ଭୁବନେଶ୍ବର: ଭାରତର ନିଷ୍ଟ୍ରାଇକର ଭାବେ ପରିଚିତ ଓଡ଼ିଆ ପୁଅ ସଚିନ ବେହେରା ନୂତନ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ସଚିନ ୩ ମିନିଟ୍ରେ ୨୦୪ ଥର ଆଣ୍ଠୁ ପ୍ରଘାତ ବା ନିଷ୍ଟ୍ରାଇକ୍ କରି ନୂତନ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥି ସହିତ ସଚିନ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦ୍ଙ୍କ ନାମରେ ଥିବା ୧୭୮ ନିଷ୍ଟ୍ରାଇକ୍କୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଗିନିଜ ବୁକ୍ ଅଫ ୱାଲ୍ଡ ରେକର୍ଡ ଓ ବିଶ୍ବ କୀର୍ତ୍ତିମାନ ଲାଗି ସଚିନଙ୍କ ପାଇଁ ରବିବାର ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲ। ଏଥିରେ ଦୁଃସାହସିକ କ୍ରୀଡ଼ାବିତ୍ ସଚିନ ୫ କିଗ୍ରା ଏଙ୍କେଲ ୱେଟ ବାନ୍ଧି ୩ ମିନିଟ୍ରେ ୨୦୪ଥର ଆଣ୍ଠୁ ପ୍ରଘାତ ବା ନିଷ୍ଟ୍ରାଇକ୍ କରି ନୂତନ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏଥିସହିତ ସଚିନ ଦ୍ବିତୀୟ ଥର ପାଇଁ ଗୀନିଜ ବୁକ୍ ଅଫ ୱାଲ୍ଡ ରେକର୍ଡରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି।
ନୂଆପଡା ବ୍ଳକ ବୋଡେନ ବ୍ଲକ ଲରକା ଗ୍ରାମର ଲକ୍ଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁତ୍ର ସଚିନ ପ୍ରଥମେ ଜଣେ ୧୦୦ ମିଟର ଧାବକ ଥିଲେ। ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଉଚ୍ଚଶିକ୍ଷା ଲାଗି ଭୁବନେଶ୍ବର ପଳାଇ ଆସିଥିଲେ। ହାଇଟେକ୍ କଲେଜ ଅଫ ଫିଜିଓଥେରାପିରେ ଇଣ୍ଟର୍ନସିପ୍ କରୁଥିବା ସଚିନ ପୂର୍ବରୁ ୨୦୧୯ ମାର୍ଚ୍ଚ ୧୦ରେ ପ୍ରଶିକ୍ଷକ ସତ୍ୟପୀର ପ୍ରଧାନଙ୍କ ତତ୍ତ୍ବାବଧାନରେ ୩ ମିନିଟ୍ରେ ୧୩୭ ନିଷ୍ଟ୍ରାଇକ୍ କରି ଗିନିଜ ବୁକ୍ରେ ନିଜ ନାମକୁ ଲିପିବଦ୍ଧ କରିଥିଲେ। ବିଶ୍ବ କୀର୍ତ୍ତିମାନ ସ୍ଥାପନ ଲାଗି ଦିନକୁ ୧୦ ଘଣ୍ଟା କଠିନ ପରିଶ୍ରମ କରୁଥିଲି। ଦୀର୍ଘ ୪ ମାସ ଅକ୍ଳାନ୍ତ ପରିଶ୍ରମ କରି ନିଜ ନାମକୁ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିଲି। ଯାହା ଆଜି ସ୍ବପ୍ନ ପୂରଣ ହୋଇଛି ବୋଲି ସଚିନ କହିଛନ୍ତି ।ଏହି ସଫଳତା ଲାଗି ସଚିନ ହାଇଟେକ୍ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ନବଜ୍ୟୋତି କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇବା ସହିତ ସଫଳତାକୁ ସଚିନ ପିତାମାତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଆଥ୍ଲେଟିକ ଆସୋସିଏସନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଓଲିଉଡ୍ କଳାକାର ଅଖିଳେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସଚିନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱିଟ୍ନେସ ଭାବେ ସୌମ୍ୟରଞ୍ଜନ ଦାସ, ସନ୍ଦୀପ ମହାନ୍ତି, କିଟ୍ପ୍ୟାଡ କିପର ଅମନ ପାଣ୍ଡେ, ଟାଇମ କିପର ଗୁୁରୁପ୍ରସାଦ ପଟ୍ଟନାୟକ, ସସ୍ମିତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।



