ବାଙ୍କୀ ଓ ଡମପଡା ବ୍ଲକରେ ୧୨ ରୂପାନ୍ତର ହାଇସ୍କୁଲ ଲୋକାର୍ପିତ
ବାଙ୍କୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୋମବାର ଦିନ ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ କଟକ ଜିଲ୍ଲାର ୧୩୫ ଗୋଟି ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରାଯାଇଛି। ଏହି ଅବସରରେ ଡମପଡା ବ୍ଲକର ୪ଟି ବିଦ୍ୟାଳୟ ଏବଂ ବାଙ୍କୀ ବ୍ଲକ ଅଧିନରେ ୮ ଗୋଟି କରି ସର୍ବମୋଟ ୧୨ ଗୋଟି ରୂପାନ୍ତରୀକରଣ ବିଦ୍ୟାଳୟ ଉଦଘାଟିତ ହୋଇଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫-ଟି ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ରୂପାନ୍ତରୀକରଣ ବିଦ୍ୟାଳୟ ଗୁଡିକୁ ସ୍ୱତନ୍ତ୍ର ଭାବେ ସଜା ଯାଇଥିଲା। ପ୍ରତି ବିଦ୍ୟାଳୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ର, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଦ୍ୟାଳୟର ୨୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍କଣ୍ଠାର ସହିତ ଏହି କାର୍ଯ୍ୟକ୍ରମକୁ କରତାଳି ଉପଭୋଗ କରିଥିଲେ।
ଡମପଡା ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନ ରଗଡି ସ୍ଥିତ ବି.ଏସ.ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ସାହୁ,ସମିତି ସଭ୍ୟ ଭାଗିରଥି ପାଣି,ଜିଲ୍ଲାପରିଷଦ ସଦସ୍ୟ ପ୍ରତିନିଧି ସମରେନ୍ଦ୍ର ମହାପାତ୍ର,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ସି.ଆର.ସି.ସି ଦାଶରଥି ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ସେହିପରି ଗୟଳବାଙ୍କ ହାଇସ୍କୁଲ ଠାରେ ସିଆରସିସି ଚକ୍ରଧର ପ୍ରଧାନଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ,ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ତାଳବସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏବିଓ ପ୍ରଫୁଲ୍ଲ କୁମାର ବେହେରା, ସିଆରସିସି ଦିଲ୍ଲିପ ପ୍ରଧାନ ଏବଂ ଅରାଚଣ୍ଡୀ ବିଦ୍ୟାମନ୍ଦିରରେ ବିଆରସିସି ଗଦାଧର ପ୍ରଧାନ ଓ ସିଆରସିସି ମନୋରଂଜନ ବେଉରାଙ୍କ ସମେତ ପରିଚାଳନା କମିଟି ସଦସ୍ୟ,ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସେହିପରି ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନ ବ୍ରହ୍ମପୁରା ସ୍ଥିତ ରଘୁନାଥ ଦେବତା ନୋଡାଲ ହାଇସ୍କୁଲ,ମଇଜୋରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବୈଦେଶ୍ୱର ହାଇସ୍କୁଲ, ପଥୁରୀପଡା ସ୍ଥିତ ମହାବେରଣା ବିଦ୍ୟାପୀଠ, ପଣ୍ଡାଳମ ହାଇସ୍କୁଲ, କଳାପଥର-ଧଳାପଥର ହାଇସ୍କୁଲ,ବନ୍ଦାଳ ସ୍ଥିତ ଉତ୍ତରକୁଲାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଘୋଳପୁର ସ୍ଥିତ ଦଧିବାମନ ଜୀଉ ବିଦ୍ୟାମନ୍ଦିର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ୫-ଟି କାର୍ଯ୍ୟକ୍ରମ ଅଧିନସ୍ଥ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ବାଙ୍କୀ ଓ ଡମପଡା ବ୍ଲକରେ ସଫଳତାର ସହ କାର୍ଯ୍ୟକ୍ରମ ସମାହିତ ହୋଇଛି । ଉଦଘାଟନ ସମୟରେ ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ପୁରାତନ ଛାତ୍ର ମାନେ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ସହରୀ ଢାଂଚାରେ ବିଦ୍ୟାଳୟରେ ବ୍ୟବସ୍ଥିତ ସୁବିଧା ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସଫଳତା ଆଣିଦେବ ବୋଲି ମତ ପ୍ରକାଶ ପାଇଛି।
Comments are closed.