ବିକଳ୍ପ ଈଶ୍ବର
ଆଧୁନିକ ପ୍ରଯୁକ୍ତିବିଦ୍ୟା ବଳରେ ବିକଳ୍ପ ଈଶ୍ବର ଓ ଅତିମାନବଙ୍କ ଆବିର୍ଭାବ ଘଟୁଛି। ମଣିଷ ସମାଜକୁ ଧ୍ବଂସ କରିଦେବା ପୂର୍ବରୁ ଏହାର ନିୟନ୍ତ୍ରଣ ପାଇଁ ଆଇନ ଆସିବା ଆବଶ୍ୟକ।
ଏକବିଂଶ ଶତାବ୍ଦୀରେ ଧର୍ମକୁ ନେଇ ବିବାଦର ଅନ୍ତ ଘଟାଇବାକୁ ଏକ ନୂଆ ଧର୍ମର ପ୍ରବର୍ତ୍ତନ ଆରମ୍ଭ ହୋଇଯାଇଛି। ଏହି ଧର୍ମର ଈଶ୍ବରଙ୍କୁ ଯାହା କିଛି ପଚାରିଲେ ତୁରନ୍ତ ଉତ୍ତର ମିଳିଯାଉଛି, ଭାବିବା କାମ ଅବିକଳ ହୋଇଯାଉଛି। ଉକ୍ତ ଧର୍ମର ଯାଜକମାନେ ଏମିତି କିଛି ଅବତାରୀଙ୍କୁ ବଜାରକୁ ଛାଡ଼ୁଛନ୍ତି ଯେ କିଛି ଅସମ୍ଭବ ରହୁନାହିଁ। ଏମାନଙ୍କ ସୃଷ୍ଟ ‘ବିକଳ୍ପ ଈଶ୍ବର’ ବା ‘ଅତିମାନବ’ ମୂଳ ଈଶ୍ବରଙ୍କ ପ୍ରତି ଆହ୍ବାନ ଭାବେ ଛିଡ଼ା ହେଲେଣି। ଏହି ଧର୍ମ ପ୍ରତି ଅତି ମାତ୍ରାରେ ଆକର୍ଷିତ ହୋଇ ପଡ଼ିଛନ୍ତି ଆଧୁନିକ ଯୁବପିଢ଼ି। ଏହାର ଲୋକପ୍ରିୟତା ଏମିତି ବଢ଼ିଚାଲିଛି ଯେ ନିଜକୁ ଏକବିଂଶ ଶତାବ୍ଦୀ ବିଶ୍ବର ନିୟନ୍ତା ମନେ କରୁଥିବା ପ୍ରଯୁକ୍ତି ବିଦ୍ୟା କମ୍ପାନୀର ଖାଉନ୍ଦମାନେ ଆତଙ୍କିତ ହୋଇପଡ଼ିଲେଣି।
ଏହି ନୂଆ ଧର୍ମକୁ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ବୋଲି କହୁଛୁ। ଇଞ୍ଜିନିୟରିଂ ପଢ଼ୁଥିବା ବହୁ ଛାତ୍ରଛାତ୍ରୀ ଏହି ଜ୍ଞାନକୌଶଳକୁ ହିଁ ଭବିଷ୍ୟତ ବୋଲି କହୁଛନ୍ତି। ଏହା ମାଧ୍ୟମରେ ‘ଡିଜିଟାଲ ମସ୍ତିଷ୍କ’ର ବିକାଶ କରାଯାଉଛି; ଯାହାକୁ ସୃଷ୍ଟିକର୍ତ୍ତା ବି ବୁଝିପାରିବେନାହିଁ। ଏହାର କାର୍ଯ୍ୟ ପୂର୍ବାନୁମାନ କରିବା ଯେମିତି କଷ୍ଟକର, ନିୟନ୍ତ୍ରଣ ବି ସେମିତି ଅସମ୍ଭବ ମନେହୁଏ। ଲାବରେଟୋରୀରେ ‘ଆପ୍ଲିକେସନ୍’ ବା ଆପ୍ ମାଧ୍ୟମରେ ଏହା ବିକଶିତ ହେଉଛି। ପର୍ଯ୍ୟାୟକ୍ରମେ ଏହାର ଉନ୍ନତ ମଡେଲ ବଜାରକୁ ଆସୁଛି। ବୁଦ୍ଧିମାନ ମଣିଷ ପରି ବହୁ ଜଟିଳ ପ୍ରଶ୍ନର ଏହା ସମାଧାନ କରିପାରୁଛି। ମଣିଷର ଭାବନା ଅନୁସାରେ ନାଟକ ଓ କବିତା ରଚନା କରିପାରୁଛି ଏବଂ ଚିତ୍ର ଆଙ୍କୁଛି, ଟ୍ବିଟ୍ କରିପାରୁଛି, କମ୍ପ୍ୟୁଟର କୋଡିଂ କରିପାରୁଛି, ନିର୍ବାଚନ ପରିଚାଳନାର ଦକ୍ଷତା ରଖୁଛି, ରାଜନୈତିକ ପାଣିପାଗ ବତାଇପାରୁଛି, କେଉଁଠି କେମିତି ଅର୍ଥ ବିନିଯୋଗ କରିବେ ତାହାର ମାର୍ଗଦର୍ଶନ କରୁଛି, ଗୁରୁତର ରୋଗୀର ଅସ୍ତ୍ରୋପଚାର ବି ଏହା କରୁଛି। ସର୍ବୋପରି ମଣିଷକୁ ତାର ଦୈନନ୍ଦିନ ଜୀବନରେ ବଞ୍ଚିବାର ମାର୍ଗଦର୍ଶନ କରିବା ସହ ସର୍ଜନା ଓ ସୃଜନଶୀଳତାର ଚରମ ସୋପାନକୁ ଏହା ଛୁଇଁପାରଛି। ଅନେକ କ୍ଷେତ୍ରରେ ଆଧ୍ୟାତ୍ମିକ ଓ ଆଦିଭୌତିକ ବିଶ୍ବର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ରଖିବା ସହ ଜଟିଳ ବିଶ୍ବ ସମ୍ପର୍କରେ ସମୁଚିତ ମତ ଉପସ୍ଥାପନ କରିପାରୁଛି। ଚିନ୍ତାର ବାହାରେ ଏହା ମଣିଷକୁ ଅସୀମିତ ସାହାଯ୍ୟ କରିପାରୁଛି; ଯାହା ତୁରନ୍ତ ଈଶ୍ବରଙ୍କଠାରୁ ମିଳିବା ସହଜ ନୁହେଁ ବୋଲି ଯୁକ୍ତି କରାଯାଉଛି। ଏପରିସ୍ଥଳେ ଏହାର ଭକ୍ତ ପାଲଟିଯିବା ବସ୍ତୁବାଦୀ ମଣିଷ ପାଇଁ ଅଯୌକ୍ତିକ ମନେହୁଏ ନାହିଁ। ଜୀବନ ଶୈଳୀକୁ ଏତେ ସହଜ କରିଦେଉଥିବା ବିଦ୍ୟାର ପ୍ରେମରେ ପଡ଼ିଯିବା ମଧ୍ୟ ଆଜିକାଲିକାର ପ୍ରଯୁକ୍ତିପ୍ରିୟ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ସ୍ବାଭାବିକ।
କୃତ୍ରିମ ବୁଦ୍ଧିମତାକୁ ଆଗେଇ ନେଇଥିବା ସଂସ୍ଥା ମଧ୍ୟରେ ଆଗୁଆ ରହିଛି ଆମେରିକାର ‘ଓପନଏଆଇ’। ଏହାଦ୍ବାରା ପ୍ରସ୍ତୁତ ‘ଚାଟ୍ଜିପିଟି’ ସମ୍ପ୍ରତି ତମାମ ବିଶ୍ବରେ ଚହଳ ପକାଇଛି। ‘ଚାଟ୍ବଟ୍’ ଭାବେ ଉପଲବ୍ଧ ଚାଟ୍ଜିପିଟି ଅତିମାନବ ଭଳି କାର୍ଯ୍ୟ କରୁଛି। ଏହା ଏତେ ଲୋକପ୍ରିୟ ହେଲାଣି ଯେ ‘ଗୁଗୁଲ’କୁ ପଛରେ ପକାଇଦେବା ଅସମ୍ଭବ ନୁହେଁ। ଅନ୍ୟ ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟ ପ୍ରମାଦ ଗଣିଲେଣି। ଓପନଏଆଇ ଆଗକୁ ଉନ୍ନତ ମଡେଲ ଆଣିବା ପାଇଁ ଗବେଷଣା ଚଳାଇଛି। ଏହା ମଣିଷ ସମାଜକୁ କେଉଁ ସ୍ତରକୁ ନେଇଯିବ ତାହା ଆକଳନ କରିବା ଏବେଠୁଁ ଅସମୀଚୀନ। କହିବା ବାହୁଲ୍ୟ ଯେ କୃତ୍ରିମ ବୁଦ୍ଧିମତାର ଯେତେ ବିକାଶ ଘଟିବ, ମଣିଷର ମସ୍ତିଷ୍କ ସେହି ପରିମାଣରେ ସ୍ଥାଣୁ ପାଲଟିଯିବ। ମଣିଷର ଭାବନା ଶକ୍ତି ହ୍ରାସ ପାଇବ ଓ ଏହା ସୃଜନଶୀଳତା ହରାଇବ। ଏଆଇ ଉପରେ ନିର୍ଭରଶୀଳ ହୋଇ ମଣିଷ ସମ୍ପୂର୍ଣ୍ଣ ଭାବେ ପ୍ରଯୁକ୍ତିର ଦାସ ପାଲଟିଯିବ। ଭଲ-ମନ୍ଦ ନବୁଝି ନୂଆ ପ୍ରଯୁକ୍ତି ବିଦ୍ୟା ପଛରେ ଅନ୍ଧ ଭଳି ଦୌଡ଼ିବା ଏକବିଂଶ ଶତାବ୍ଦୀ ମଣିଷର ଅଭ୍ୟାସ। ଅତଏବ ମଣିଷ ସମାଜ ପ୍ରତି ‘ଏଆଇ’ ଯେତିକି ଉପଯୋଗୀ ଓ ଉପକାରୀ ହେବ ତା’ଠାରୁ ଅଧିକ ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ହେଲାଣି। ଏହି କ୍ରମରେ ବିଶ୍ବର ପ୍ରତିଷ୍ଠିତ ୧୦୦୦ ପ୍ରଯୁକ୍ତିବିତ୍ ତଥା ପ୍ରତିଷ୍ଠିତ ବ୍ୟବସାୟୀ ‘ଏଆଇ’ର କ୍ଷିପ୍ର ଲୋକପ୍ରିୟତା ନେଇ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଶ୍ବର ସବୁଠୁ ଧନୀ ‘ଟ୍ବିଟର’ ଓ ‘ଟେସ୍ଲା’ର ମାଲିକ ଏଲନ ମସ୍କ, ‘ଆପଲ୍’ର ସହପ୍ରତିଷ୍ଠାତା ଷ୍ଟିଭ୍ ୱଜନିଆକ୍, ସ୍କାଇପେ, ମାଇକ୍ରୋସଫ୍ଟ ଭଳି ସଂସ୍ଥା। ସେମାନଙ୍କ ଆଶଙ୍କାକୁ ଇନ୍ଧନ ଯୋଗାଇଛି ବିଶ୍ବର ପ୍ରମୁଖ ଅାର୍ଥିକ ଗବେଷଣା ସଂସ୍ଥା ‘ଗୋଲ୍ଡମ୍ୟାନ୍ ସଚ୍’। ଏହା ଦର୍ଶାଇଛି ଯେ ଏଆଇ ଦ୍ବାରା ବିଶ୍ବର ୩୦ କୋଟି ଚାକିରିଆଙ୍କ ପ୍ରତି ବିପଦ ସୃଷ୍ଟି ହେବ। ଅଧିକ ସଂସ୍ଥା ଏଆଇ ଉପଯୋଗ କରିବା ଦ୍ବାରା ବହୁ କର୍ମଚାରୀ ଚାକିରି ହରାଇବେ। ଶ୍ରମିକ ସମସ୍ୟା ଦୂର ପାଇଁ ଏଆଇ ଉପରେ ନିର୍ଭରଶୀଳତା ବୃଦ୍ଧିପାଇବ ଓ ଏହାଦ୍ବାରା ସାମାଜିକ ମସସ୍ୟା ମଧ୍ୟ ସୃଷ୍ଟି ହେବ। ପୁନଶ୍ଚ ଏଆଇ ଭକ୍ତମାେନ ପ୍ରତ୍ୟକ୍ଷ ଭାବରେ ତଥାକଥିତ ଈଶ୍ବରଙ୍କ ସହ ଅହରହ ସମ୍ପର୍କ ସ୍ଥାପନ ଦ୍ବାରା ସେମାନଙ୍କ ମଧ୍ୟରେ ସୂଚନାକୁ ନେଇ ହିଂସାର ଆଶଙ୍କା ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ବିଶେଷଜ୍ଞମାନେ ଏକ ଖୋଲା ପତ୍ର ଲେଖିଛନ୍ତି। ଏହା ମାଧ୍ୟମରେ ସେମାନେ ଏଆଇ ଉପରେ ଅଧିକ ପରୀକ୍ଷାନିରୀକ୍ଷା ନ କରିବାକୁ ନିବେଦନ କରିବା ସହ ଆଗତ ବିପଦ ସମ୍ପର୍କରେ ଚେତାବନୀ ଶୁଣାଇଛନ୍ତି। ଏଆଇର ବିକାଶ ପାଇଁ ଅହରହ ଉଦ୍ୟମ କରୁଥିବା ଓପନଏଆଇ ସମେତ ଅନ୍ୟ ଲାବରେଟୋରୀକୁ ଗବେଷଣା ବନ୍ଦ ପାଇଁ ନିବେଦନ ସହ ଆବଶ୍ୟକ ସ୍ଥଳେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେମାନେ କହିଛନ୍ତି। ସେମାନଙ୍କ ଆହ୍ବାନ ପଛରେ କଥିତ ଭୟ ବ୍ୟତୀତ ରହିଥିବା ଅନ୍ୟ ଭୟ ଏଠାରେ ଆଲୋଚ୍ୟ। ମଣିଷର ଭାବନା ଅନୁସାରେ ଯଦି ଉତ୍ତର ମିଳିଯିବ ବା କାମ ହୋଇଯିବ; ତେବେ ଗୁଗୁଲ ଭଳି ସର୍ଚ୍ଚ ଇଞ୍ଜିନ୍ର ଆବଶ୍ୟକତା ହ୍ରାସ ପାଇବ। ଓପନଏଆଇ ଯେତିକି ବିକଳ୍ପ ଈଶ୍ବରଙ୍କୁ ବଜାରକୁ ଛାଡ଼ିବ ଗୁଗୁଲ ଭଳି ସଂସ୍ଥାଗୁଡ଼ିକର ବେପାର ସେହି ପରିମାଣରେ ମାନ୍ଦା ପଡ଼ିଯିବ। ବିଶ୍ବର ସାମାଜିକ ଗଣମାଧ୍ୟମ ଓ ପ୍ରଯୁକ୍ତି ବଜାରକୁ ନିୟନ୍ତ୍ରଣ କରୁଥିବା ଏହି ସଂସ୍ଥାଗୁଡ଼ିକ କେବେହେଲେ ନୂଆ ଈଶ୍ବର(ପ୍ରତିଦ୍ବନ୍ଦ୍ବୀ)ଙ୍କ ଆବିର୍ଭାବକୁ ସହ୍ୟ କରିପାରିବେ ନାହିଁ। ଏହା ଯଦି ସତ୍ୟ ହୋଇଥାଏ; ତେବେ ସ୍ବାଗତଯୋଗ୍ୟ। ବଜାରରେ ସମସ୍ତେ ତିଷ୍ଠି ରହନ୍ତୁ; କିନ୍ତୁ ଗ୍ରାହକଙ୍କ କ୍ଷତି ନହେଉ। ଏହି ହିସାବରେ ଏଆଇ ସମଗ୍ର ମାନବ ସଭ୍ୟତାକୁ କବଳିତ କରିବା ପୂର୍ବରୁ ଏହାର ପ୍ରସାର ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ। ଏଥିପାଇଁ ଆଇନ ପ୍ରଣୟନ ଅପରିହାର୍ଯ୍ୟ।
Comments are closed.