ନୋଟ୍‍ ଉପଲବ୍ଧତାରେ ସୁଧାର ଆସୁଛି : ବ୍ୟାଙ୍କ

0

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ଦେଶର ବିଭିନ୍ନ ଏଟିଏମ୍‍ରେ ଦେଖାଦେଇଥିବା ଟଙ୍କା ଅଭାବଜନିତ ସମସ୍ୟାରେ ସୁଧାର ଆସୁନି। ଆକାଉଣ୍ଟରେ ଅର୍ଥ ଥାଇ ମଧ୍ୟ ଗ୍ରାହକ ଏଟିଏମ୍‍ରୁ ଟଙ୍କା ଉଠାଇ ପାରୁନାହାନ୍ତି। ବିମୁଦ୍ରାୟନ ସମୟରେ ଦେଶରେ ଯେଭଳି ଏଟିଏମ୍‍ରୁ ଟଙ୍କା ଉଠାଣ ନେଇ ସମସ୍ୟା ଦେଖାଦେଇଥିଲା ବର୍ତ୍ତମାନ ପୁଣି ସେହି ସମସ୍ୟା ଅନୁଭୂତ ହୋଇଛି। ଏ ନେଇ ଦେଖାଦେଇଥିବା ଅଚଳବସ୍ଥା ଦୂର ହୋଇ ନ ଥିବାବେଳେ କେଉଁଠି ଏଟିଏମ୍‍ ବନ୍ଦ ରହିଛି ତ କେଉଁଠି ଏଟିଏମ୍‍ରେ ଟଙ୍କା ଖାଲି। ଏଭଳି ପରିସ୍ଥିତି ଗ୍ରାହକମାନଙ୍କ ମନରେ ଟଙ୍କାର ଉପଲବ୍‍ଧତାକୁ ନେଇ ପୁଣି ଥରେ ଏକ କୋକୁଆଭୟ ସୃଷ୍ଟି କରିଛି। ଅପରପକ୍ଷେ ନୋଟ୍‍ ଅଭାବ ସ୍ଥିିତିକୁ ନେଇ ବିରୋଧୀ ଆଜି ସରକାରଙ୍କ ଉପରେ ଅକ୍ରମଣକୁ ଜୋରଦାର କରିଛନ୍ତି। ନୋଟ୍‍ ଉପଲବ୍ଧତାରେ ସୁଧାର ଆସୁଥିବା ବ୍ୟାଙ୍କମାନେ କହିଛନ୍ତି।
ବିମୁଦ୍ରାୟନ ପରେ ସରକାର ବଜାରକୁ ଛାଡିଥିବା ୨୦୦୦ ଟଙ୍କିଆ ନୋଟ୍‍ କେବଳ ମହଜୁଦକାରୀଙ୍କ ସୁବିଧାକୁ ଲକ୍ଷ୍ୟ ରଖି ଛଡାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ସହଯୋଗୀ ସଂସ୍ଥା ଏସ୍‍ବିଆଇ ରିସର୍ଚ୍ଚର୍ ପକ୍ଷରୁ କରାଯାଇଥିବା ଏକ ଆକଳନ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ସମ୍ପ୍ରତି ୭୦,୦୦୦ କୋଟି ଟଙ୍କାର ନଗଦ ଅର୍ଥ ର ଅଭାବ ରହିଛି। ତେବେ ଦେଶର ୨.୨ ଲକ୍ଷ ଏଟିଏମ୍‍ ମଧ୍ୟରୁ ଗତକାଲିର ୬୦% ତୁଳନାରେ ଆଜି ୮୦% ଏଟିଏମ୍‍ କାର୍ଯ୍ୟକ୍ଷମ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଜି ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଏଟିଏମ୍‍ଗୁଡିକରେ ଅଧିକ ୫୦୦ ଟଙ୍କିଆ ନୋଟ୍‍ ଭରିବାକୁ ନିର୍ଦେଶ ଦେଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଟିଏମ୍‍ରେ ନୋଟ୍‍ ଉପଲବ୍‍ଧତାରେ ସୁଧାର ଆସିଥିବା ବ୍ୟାଙ୍କଗୁଡିକ ପକ୍ଷରୁ କୁହାଯାଇଛି। ଏହି ପ୍ରସଙ୍ଗରେ ମତ ରଖି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‍ କହିଛନ୍ତି ଯେ, ବିମୁଦ୍ରାୟନର ଭୂତ ପୁଣି ଫେରିଛି। ମହଜୁଦକାରୀଙ୍କୁ ସହାୟତା ଦେବାକୁ ସରକାର ୨୦୦୦ ଟଙ୍କିଆ ନୋଟ୍‍ ଛପାଇଛନ୍ତି। ଯଦି ରିଜର୍ଭ ବ୍ୟାଙ୍କ ପର୍ଯ୍ୟାପ୍ତ ନୋଟ୍‍ ଛପାଇଥିବା କଥା କହୁଛି ତେବେ ଏହି ଅଭାବ କାହିଁକି ଦେଖାଦେଉଛି ବୋଲି ଏହା ନିଶ୍ଚିିତ କହିବା ଉଚିତ ବୋଲିି ସେ ଦାବି କରିଛନ୍ତି। ଏହା ଉପରେ ମତ ରଖି ତୃଣମୂଳ କଂଗ୍ରେସ ନେତା ତଥା ଅର୍ଥ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିି ସଦସ୍ୟ ଦୀନେଶ ତ୍ରିବେଦି କହିଛନ୍ତି ଯେ, ସରକାର ବୋଧହୁଏ ୨୦୦୦ ଟଙ୍କିଆ ନୋଟ୍‍ ଅଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦେଶରେ ନୋଟ୍‍ ଅଭାବ ନେଇ ସେ ସରକାରଙ୍କୁ ଜବାବ୍‍ ମାଗିଛନ୍ତି। ଏସ୍‍ବିଆଇ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଦେଶରେ ଡେବିଟ୍‍ କାର୍ଡ ଜରିଆରେ ଏଟିଏମ୍‍ ୧୫.୨୯ ଲକ୍ଷ କୋଟି ଟଙ୍କା ଉଠାଣ ହୋଇଛି, ଯାହାକି ପୂର୍ବ ଅର୍ଦ୍ଧର୍ବାର୍ଷିକ ତୁଳନାରେ ୧୨.୨% ଅଧିକ। ତେବେ ଆର୍‍ବିଆଇର କହିବାନୁଯାୟୀ, ପରିବହନ ଜନିତ ସମସ୍ୟା ଲାଗି ଏଟିଏମକରେ ନଗଦ ଅର୍ଥ ଉପଲବ୍‍ଧତା ଜନିତ ସମସ୍ୟା ଦେଖାଦେଇଛି। ବଜାରକୁ ନୂଆ ୨୦୦ ଟଙ୍କିଆ ନୋଟ୍‍ ଆସିବା ପରେ ଏଟିଏମ୍‍ ମେସିନ୍‍ଗୁଡିକରେ ସେଗୁଡିକୁ ସଂସ୍ଥାପନ କରିବାରେ ବିଳମ୍ବ ଦେଶରେ ନୋଟ୍‍ ଅଭାବ ନେଇ ଦେଖାଦେଇଥିବା ସମସ୍ୟାର ଅନ୍ୟତମ କାରଣ

Leave A Reply