ଶ୍ରୀମନ୍ଦିର ନୀତିକାନ୍ତି ବିଭ୍ରାଟ ଓଡ଼ିଆଙ୍କ ଭାବାବେଗକୁ ପ୍ରଭାବିତ କରିଛି : ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ : ଗତ କିଛି ଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତିରେ ଦେଖାଦେଇଥିବା ବିଭ୍ରାଟ ଓଡ଼ିଆଙ୍କ ଭାବାବେଗକୁ ପ୍ରଭାବିତ କରିଛି। ଓଡ଼ିଆ ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କର ଦାୟିତ୍ୱ ସଠିକ୍‌ ଭାବେ ନିର୍ବାହ କରିଥିଲେ ମହାପ୍ରଭୁ ଭୋକରେ ରହି ନ ଥା’ନ୍ତେ କି ଭକ୍ତଙ୍କୁ ମହାପ୍ରସାଦ ମିଳିବାରେ ଅସୁବିଧା ହୋଇ ନ ଥାନ୍ତା ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁଙ୍କ ରୀତିନୀତି ନିର୍ଦ୍ଧାରିତ ବିଧିବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେଉ ବୋଲି ସବୁ ଜଗନ୍ନାଥପ୍ରେମୀଙ୍କର ଏକାନ୍ତ ଇଚ୍ଛା। ମହାପ୍ରଭୁ କେବଳ ଓଡ଼ିଆ ଜାତିର ନୁହନ୍ତି। ତାଙ୍କର ଅଗଣିତ ଭକ୍ତଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ଏହିଧାମର ସମସ୍ତ କାର୍ଯ୍ୟକୁ ସଠିକ୍‌ ଭାବେ ସମାପନ କରିବା ମହାପ୍ରଭୁଙ୍କ ସେବାୟତ ଓ ପ୍ରଶାସନର ଦାୟିତ୍ୱ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମନ୍ଦିର ସେବାୟତମାନଙ୍କ ସହିତ ଆପୋଷ କଥାବର୍ତ୍ତା ମାଧ୍ୟମରେ ସମାଧାନର ରାସ୍ତା କାଢ଼ିବା ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ମନ୍ଦିର ପାଇଁ ତିଆରି କରାଯାଇଛି। ମନ୍ଦିରରେ ଭକ୍ତମାନଙ୍କ ସୁବିଧା ଓ ସୁପରିଚାଳନା ପାଇଁ ସଂସ୍କାର କମିସନଙ୍କ ସୁପାରିସ ଉପଲବ୍ଧ ଅଛି। ମନ୍ଦିର ଭିତରର ବ୍ୟବସ୍ଥା, ଦର୍ଶନ ଓ ଅନ୍ୟାନ୍ୟ ପରିଚାଳନାଗତ ଅସଙ୍ଗତିକୁ ଦୂର କରିବାକୁ ରାଜ୍ୟ ସରକାରଙ୍କୁ ହିଁ ଦୃଢ଼ ଇଚ୍ଛାଶକ୍ତିର ସହିତ କାମ କରିବା ପାଇଁ ଆଗେଇ ଆସିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି।

Leave A Reply