ମା’ ହିଙ୍ଗୁଳାଙ୍କ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

0

ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଶୁକ୍ରବାର ପ୍ରସିଦ୍ଧ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ମା’ଙ୍କର ଉଭା ସ୍ଥଳୀ ଏବଂ ପୀଠସ୍ଥଳୀରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପ୍ରାତଃ ସମୟରୁ ରାତି ପର୍ଯ୍ୟନ୍ତ ଲାଗି ରହିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମା’ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ଥିବା ଗୋପାଳପ୍ରସାଦ ହାଇସ୍କୁଲ ନିକଟ ଗଜରାଜ ଷ୍ଟାଡ଼ିୟମଠାରେ ମା’ ହିଙ୍ଗୁଳା ଉଭା ହୋଇଛନ୍ତି। ଆଜିଠାରୁ ୯ ଦିନ ଧରି ମା’ ହିଙ୍ଗୁଳା ଅଗ୍ନିରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଉଭାସ୍ଥଳୀରେ ଶ୍ରଦ୍ଧାଳୁମାନଙ୍କ ଭିଡକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି।
ମା’ କରଡେଇ ପୀଠ ଏବଂ ଗୋପାଳପ୍ରସାଦ ସିଙ୍ଗଡା ଜୋର ପାଖରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ମାନସିକଧାରୀ ପିଲାମାନଙ୍କର ମୁଣ୍ଡନ କରିଥିଲେ। ସେହିପରି ମା’ଙ୍କ ପୀଠରେ ମା’ଙ୍କ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ ମା’ଙ୍କ ମଣ୍ଡପକୁ ଅଣାଯାଇଥିଲା। ପୀଠସ୍ଥଳୀଠାରେ ସାବରମତ ଅନୁଯାୟୀ ମୁଖ୍ୟ ଦେହୁରୀ ଷୋଡ଼ଶ ଉପଚାର କରିଥିଲେ। ଆଜି ପାଗ ଭଲ ଥିବାରୁ ମା’ଙ୍କ ଏହି ଅନନ୍ୟ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଭକ୍ତମାନେ ମା’ଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କୁ ବିନା ପୂଜକ ମାଧ୍ୟମରେ ନଡ଼ିଆ, କଦଳୀ, ଗୁଡ଼, ଘିଅ, ଝୋଟ, ସିନ୍ଦୁର, ଚୁଡ଼ି, ଛିଟ, ପୁଷ୍ପ ଆଦି ନୈବେଦ୍ୟ ଅର୍ପଣ କରିଥିଲେ। ସଂଧ୍ୟାରେ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଏବଂ ରାଜପରିବାର ଉଭାସ୍ଥଳୀକୁ ଆସି ମା’ଙ୍କର ପୂଜାର୍ଚ୍ଚନା କରିଥିଲେ। ସେହିପରି ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ହିଙ୍ଗୁଳା ମନ୍ଦିର ଟ୍ରଷ୍ଟି ତଥା ତାଳଚେର ଉପଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମା’ଙ୍କର ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ଭିଡ଼କୁ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ମନ୍ଦିର କମିଟି, ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଏମ୍‌ସିଏଲର ବିଭିନ୍ନ କ୍ଷେତ୍ର ଦ୍ୱାରା ଜଳ ଛତ୍ର, ଅନ୍ନ ପ୍ରସାଦ, ଦହି, ସରବତ, ତରଭୁଜ, ଆଇସ୍‌କି୍ରମ ଆଦି ତାଳଚେରଠାରୁ ହିଙ୍ଗୁଳା ପୀଠ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା। ଅଂଶୁଘାତର ମୁକାବିଲା କରିବା ପାଇଁ ଉଭାସ୍ଥଳୀରେ ଜଳ ଛିଂଚନ, ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ବିଶ୍ରାମ ଗୃହ ଆଦି ଖୋଲା ଯାଇଛି। ସଂଧ୍ୟାରେ ୧୬ ତମ ହିଙ୍ଗୁଳା ଲୋକମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଉଦ୍‌ଘାଟନ କରିଥିଲା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ୯ ଦିନ ଚାଲିବାକୁ ଥିବା ଏହି ଲୋକମହୋତ୍ସବରେ ସ୍ଥାନୀୟ କଳାକାର, ରାଜ୍ୟର ଜଣାଶୁଣା ନୃତ୍ୟ ଅନୁଷ୍ଠାନ ଏବଂ ରାଜ୍ୟ ବାହାରର କଳାକାରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply