ନୂଆଦିଲ୍ଲୀ : ରୁଷ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣ ଆଜି ୧୦ ଦିନରେ ପହଞ୍ଚି ସାରିଛି। ୟୁକ୍ରେନର ଅନେକ ବଡ ସହର ବତ୍ତର୍ମାନ ଯାଏଁ ରୁଷ ସେନାର ନିୟନ୍ତ୍ରଣକୁ ଆସିନାହିଁ ବୋଲି ଖବର ମିଳିଛି।
ଏହାସହ ଅଧିକାରୀଙ୍କ କହିବାନୁଯାୟୀ, ରୁଷର ଏୟାର ଷ୍ଟ୍ରାଇକ କାରଣରୁ ଆଗାମୀ ଦିନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।
ରୁଷ ୟୁକ୍ରେନରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି। ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ। ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ସୂଚନା ମିଳିଛି। ଭାରତୀୟ ସମୟାନୁସାରେ ପୂର୍ବାହ୍ନ ୧୧ଟାରେ ଏହା ଘୋଷଣା ହୋଇଛି। ଏହା ଅନୁଯାୟୀ, ଏଠାରେ ଥିବା ଲୋକଙ୍କୁ ବାହାରକୁ ନ ନେବା ଯାଏଁ, ରୁଷ ପକ୍ଷରୁ କୌଣସି ଆକ୍ରମଣ କରାଯିବ ନାହିଁ।
ରୁଷ ରାଷ୍ଟ୍ରଦୂତ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ଭାରତୀୟ ଛାତ୍ର ତଥା ବିଦେଶୀ ନାଗରିକଙ୍କୁ ୟୁକ୍ରେନରୁ ବାହାର କରିବା ପାଇଁ ପ୍ରସ୍ତୁତ।
ସେହିପରି ୟୁକ୍ରେନର ରାଜଧାନୀ କିଭ୍ ଉପରେ ବିମାନ ଆକ୍ରମଣ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଥିବା ବାସିନ୍ଦାଙ୍କୁ ନିକଟତମ ଆଶ୍ରୟସ୍ଥଳକୁ ପଳାଇ ଯିବାକୁ କୁହାଯାଇଛି। ରୁଷ ପକ୍ଷରୁ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଏକ ସପ୍ତାହ ମଧ୍ୟରେ ରୁଷ ୫୦୦ ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ବୋଲି ସୂଚନା ମିଳିଛି।



