯିବା ହେଉଛି ସମୟର ଆବଶ୍ୟକତା। ଅବୋଲକରା ଓ ଅମାନିଆ ହୋଇ ନିଜର କ୍ଷତି ଘଟାଇବା ସହ ଅନ୍ୟ ଦୁଃଖର କାରଣ ହେବା ଆଦୌ ଉଚିତ ନୁହେଁ। ଏ କ୍ଷେତ୍ରରେ ଆଇସିଏମ୍ଆର୍ର ପରାମର୍ଶ ପ୍ରଣିଧାନଯୋଗ୍ୟ। ଅନ୍ତତଃପକ୍ଷେ କୋଭିଡ୍ ବିପର୍ଯ୍ୟୟରୁ ଆେମ ଏତିକି ଶିଖିବାକୁ ସମର୍ଥ ହୋଇଛେ।
Comments are closed.