ସାନା: ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟା (୩୭)ଙ୍କ ବଞ୍ଚିବାର ଏକମାତ୍ର ଆଶା ହେଉଛି ପୀଡିତଙ୍କ ପରିବାର ସଦସ୍ୟଙ୍କ କ୍ଷମା। ୨୦୧୭ରେ ନିମିଷାଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ୟେମେନ ନାଗରିକ ହେଲେ ତଲାଲ ଆବଡୋ ମେହଦି। ତଲାଲଙ୍କ ପରିବାର ଯଦି ଏବେ କ୍ଷମା ପ୍ରଦାନ କରିବେ ତେବେ ନିମିଷା ମୃତ୍ୟୁ ଦଣ୍ଡାଦେଶରୁ ବର୍ତ୍ତି ପାରିବେ। ନିଶ୍ଚିତ ମୃତ୍ୟୁରୁ ରକ୍ଷା ପୂର୍ବକ କ୍ଷମା ପ୍ରଦାନ କରିବା ଲାଗି ନିମିଷା ପ୍ରିୟାଙ୍କ ପକ୍ଷରୁ ତଲାଲଙ୍କ ପରିବାରକୁ ୧ ନିୟୁତ ଡଲାର (୮.୬ କୋଟି ଟଙ୍କା)ର ଅଫର ଦିଆଯାଇଛି। ଏହି ଅଫରକୁ ‘ବ୍ଲଡ ମନି’ ବୋଲି କୁହାଯାଉଛି। ଏହି ‘ବ୍ଲଡ ମନି’ ବଦଳରେ ତଲାଲଙ୍କ ପରିବାର ସଦସ୍ୟ ଯଦି ନିମିଷାଙ୍କୁ କ୍ଷମା ପ୍ରଦାନ କରିଦିଅନ୍ତି ତେବେ ତାଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଆନ୍ତର୍ଜାତିକ ଆକ୍ସନ କାଉନସିଲ୍ କହିଛି। ବ୍ଲଡ ମନି ବଦଳରେ ନିମିଷାଙ୍କ ଜୀବନ ରକ୍ଷା ପାଇଁ ମଧ୍ୟସ୍ଥ ସାଜିଛନ୍ତି ସାମୁଏଲ ଜେରୋମ୍। ବ୍ଲଡ ମନି ବଦଳରେ କ୍ଷମା ପ୍ରଦାନ କରିବେ କି ନାହିଁ ସେ ସମ୍ପର୍କରେ ତଲାଲଙ୍କ ପରିବାର କୌଣସି ଉତ୍ତର ଏବେ ସୁଦ୍ଧା ଦେଇ ନାହାନ୍ତି। ନିମିଷାଙ୍କୁ ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ନିମିଷାଙ୍କୁ ବଞ୍ଚାଇବା ନିମନ୍ତେ ଆବଶ୍ୟକ ହସ୍ତକ୍ଷେପ କରିବା ଲାଗି ତାଙ୍କ ପରିବାର ସଦସ୍ୟ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।
କେରଳ ପାଲାକାଡ ଜିଲାର ନିମିଷା ୨୦୦୮ରେ ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ବିଭିନ୍ନ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରିଥିଲେ। କିଛି ବର୍ଷ କାମ କରିବା ପରେ ସେ ନିଜର ଏକ କ୍ଲିନିକ୍ ଖୋଲିଥିଲେ। ୟେମେନରେ କ୍ଲିନିକ୍ ଖୋଲିବା ପାଇଁ ନିୟମ ଅନୁଯାୟୀ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ପାର୍ଟନର କରିବା ଜରୁରୀ। ଏଥିପାଇଁ ନିମିଷା ନିଜର ବ୍ୟାବସାୟିକ ପାର୍ଟନର ଭାବେ ତଲାଲଙ୍କୁ ବାଛିଥିଲେ। ମାତ୍ର ତଲାଲ ବ୍ୟବସାୟରେ ସହଯୋଗ କରିବା ପରିବର୍ତ୍ତେ ନିଷିମାଙ୍କୁ ହଇରାଣ ହରକତ କଲେ। ନିମିଷାଙ୍କର ପାସପୋର୍ଟକୁ ତଲାଲ ରଖିଥିବାବେଳେ ଏହାକୁ ଫେରାଉ ନଥିଲେ। ତେଣୁ ନିଜର ପାସପୋର୍ଟକୁ ହାସଲ କରିବା ଲାଗି ନିମିଷା ତାଙ୍କୁ ନିଶା ଇଞ୍ଜେକସନ୍ ଦେଇଥିଲେ। ନିଶା ଇଞ୍ଜେକସନ୍ର ମାତ୍ରା (ଡୋଜ୍) ଅଧିକ ହୋଇଯିବାରୁ ତଲାଲଙ୍କର ମୃତ୍ୟୁ ହୋଇଥିଲା। ପରେ ନିମିଷା ତଲାଲଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଏକ ପାଣି ଟାଙ୍କିରେ ପକାଇ ଦେଇଥିଲେ। ୟେମେନସ୍ଥିତ ଭାରତୀୟ ଦୂତାବାସର କହିବା ଅନୁଯାୟୀ ନିମିଷାଙ୍କୁ ହୁତି ଆତଙ୍କବାଦୀଙ୍କ ଅଧ୍ୟୁଷିତ ସାନାରେ ବନ୍ଦୀ କରି ରଖାଯାଇଛି। ତାଙ୍କ ମାମଲାକୁ ହୁତି ଆତଙ୍କବାଦୀ ପରିଚାଳନା କରିଥିଲେ। ୨୦୧୭ରେ ତାଙ୍କୁ ବିଚାର ବିଭାଗୀୟ କୋର୍ଟ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ୨୦୨୪ରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ। ପରେ ୟେମେନ ରାଷ୍ଟ୍ରପତି ରସଦ ଅଲ୍ ଆଲିମି ଏହି ଦଣ୍ଡାଦେଶକୁ ଅନୁମୋଦନ କରିଥିଲେ। ୟେମେନ ଆଇନ ଅନୁଯାୟୀ ବିନା ଉଦ୍ଦେଶ୍ୟ ରହିତ ହତ୍ୟା କ୍ଷେତ୍ରରେ ‘ବ୍ଲଡ ମନି’କୁ ବଡ ଦଣ୍ଡ ବିବେଚନା କରାଯାଏ। ବ୍ଲଡ ମନି ବଦଳରେ ହତ୍ୟାର ଶିକାର ହୋଇଥିବା ପରିବାର ଦୋଷୀକୁ କ୍ଷମା କରିପାରିବେ।
ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ; ପୀଡ଼ିତଙ୍କ ପରିବାରର କ୍ଷମା ହିଁ ଏକମାତ୍ର ଆଶା
Popular Categories



