www.samajalive.in
Saturday, December 6, 2025
15.1 C
Bhubaneswar

ଝାଡ଼ୁଦାର ନିଯୁକ୍ତି ଠକେଇ ମାମଲା: ୧୮ ଗିରଫ, ୧୩ ଲକ୍ଷ ଜବତ

ସମ୍ବଲପୁର: ସମ୍ବଲପୁର ସମେତ ୪ଟି ଜିଲାରେ ଝାଡ଼ୁଦାର ଚାକିରି ଆଳରେ ହୋଇଥିବା କୋଟି କୋଟି ଟଙ୍କାର ଠକେଇ ମାମଲାରେ ସମ୍ବଲପୁର ପୁଲିସ ବୁଧବାର ୫ଜଣ ମହିଳା ସମେତ ୧୮ ଜଣଙ୍କୁ ଗିରଫ କରିଛି। ସମସ୍ତେ ସମ୍ବଲପୁର ସହର ତଥା ଆଖପାଖର ଅଧିବାସୀ। ସେମାନଙ୍କଠାରୁ ନଗଦ ୧୩ ଲକ୍ଷ ଟଙ୍କା ସହ ୮ଟି ମୋବାଇଲ ଫୋନ୍‌ ଓ ଅନେକ ଲୋକଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ଫଟୋ ଆଦି ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସମ୍ରାଟ ରାୟ ଓରଫ ରାହୁଲକୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବା ପରେ ପୁଲିସକୁ ଏହି ସଫଳତା ମିଳିଥିବା ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସାମ୍ବାଦିକମାନଙ୍କୁ କହିଛନ୍ତି।

ଏହି ମାମଲାରେ ପୂର୍ବରୁ ସମ୍ବଲପୁରୀ ଜିଲାର ୩ ଜଣ ଓ ବରଗଡ଼ ଜିଲାରୁ ୮ ଜଣଙ୍କୁ ମିଶାଇ ମୋଟ ୧୧ ଜଣ ଗିରଫ ହୋଇଥିଲେ। ଏହି ମାମଲାରେ ସମ୍ରାଟ ରାୟ (ରାହୁଲ) ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ବିଭିନ୍ନ ଅଞ୍ଚଳରେ ସୁପରଭାଇଜର ନିଯୁକ୍ତ ସହ ସେମାନଙ୍କ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ଝାଡ଼ୁଦାର ନିଯୁକ୍ତି ନାମରେ ଟଙ୍କା ଆଦାୟ କରୁଥିଲା। ଉକ୍ତ ସୁପରଭାଇଜରମାନେ ସେମାନଙ୍କ କମିସନ ରଖିବା ପରେ ବାକି ଟଙ୍କା ରାହୁଲକୁ ଦେଉଥିଲେ ବୋଲି ପୁଲିସ ଅଧୀକ୍ଷକ କହିଛନ୍ତି। ତାଙ୍କ କହିବାନୁସାରେ, ରାହୁଲକୁ ଜେରା ସମୟରେ ପଦ୍ମା ତାଣ୍ଡି ଓ ତାଙ୍କର ଜଣେ ପ୍ରମୁଖ ସହଯୋଗୀ ଭାଗ୍ୟଶ୍ରୀ ମହାନନ୍ଦ ସମ୍ପର୍କରେ ସୂଚନା ମିଳିଥିଲା। ରାହୁଲ ପୁଲିସକୁ ଭୁଆଁ ବୁଲାଇବା ନିମନ୍ତେ ଭୁବନେଶ୍ୱରର ସୌମ୍ୟ ସାହୁଙ୍କ ନାମ ନେଇଥିଲା। ସେ ତାର ବାପାଙ୍କ ଫୋନ ନମ୍ବରକୁ ପୁଲିସକୁ ସୌମ୍ୟ ସାହୁର ବୋଲି ଦର୍ଶାଇଥିଲା। ଏହା ଦୁର୍ନୀତି ଏକ ‘ଚେନ୍‌ ସିଷ୍ଟମ୍‌’ ଭଳି କାମ କରୁଥିଲା। ଅନ୍ୟୂନ ୧୫ରୁ ୨୦ ହଜାର ଲୋକ ସଂଗ୍ରହ ସହ ସେମାନଙ୍କଠାରୁ ଆଦାୟ ମୋଟା ଅଙ୍କର ଟଙ୍କାକୁ ଆତ୍ମସାତ୍‌ କରିବା ସେମାନଙ୍କର ଲକ୍ଷ୍ୟ ଥିଲା। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସହିତ ତାର ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ମାମଲାର ତଦନ୍ତ ଜାରି ରହିଛି ଏବଂ ଆଗକୁ ଆହୁରି ଗିରଫ ହେବାର ସମ୍ଭାବନା ରହିଥିବା ଅଧୀକ୍ଷକ କହିଛନ୍ତି।

- Advertisement -

କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝାଡ଼ୁଦାର ଚାକିରି କରାଇ ଦେବା ନାମରେ କିଛି ବ୍ୟକ୍ତି ଜଣ ପିଛା ୧୨ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା। ଗତ ୨୩ ତାରିଖରେ ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମାର ମାରାଙ୍ଗୋଲା ଅଞ୍ଚଳରେ ଏକ ବଡ଼ ଜନ ସମାବେଶ ଆୟୋଜନ କରାଯାଇ ଟଙ୍କା ନେଇ ଚାକିରି କରାଇ ଦେବାର ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାଦ୍ବାରା ବଡ଼ ଧରଣର ଠକେଇ ହେବାକୁ ଯାଉଥିବା ସନ୍ଦେହ କରି ଚିପିଲିମା କରଡୋଲା ଅଞ୍ଚଳର ପଦ୍ମଲୋଚନ ଗର୍ଡ଼ିଆ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାରି ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସମାବେଶର ଆୟୋଜକ ସମ୍ବଲପୁର କ୍ଷେତରାଜପୁର ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଓ ବୁର୍ଲାର ପଦ୍ମାବତୀ ଓରଫ ପଦ୍ମାଳୟା ତାଣ୍ଡି (୩୪)ଙ୍କୁ ଧରିବା ସହିତ ରାହୁଲ ଘରୁ ନଗଦ ୬୨ ଲକ୍ଷ ୧ ହଜାର ଟଙ୍କା ଜବତ କରିଥିଲା। ଏଥିସହ ୨ଟି ମୋବାଇଲ ଫୋନ, ଗୋଟିଏ କାର, ଗୋଟିଏ ଭ୍ୟାନ, ଅନେକ ଲୋକଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଓ ଫଟୋ ଆଦି ଜବତ କରିଥିଲା। ଏତଦ୍‌ ବ୍ୟତୀତ ଏହି ଠକେଇର ଚେନ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଜିଲା ସମେତ ବଲାଙ୍ଗିର ଜିଲାକୁ ଲମ୍ବିଥିବା ସୂଚନା ମିଳିଥିଲା। ବରଗଡ଼ରେ ଅଦ୍ୟାବଧି ୮ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ଗିରଫ ହୋଇନାହାନ୍ତି। ଏହି ସବୁ ଜିଲାରେ ଚାକିରି ପାଇଁ ଠକେଇର ଶିକାର ହୋଇଥିବା ପ୍ରାୟ ୨୦୦୦ ଲୋକ ଟଙ୍କା ଫେରି ପାଇବା ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories