ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ
ଇସଲାମାବାଦ: ଶାହବାଜ ସରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ। ପିଏମଏଲ-ଏନ ସାଂସଦ ଶାହବାଜ ସରିଫ ବିନା ପ୍ରତିଦ୍ବନ୍ଦ୍ବିତାରେ ପରବର୍ତ୍ତି ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚିତ ହୋଇଛନ୍ତି। ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟି ନିର୍ବାଚନରେ ଭାଗ ନେଲା ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ ଶାହବାଜ ସରିଫ। ପଞ୍ଜାବ ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ଥିଲେ ଶାହବାଜ ସରିଫ। ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଥିବା ବେଳେ ଅପରାହ୍ଣ ସାଢ଼େ ଦୁଇଟାରେ ପାକ୍ ସଂସଦରେ ଏନେଇ ଭୋଟିଂ ହୋଇଥିଲା। ଆଜି ବିଳମ୍ବିିତ ରାତିରେ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।
ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି। ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ଯିବାପରେ ପିଏମଏଲ-ଏନ ନେତା ଶାହବାଜ ସରିଫ ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶାହବାଜ୍ ସରିଫ କହିଛନ୍ତି ଯେ ଆଜି ପାକିସ୍ତାନକୁ ଭଗବାନ ବଞ୍ଚାଇଦେଇଛନ୍ତି ଏବଂ ଦେଶର ୨୨ କୋଟି ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍ ସଫଳତାର ସହିତ ପାରିତ ହୋଇଛି। ଆଗକୁ ଦେଶବାସୀ ଏହି ଦିନକୁ ଖୁସିର ସହ ପାଳନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରେ ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନ ହାରିବା ପରେ ଏବେ ତାଙ୍କ ଉପରେ କଟକଣା ଜାରି କରାଯାଇଛି। ତାଙ୍କୁ ପାକିସ୍ତାନ ଛାଡି ବାହାର ଦେଶକୁ ଯିବା ଉପରେ ରୋକ ଲଗାଯାଇଛି। ଇସଲାମବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଇମ୍ରାନଙ୍କ ବ୍ୟତୀତ ଫବାଦ ଚୌଧୁରୀ, ଶାହା ମହମୁଦଙ୍କ ବିରୋଧରେ ବି ଅଭିଯୋଗ ଦାଖଲ ହୋଇଛି।
ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅବିଶ୍ୱାସ ପ୍ରସ୍ତାବ ଭୋଟରେ ହାରି ପଦଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନରେ ଆଜି ପର୍ୟ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କାର୍ୟ୍ୟକାଳ କ୍ଷମତାରେ ରହିପାରି ନାହାନ୍ତି। ସେହିଭଳି ୭୫ ବର୍ଷରୁ ପାଖାପାଖି ଅଧା ସମୟ ଏଠାରେ ସେନା କ୍ଷମତାରେ ରହିଛି।
Comments are closed.