ସାକ୍ଷୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସାକ୍ଷୀଗୋପାଳର ଜାତୀୟ ସେବା ଯୋଜନା (+୨ ଓ +୩ ଶାଖା) ତଥା ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ଆଜି ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ହୋଇଯାଇଛି। ଓଡ଼ିଶାରେ ୧୯୯୯ ମହାବାତ୍ୟାର ୨୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବାତ୍ୟାର କାଳର କାହାଣୀର ସ୍ମୃତି ଚାରଣ କରିଥିଲେ। ଏହି ପ୍ରଳୟଙ୍କରୀ ବାତ୍ୟାର ଶିକ୍ଷା ନେଇ ଓଡ଼ିଶା କିପରି ଦେଶ ତଥା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାରେ ସର୍ବୋତ୍ତମ ମଡେଲ ବିକାଶ କରିଛି ତାର ଉଲ୍ଲେଖ କରିଥିଲେ।
“ମଣିଷ ପକୃତି ଠାରୁ ଯାହା ପାଏ, ସେଇ ଋଣ ପରିଶୋଧ ନକରି ପ୍ରକୃତିକୁ ଶୋଷଣ କରିବା ଯୋଗୁଁ ପରିବେଶ ଆଜି ଅସନ୍ତୁଳିତ ଓ ମନୁଷ୍ୟ ସମାଜ ନାନା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ତେଣୁ ପ୍ରକୃତି ସହ ବନ୍ଧୁତା ଆମର ଲକ୍ଷ୍ୟ ହେବା ଉଚିତ, ପ୍ରକୃତିର ଅବଦମନ ନୁହେଁ “, ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୂଖ୍ୟବକ୍ତା ଭାବେ ସତ୍ୟବାଦୀ ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକ୍ଷକ ଶ୍ରୀ ମନୋଜ କୁମାର ପାତ୍ର ଯୋଗଦେଇ ବିଭିନ୍ନ ପ୍ରକାର ବିପର୍ଯ୍ୟୟକୁ ବ୍ୟକ୍ତିଗତ ଭାବେ ମୁକାବିଲା କରିବାର ବିଭିନ୍ନ ଉପାୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ନିଜର ସଭାପତିୟ ଅଭିଭାଷଣରେ ବିପର୍ଯ୍ୟୟର ସଂଜ୍ଞା, ସ୍ବରୂପ ଓ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସଂପର୍କରେ ସ୍ବମତ ରଖିଥିଲେ।ସଭାର ପ୍ରାରମ୍ଭରେ ପ୍ର. ରାଜଶ୍ରୀ ଶତପଥୀ ମହାବାତ୍ୟା ଓ ପରବର୍ତ୍ତୀ ପ୍ରାକୃତିକ ବିପର୍ଯ୍ୟୟରୁ ଓଡ଼ିଶା ଯେଉଁ ଶିକ୍ଷାଲାଭ କରିଛି ତାର ଉଲ୍ଲେଖ କରିଥିଲେ। ଏହି ଅବସରରେ ଆୟୋଜିତ ପୋଷ୍ଟର ଅଙ୍କନ ପ୍ରତିଯୋଗିତାର ବିଜୟୀ ଶ୍ରୀ ପ୍ରକାଶ ପରିଡ଼ା ଓ ବନ୍ଦିତା ବିଭୂଦର୍ଶିନୀ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଅନୁଷ୍ଠାନର ଛାତ୍ରୀ ପ୍ରିୟଦର୍ଶିନୀ ପଣ୍ଡା ଓ ସମର୍ପିତା ବେହେରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ପଦାଧିକାରୀ ପ୍ର. ରତ୍ନାକର ସାହୁ, ପ୍ର. ଶଙ୍କର୍ଷଣ ପ୍ରଧାନ, ପ୍ର. ସ୍ୱର୍ଣ୍ଣଲତା ମାହାରୀ ଓ ପ୍ର. ମନୋଜ ପରିଡ଼ା ପରିଚାଳନା କରିଥିଲେ। ପ୍ର. ରତ୍ନାକର ସାହୁ ସଭାରେ ସଂଯୋଜନା କରିଥିଲେ ଓ ଅନୁଷ୍ଠାନର ବଡ଼ବାବୁ ଶ୍ରୀ ରାଜକିଶୋର ପତି ଧନ୍ୟବାଦ ଅର୍ପଣ କରିଥିଲେ। ସଚେତନତା ସଭା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ମୁକାବିଲା କରିବାର ଉପାୟ ପ୍ରଦର୍ଶନ କରିଥିଲେ।



