ସଇଁନ୍ତଲା : ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଦେଓଗାଁ ଗୋଷ୍ଠି କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଟିକ୍ରାପଡ଼ା ପୁଲିସ । ସୂଚନା ଅନୁଯାୟୀ, ଦେଓଗାଁର ବୁଦ୍ଧଦେବ ନାଗ (୨୯) ଗତ ବିଲମ୍ବିତ ରାତ୍ରିରେ ଘରୁ କିଛି ଯୁବକଙ୍କ ସହିତ ଆସି ଘରକୁ ଫେରି ନଥିଲେ। ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ଗୋଷ୍ଠିକେନ୍ଦ୍ର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ । ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି। ନିକଟରେ ରକ୍ତ ଛିଟା ପଥରରେ ଥିବା ଯୋଗୁ ପଥର ଛେଚି ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଯୁବକଙ୍କ ନିକଟରେ ଏକ ହଳ ଜୋତା ପଡ଼ି ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଛି ନା ପ୍ରେମ ସମ୍ପର୍କରୁ ଏଭଳି ନିର୍ମମ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳକୁ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ଓ ସଇଁନ୍ତଲା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



