www.samajalive.in
Friday, December 12, 2025
15.1 C
Bhubaneswar

ସଚିନ୍‍ ଅରାଜି ହେବା ପରେ ଗାଙ୍ଗୁଲିଙ୍କୁ ଭାରତର ନେତୃତ୍ୱ ମିଳିଥିଲା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ପ୍ରେମୀ ଅଳ୍ପବହୁତେ ଜାଣନ୍ତି ଯେ ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ପଦରେ ବଜାୟ ରହିବାକୁ ଅରାଜି ହୋଇଥିଲେ। ଫଳରେ ୯୦ ଦଶକରେ ସୌରଭ ଗାଙ୍ଗୁଲିଙ୍କୁ ଭାରତର ଉଭୟ ଟେଷ୍ଟମ୍ୟାଚ୍‍ ଓ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରା ଯାଇଥିଲା। ତେବେ ଏହାର ଘଟଣାକ୍ରମ ଏବେ ବର୍ଣ୍ଣନା କରିଛନ୍ତି ଜାତୀୟ ସିନିୟର ମନୋନୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଚନ୍ଦୁ ବୋର୍ଦେ। ତାଙ୍କ କହିବା ଅନୁସାରେ ମନୋନୟନ କମିଟିର ସମସ୍ତ ସଦସ୍ୟ ଚାହୁଁଥିଲେ ଯେ ସଚିନ ଅଧିନାୟକ ପଦରେ ରହନ୍ତୁ। ହେଲେ ତାଙ୍କ ବ୍ୟାଟିଂ ଉପରେ ମନୋନିବେଶ କରିବା ଲକ୍ଷ୍ୟରେ ଏହି ଦାୟିତ୍ୱ ଆଗକୁ ବହନ କରିବାକୁ ମନା କରି ଦେଇଥିଲେ। ଫଳରେ ମନୋନୟନ କମିଟି ବାଧ୍ୟହୋଇ ସୌରଭ ଗାଙ୍ଗୁଲିଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଥିଲେ।

ଏକ ସାକ୍ଷାତ୍‍କାରରେ ଚନ୍ଦୁ ବୋର୍ଦେ କହିଛନ୍ତି, ଆମେ ସଚିନ୍‍ ତେନ୍ଦୁଲକରଙ୍କୁ ଅଧିନାୟକ କରି ଅଷ୍ଟ୍ରେଲିଆ ଗସ୍ତରେ ପଠାଇଥିଲୁ। ସେଠାରୁ ଫେରିବା ପରେ ସେ ଆଉ ଅଧିନାୟକ ଦାୟିତ୍ୱରେ ରହିବାକୁ ଚାହିଁନଥିଲେ। ଆମେ ତାଙ୍କୁ ବୁଝାଇବାର ପ୍ରୟାସ କରିବା ସହ ଅଧିନାୟକ ରହିବାକୁ ଅନୁରୋଧ କରିଥିଲୁ। ସେ କହିଥିଲେ- ନା; ମୋ ବ୍ୟାଟିଂ ଉପରେ ମନୋନିବେଶ କରିବାକୁ ଚାହେଁ। ଆମେ ତାଙ୍କୁ ବହୁତ ବୁଝାଇଥିଲୁ। କାରଣ ଆମେ ଚାହୁଁଥିଲୁ ଯେ ଦୀର୍ଘଦିନ ପର୍ଯ୍ୟନ୍ତ ସଚିନ ଭାରତର ଅଧିନାୟକ ରହନ୍ତୁ। ଏହାସହ ଆମେ ନୂତନ ପିଢ଼ିର ଅଧିନାୟକ ଖୋଜିବା ଆରମ୍ଭ କରିଥାଆନ୍ତୁ। ତେବେ ସଚିନ ଅତ୍ୟନ୍ତ ନମ୍ର ଭାବରେ କହିଥିଲେ, ଏବେ ସମ୍ପୂର୍ଣ୍ଣ ଭାବେ ମୋ ବ୍ୟାଟିଂ ଉପରେ ମନୋନିବେଶ କରିବାକୁ ଚାହୁଁଛି। କାରଣ ଦଳ ପାଇଁ ଯେପରି ପ୍ରଦର୍ଶନ କରିବାର ଆଶା ରଖିଥିଲି; ସେପରି ପ୍ରଦର୍ଶନ କରି ପାରିନଥିଲି। ଏତେଦିନ ବୁଝାଇବା ପରେ ସଚିନ ଅଧିନାୟକ ରହିବାକୁ ଅରାଜି ହୋଇଥିବାରୁ ମନୋନୟନ କମିଟିରେ ମୋ ସାଥୀମାନେ ମୋ ଉପରେ କ୍ଷୁବ୍‍ଧ ହୋଇଥିଲେ। ସେମାନେ ମୋତେ ପ୍ରଶ୍ନ କରିଥିଲେ- ସଚିନ ଦଳର ଅଧିନାୟକ ରହନ୍ତୁ ବୋଲି ସବୁବେଳେ କାହିଁକି ତାଙ୍କୁ ବାଧ୍ୟକରୁଛ? ମୁଁ ସେମାନଙ୍କୁ କହିଥିଲି- ଭବିଷ୍ୟତକୁ ଦେଖି ଏପରି କରୁଥିଲି। ସେ ଯାହାହେଉ; ସଚିନ ତେନ୍ଦୁଲକର ରାଜି ନହେବାରୁ ଆମେ ସୌରଭ ଗାଙ୍ଗୁଲିଙ୍କୁ ଅଧିନାୟକ କରିଥିଲୁ। ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ କୃଷ୍ଣମାଚାରୀ ଶ୍ରୀକାନ୍ତ କହିଥିଲେ, ସୌରଭ ଗାଙ୍ଗୁଲିଙ୍କଠାରେ ଦଳର ନେତୃତ୍ୱ ନେବାର ସ୍ୱାଭାବିକ ଗୁଣ ଥିଲା; ଯାହା ସେ ଅଧିନାୟକ ଥିବା ବେଳେ ପ୍ରତିଫଳିତ ହୋଇଥିଲା। ଶ୍ରୀକାନ୍ତଙ୍କ ଭାଷାରେ, ଗାଙ୍ଗୁଲି ଅତ୍ୟନ୍ତ ଚତୁର ଅଧିନାୟକ ଥିଲେ। ସେ ସଠିକ୍‍ ଦଳ ଗଠନରେ ସଫଳ ହୋଇଥିଲେ। ୧୯୭୬ରେ କ୍ଲାଇବ୍‍ ଲଏଡ୍‍ ୱେଷ୍ଟଇଣ୍ଡିଜ୍‍ ଦଳର ଅଧିନାୟକ ଥିବା ବେଳେ ଏକ ବିଶ୍ୱବିଜେତା ଦଳ ଗଠନ କରି ପାରିଥିଲେ। ଠିକ୍‍ ସେହିପରି ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବା ବେଳେ ଦେଖା ଯାଇଥିଲା। ଭଲ ପ୍ରଦର୍ଶନ ପାଇଁ ଗାଙ୍ଗୁଲି ଦଳକୁ ପ୍ରେରଣା ଦେଉଥିଲେ। ଏଥିପାଇଁ ସେ ଅଧିନାୟକ ଭାବେ ବେଶ୍‍ ସଫଳ ହୋଇଥିଲେ; ବିଦେଶରେ ମଧ୍ୟ। ଜନ୍ମରୁ ଗାଙ୍ଗୁଲିଙ୍କଠାରେ ନେତୃତ୍ୱ ନେବାର ଦକ୍ଷତା ଥିଲା। ଗାଙ୍ଗୁଲି ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଅଧିନାୟକ ଥିବା ବେଳେ ବିଦେଶରେ ଦଳର ବିଜୟ ଉପରେ ଗୁରୁତ୍ୱ ଦେଉଥିଲେ। ରାହୁଲ ଦ୍ରାବିଡ଼ ଅଧିନାୟକ ଥିବା ବେଳେ ୨୦୦୭ରେ ଇଂଲଣ୍ଡ ଗସ୍ତରେ ଆମର ବିଜୟ ମୋ ପାଇଁ ସ୍ମରଣୀୟ ହୋଇରହିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories