www.samajalive.in
Sunday, December 14, 2025
26.1 C
Bhubaneswar

ହାଇକୋର୍ଟ ରାୟ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉ: ରାଷ୍ଟ୍ରପତି

କଟକ : ଆଜିର ଅତ୍ୟାଧୁନିକ ଯୁଗରେ ପୂର୍ବପିଢ଼ି ଭଳି ସମୟ ନାହିଁ। ତୁଳନାତ୍ମକ ଭାବେ ଆଇନ ପରିସର ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଯେଉଁ ଆଇନଗୁଡ଼ିକ ତିଆରି ହେଉଛି ସେସବୁର ନିୟମାବଳୀ ସରଳୀକୃତ ହେବା ଉଚିତ। ଆଇନ ସଚେତନତାକୁ ଅଗ୍ରାଧିକାର ଦିଆଯିବା ସହ ହାଇକୋର୍ଟଙ୍କ ରାୟ ଆଞ୍ଚଳିକ ଭାଷାରେ ଅନୂଦିତ ହେବା ଦରକାର। ଧନୀ ଓ ଗରିବ ମଧ୍ୟରେ ସମନ୍ୱୟ ସୃଷ୍ଟି ହୋଇପାରିବ ଏବଂ ସବୁବର୍ଗର ଲୋକେ ଆଇନ ଦ୍ୱାରା ଉପକୃତ ହୋଇପାରିବେ। ଏହା ବିକଶିତ ଭାରତ ଗଠନ ଦିଗରେ ସହାୟକ ହୋଇପାରିବ ବୋଲି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ତୃତୀୟ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତବ୍ୟକ୍ତ କରିଛନ୍ତି।
ଶନିବାର ଅପରାହ୍ଣରେ ବିଶ୍ୱବିଦ୍ୟାଳୟର ଆମ୍ପିଥିଏଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଯେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟଗୁଡ଼ିକ ଦେଶର ଆଇନ ଶିକ୍ଷାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ସମାଜର ଅବହେଳିତ, ନିଷ୍ପେସିତଙ୍କ ହକ୍‌ ପାଇଁ ଆଇନ ଛାତ୍ରଛାତ୍ରୀ ଲଢ଼େଇ କରନ୍ତୁ। ସମାଜରୁ ଯାହା ମିଳିଛି ସେବାମୂଳକ କାର୍ଯ୍ୟ ଦ୍ୱାରା ତାହା ସମାଜକୁ ଫେରାଇବାକୁ ଚେଷ୍ଟା କରିବା ଉଚିତ ବୋଲି ସେ ଯୁବ ଆଇନଜୀବୀଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ପ୍ରଖ୍ୟାତ ଆଇନଜ୍ଞ ଉତ୍କଳଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭ କରି ଜଷ୍ଟିସ ଦୀପକ ମିଶ୍ରଙ୍କ ପର୍ଯ୍ୟନ୍ତ ଆଇନଜ୍ଞ ସୃଷ୍ଟି କରିପାରିଛି। ଏହି ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୫ଟି ରାଜ୍ୟର ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ଅଳ୍ପ ଦିନ ମଧ୍ୟରେ ଏହା ଦେଶର ଏକ ଆଗଧାଡ଼ିର ଅନୁଷ୍ଠାନ ଭାବେ ନିଜକୁ ସାବ୍ୟସ୍ତ କରିପାରିଛି। ୟୁନିସେଫ ସହଯୋଗରେ ଶିଶୁ ଅଧିକାର ପାଠ୍ୟକ୍ରମକୁ ପତ୍ରବିନିମୟ ଶିକ୍ଷା ମାଧ୍ୟମରେ ପ୍ରଦାନ କରୁଥିବାରୁ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତଥା ବିଶ୍ୱବିଦ୍ୟାଳୟର ପରିଦର୍ଶକ ଜଷ୍ଟିସ ଦୀପକ ମିଶ୍ର ଏଥିରେ ପୌରୋହିତ୍ୟ କରି କୌଣସି ଅନୁଷ୍ଠାନର ପ୍ରତିଷ୍ଠା ଦିବସର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେ କହିଲେ ଯେ ସ୍ୱତନ୍ତ୍ରତା, ସମାନତା ଓ ନ୍ୟାୟର ତର୍ଜମା ଛାତ୍ରଛାତ୍ରୀ କରିବା ଉଚିତ। ପାଠପଢ଼ାକୁ ଏକ କାର୍ଯ୍ୟଭାବେ ନ ବିଚାରକରି ଶିଖିବା ପାଇଁ ଏକ ସୁଯୋଗ ଭାବେ ବିଚାର କରିବା ଉଚିତ। ଦୁର୍ବଳ ଭିତ୍ତିଭୂମି ଉପରେ ଦୃଢ଼ ସ୍ତମ୍ଭ କଳ୍ପନା କରାଯାଇ ନପାରେ ବୋଲି କହିବା ସହ ଆଇନ ଛାତ୍ରଛାତ୍ରୀ ବିବିଧ ଜ୍ଞାନ ବଳରେ ନିଜକୁ ସବଳ କରିବାକୁ ସେ ପରାମର୍ଶ ଦେଇଥିଲେ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ ବିନୀତ ଶରଣ ବିଭିନ୍ନ ସ୍ତରରେ ବିଶ୍ୱବିଦ୍ୟାଳୟର ଯାତ୍ରା କିଭଳି ଅବ୍ୟାହତ ରହିଛି ତାହାର ଅବତାରଣା କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଏହି ଅନୁଷ୍ଠାନ କିଭଳି ପ୍ରତିଷ୍ଠିତ ହୋଇପାରିଛି ସେ ସମ୍ପର୍କରେ ସେ ସୂଚନା ରଖିଥିଲେ। ରାଷ୍ଟ୍ରପତିଙ୍କର ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ଡ. ଏସ୍‌. ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକୃଷ୍ଣ ଦେବାରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କୁଳସଚିବ ଡ. ଡଲି ଜବାଲ ଧନ୍ୟବାଦ ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories