ସମାଜ ଡିଜିଟାଲ ଡେସ୍କ: ବିଶ୍ଵବ୍ୟାପୀ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ନିରାକରଣ ପାଇଁ ରୁଷ ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ୨୦୨୫ରୁ ଏହି ଟିକା ଲୋକଙ୍କ ଦିଆଯିବ ବୋଲି ରୁଷ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶରୀରରେ ଟ୍ୟୁମର ସୃଷ୍ଟି ରୋକିବା ଲାଗି ଏହି ଟିକା ଉପଯୁକ୍ତ ନୁହେଁ, ଏହା କେବଳ କର୍କଟ ରୋଗୀଙ୍କୁ ହିଁ ଦିଆଯିବ ବୋଲି କୁହାଯାଇଛି।
ଅନ୍ୟପଟେ ଏହି ଟିକା କେଉଁ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ସେହିପରି କେଉଁ ପର୍ଯ୍ୟାୟ କର୍କଟ ରୋଗରେ ଏହା କେତେ ପ୍ରଭାବଶାଳୀ ହେବ ତାହା ବି ଅବଗତ କରାଯାଇ ନାହିଁ। ଏପରିକି ଟିକାର ନାମ ବି ପ୍ରକାଶ ହୋଇନାହିଁ। କିନ୍ତୁ ରୁଷ ନିଜ ଦେଶର ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇଦେବ।
ରୁଷ ପରି ଅନ୍ୟ କେତେକ ଦେଶ ମଧ୍ୟ ରୋଗୀଙ୍କ ଲାଗି ବ୍ୟକ୍ତିଗତ(ପର୍ସନାଲାଇଜଡ) କ୍ୟାନସର ଟିକା ବିକାଶ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ରୋଗୀଙ୍କ ଟ୍ୟୁମରରେ ଉପସ୍ଥିତ ଆରଏନଏକୁ ବ୍ୟବହାର କରି ଏହି ଟିକା ପ୍ରସ୍ତୁତ କରାଯାଉଛି।
ଗତ ମେ ମାସରେ ଫ୍ଲୋରିଡା ବିଶ୍ଵବିଦ୍ୟାଳୟର ବୈଜ୍ଞାନିକମାନେ ୪ ଜଣ କର୍କଟ ରୋଗୀଙ୍କ ଉପରେ ବ୍ୟକ୍ତିଗତ କର୍କଟ ଟିକା ପ୍ରୟୋଗ କରିଥିଲେ। ବୈଜ୍ଞାନିକମାନେ ଦାବି କରିତିଲେ ଯେ ଟିକା ଦେବାର ୨ ଦିନ ପରେ ରୋଗୀଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଲା।
ଯଦି ରୁଷର ଦାବି ଠିକ ହୁଏ ଏବଂ କ୍ୟାନସର ଟିକା ବଜାରକୁ ଆସେ ତେବେ ଏହା ଚିକିତ୍ସା ବିଜ୍ଞାନରେ ସବୁଠୁ ବଡ଼ ସଫଳତା ହେବ। କାରଣ କର୍କଟ ରୋଗରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ, ସାରା ବିଶ୍ଵରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି।


