ମୁମ୍ବଇ: ବଲିଉଡ଼୍ ଅଭିନେତା ସଲମାନ ଖାନ୍ ତାଙ୍କ ଫିଲ୍ମ ‘ରାଧେ’କୁ ନେଇ ଏବେ ଚର୍ଚ୍ଚାରେ। ଏହା ବ୍ୟତୀତ ଆହୁରି ଅନେକ କାରଣ ପାଇଁ ମଧ୍ୟ ସେ ଚଳିତ ଦିନରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କିଛିଦିନ ତଳେ ସଲମାନ ମୁମ୍ବଇର ଆଗଧାଡ଼ିର କର୍ମଚାରୀମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଯୋଗାଇ ଦେଇଥିବା ବେଳେ ଏବେ ପୁଣି ଥରେ ଲୋକଙ୍କ ସହାୟତା ପାଇଁ ସେ ଆଗକୁ ଆସିଛନ୍ତି। ଏଥର ସଲମାନ ଜଣେ ୧୮ ବର୍ଷିୟ ଛାତ୍ରଙ୍କୁ ପାଠପଢାରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକର ଏହି ଛାତ୍ରଙ୍କ ପିତା କରୋନାରେ ପ୍ରାଣ ହରାଇଥିଲେ। ଯୁବ ସେନା ନେତା ରାହୁଲ ଏସ କନାଲ ଟ୍ୱିଟ୍ ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ।
ସେ ନିଜ ଟ୍ୱିଟରେ ଖବର କାଗଜର ଏକ ସମ୍ବାଦକୁ ଶେୟାର କରିଥିଲେ, ଯେଉଁଥିରେ ଲେଖାଥିଲା ଯେ, ସଲମାନ ଖାନ ଜଣେ ୧୮ ବର୍ଷିୟ ବିଜ୍ଞାନ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହାସହିତ ସେ ତାଙ୍କର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରୁଛନ୍ତି ଯାହା ତାଙ୍କର ଉଚ୍ଚ ଶିକ୍ଷାରେ ସହାୟକ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଏସ କନାଲ ଏବେ ସଲମାନଙ୍କ ସହ ମିଶି କାମ କରୁଛନ୍ତି। ସେ କହିଛନ୍ତି ଯେ, ସଲମାନ ନିଜ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ବ୍ୟକ୍ତି ସାହାଯ୍ୟ ମାଗିଲେ ତାଙ୍କୁ ନିରାଶ କରିବାନାହିଁ। ଯଥା ସମ୍ଭବ ସାହାଯ୍ୟ ନିଶ୍ଚିତ କରିବା।



