ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଲିସ ଉତ୍ତର କନ୍ନଡ ଜିଲା ଅନ୍ତର୍ଗତ ଗୋକର୍ଣ୍ଣ ସହରର ରାମତୀର୍ଥ ପାହାଡ ଗୁମ୍ପାରୁ ଜଣେ ରୁଷୀୟ ମହିଳା ଏବଂ ତାଙ୍କର ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଛି। ଜୁଲାଇ ୯ ସନ୍ଧ୍ୟା ସମୟରେ ପୁଲିସ ଟିମ୍ ଏହି ପାହାଡିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ହଠାତ୍ ଗୁମ୍ଫା ନିକଟରେ କେହି ଚଳପ୍ରଚଳ କରୁଥିବା ଲକ୍ଷ୍ୟ କରିଥିଲେ। ଘଟଣାସ୍ଥଳକୁ ଯିବାପରେ ଏହି ଗୁମ୍ଫାରେ ମହିଳା ଓ ଦୁଇ ଶିଶୁ କନ୍ୟା ବାସ କରୁଥିବା ଜଣାପଡିଥିଲା। ନିନା କୁଟିନା ନାମ୍ନୀ ଏହି ମହିଳାଙ୍କ ବୟସ ୪୦ ବର୍ଷ ହୋଇଥିବାବେଳେ ଦୁଇ ଶିଶୁ କନ୍ୟା ପ୍ରେମା ଓ ଆମାର ବୟସ ଯଥାକ୍ରମେ ୬ ଓ ୪ ବର୍ଷ।
ଜେରା କରାଯିବାରୁ ନିନା କହିଛନ୍ତି ଯେ ଆଧ୍ୟାତ୍ମିିକ ଶାନ୍ତି ପାଇବାକୁ ସେ ଦୁଇ କନ୍ୟାଙ୍କ ସହ ଗୋଆରୁ ଗୋକର୍ଣ୍ଣ ଆସିଥିଲେ। ଧ୍ୟାନ ଓ ପ୍ରାର୍ଥନା ଉପରେ ଗୁରୁତ୍ବ ଦେବାକୁ ସେ ଜନବସତି ଛାଡି ପାହାଡ ଗୁମ୍ଫାରେ ରହିବାକୁ ଉଚିତ ମଣିଥିେଲ ବୋଲି ନିନା କହିଛନ୍ତି। ରାମତୀର୍ଥ ପାହାଡରେ ୨୦୨୪ ଜୁଲାଇରେ ଭୟାବହ ଭୂସ୍ଖଳନ ଘଟିଥିବାବେଳେ ଜଙ୍ଗଲରେ ହିଂସ୍ର ଜନ୍ତୁ ବାସ କରୁଛନ୍ତି। ଏଭଳି ପରିସ୍ଥିତିରେ ମହିଳା ଜଣକ ଦୁଇ ନାବାଳିକା କନ୍ୟାଙ୍କ ସହ କିପରି ଗୁମ୍ଫାରେ ରହୁଥିଲେ, ତାହା ପୁଲିସକୁ ବିସ୍ମିତ କରିଛି। ବହୁତ ବୁଝାସୁଝା କରିବାପରେ ପୁଲିସ ମହିଳା ଓ ଦୁଇ ଶିଶୁଙ୍କୁ ଗୁମ୍ଫାରୁ ଉଦ୍ଧାର କରି କୁମ୍ତା ତାଲୁକସ୍ଥିତ ସ୍ବାମୀ ଯୋଗରତ୍ନ ସରସ୍ବତୀଙ୍କ ଆଶ୍ରମରେ ଥଇଥାନ କରିଥିବା ଜଣାପଡିଛି। ଅପରପକ୍ଷରେ ତାଙ୍କର ପାସପୋର୍ଟ ଓ ଭିସା ହଜିଯାଇଛି ବୋଲି ନିନା କହିଥିଲେ। ପାହାଡ ଗୁମ୍ଫାରେ ଖୋଜାଖୋଜି କରିବାପରେ ଏହି କାଗଜପତ୍ର ମିଳିଛି। ତଦନୁଯାୟୀ ନିନା ବିଜିନେସ ଭିସାରେ ଭାରତକୁ ୨୦୧୭ ଏପ୍ରିଲ ୧୭ରେ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ନେପାଳ ଯାଇଥିବାବେଳେ ୨୦୧୮ରେ ପୁଣି ଭାରତ ଫେରିଆସିଥିଲେ।



