www.samajalive.in
Sunday, December 14, 2025
19.1 C
Bhubaneswar

ରଥ ଉପରେ ସେବାୟତଙ୍କ ଗଣ୍ଡଗୋଳ

ଭୁବନେଶ୍ୱର  : ଚଳିତବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ଅଶୋକାଷ୍ଟମୀରେ ତିନି ଥର ରଥ ଦଉଡ଼ି ଛଡ଼ିବା ପରେ ରଥଟଣାକୁ ବନ୍ଦ ରଖାଯାଇଥିଲା। ଆଜି ପୁଣି ରଥଟଣା ଆରମ୍ଭ ହୋଇଥିବାବେଳେ ଦୁଇ ଦୁଇଟି ଅଘଟଣ ଘଟିଛି। ବଢ଼େଇବାଙ୍କ ନିକଟରେ ରଥରୁ କାଳିସୀ ଖସିପଡ଼ିବା ଓ ରଥରେ ସେବାୟତଙ୍କ ଗଣ୍ଡଗୋଳ ଘଟଣା ଉପସ୍ଥିତ ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି।
ରବିବାର ଶ୍ରୀଜୀଉଙ୍କ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା। ପୁରୀରୁ ଅଣାଯାଇଥିବା ଦଉଡ଼ି ବ୍ୟବହାର କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୩୫ମିନିଟ୍‍ ବିଳମ୍ବରେ ରଥ ଟଣାଯାଇଥିଲେ ମଧ୍ୟ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ମାଉସୀମା’ ମନ୍ଦିରରେ ପହଞ୍ଚିଥିଲା। ଅପରାହ୍ଣ ୩ଟା ୨୫ ସୁଦ୍ଧା ବଢ଼େଇବାଙ୍କ ଛକରେ ରଥ ପହଞ୍ଚିଥିଲେ ମଧ୍ୟ ସେଠାରେ ରଥଟି ବାରମ୍ବାର ମୋଡ଼ ନେବାରୁ ଆଉ ଆଗକୁ ବଢ଼ି ନ ଥିଲା। ଖରଡ଼ା ସେବକମାନେ ରଥର ଚକ ତଳେ ଖରଡ଼ା ଦେଇ ରଥକୁ ପ୍ରାୟ ଦଶ ହାତ ପଛକୁ ନେଇ ରଥଦାଣ୍ଡର ମଝିକୁ ଆଣିଥିଲେ।
ଏହି ସମୟରେ ରଥଟି କିଛି ସମୟ ପାଇଁ ଦୋହଲିବାରୁ ରଥ ଉପରେ ବସି ରହିଥିବା କାଳିସୀ ନୃସିଂହ ଖୁଣ୍ଟିଆ ହଠାତ୍‍ ରଥ ଉପରୁ ତଳକୁ ଖସିପଡ଼ିଥିଲେ। ଆହତ ଖୁଣ୍ଟିଆଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍‍ ହସ୍ପିଟାଲ୍‍ ନିଆଯାଇଥିଲା। ତେବେ ରଥ ଟଣା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି କୁନା ଖୁଣ୍ଟିଆଙ୍କୁ ସାରଥି ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ରଥ ମାଉସୀମା’ ମନ୍ଦିରରେ ପହଞ୍ଚିବା ପରେ ଆଉ ଏକ ଅଘଟଣ ଘଟିଥିଲା। ବ୍ରାହ୍ମଣ ନିଯୋଗର ସେବାୟତଙ୍କ ମଧ୍ୟରେ ରଥ ଉପରେ ବସିବାକୁ କେନ୍ଦ୍ର କରି କଥା କଟାକଟି ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଗଣ୍ଡଗୋଳକାରୀ ସେବାୟତଙ୍କୁ ପୁଲିସ ରଥ ଉପରୁ ତଳକୁ ଓହ୍ଲାଇ ଦେବା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିଲା। ଏ ସଂକ୍ରାନ୍ତରେ ଥାନାରେ କୌଣସି ପକ୍ଷରୁ ଅଭିଯୋଗ ହୋଇନାହିଁ ବୋଲି ଶ୍ରୀଲିଙ୍ଗରାଜ ଥାନାଧିକାରୀ ଜନାର୍ଦନ ପାଢ଼ୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରଥଯାତ୍ରାର ୨ଦିନ ପୂର୍ବରୁ କୌଣସି କାରଣକୁ କେନ୍ଦ୍ରକରି କେତେକ ନିର୍ଦିଷ୍ଟ ସେବକ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବନ୍ଦ କରିଦେଇଥିଲେ। ୧୨ ଘଣ୍ଟା ଧରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଉପବାସରେ ବସାଇ ଦିଆଯାଇଥିଲା।
ମନ୍ଦିର ଟ୍ରଷ୍ଟବୋର୍ଡ଼ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଚଳିତବର୍ଷ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଉତ୍ସବରେ ନୀତି ବିଭ୍ରାଟ ଓ ଅଘଟଣ ଦେଖାଦେଇଛି। ୨୦୧୨ରୁ ରଥଯାତ୍ରା ନୀତିକାନ୍ତିକୁ ନେଇ ସମସ୍ୟା ଲାଗି ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories