ଯଶସ୍ବୀଙ୍କ ଅର୍ଦ୍ଧଶତକ ; ପଞ୍ଜାବକୁ ହରାଇଲା ରାଜସ୍ଥାନ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ରନ୍‌ର ପିଛାକରି ପ୍ରଥମଥର ବିଜୟୀ ହୋଇଛି ରାଜସ୍ଥାନ। ଶନିବାର ଶକ୍ତିଶାଳୀ ବ୍ୟାଟିଂ ପ୍ରଦର୍ଶନ ବଳରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୬ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ଜନି ବେୟାରଷ୍ଟୋ ଓ ଜିତେଶ ଶର୍ମାଙ୍କ ଉପଯୋଗୀ ଇନିଂସ ବଳରେ ପଞ୍ଜାବ କିଙ୍ଗ୍‌ସ ୫ ୱିକେଟରେ ୧୮୯ ରନ୍‌ କରିଥିଲା। ପରେ ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ଏବଂ ଜୋସ୍ ବଟ୍‌ଲର ଓ ସିମ୍ରନ୍ ହେତ୍‌ମେୟରଙ୍କ ବିସ୍ଫୋରକ ଇନିଂସ ବଳରେ ୨ଟି ବଲ୍‌ ବାକିଥାଇ ୪ ୱିକେଟ ହରାଇ ରାଜସ୍ଥାନ ଜିତିଥିଲା। କ୍ରମାଗତ ୨ଟି ମ୍ୟାଚ୍‌ ହାରିଥିବା ରାଜସ୍ଥାନ ବିଜୟଧାରାକୁ ଫେରିଛି। ୧୧ଶ ମ୍ୟାଚ୍‌ରୁ ୭ମ ବିଜୟ ପରେ ୧୪ ପଏଣ୍ଟ ପାଇଥିବା ରାଜସ୍ଥାନ ପ୍ଲେଅଫ୍ ଦୌଡ଼ରେ ରହିପାରିଛି। ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ପରେ ପଞ୍ଜାବ କିଙ୍ଗ୍‌ସ ପ୍ଲେଅଫ୍ ଖେଳିବା ନେଇ ଚିନ୍ତାରେ ପଡ଼ିଯାଇଛି।
୧୯୦ ରନ୍‌ ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍‌ସ ଇନିଂସ ଆରମ୍ଭ କରିଥିବା ବେଳେ ଓପ୍‌ନର ଯଶସ୍ବୀ ଜୟସୱାଲ୍‌ ଓ ଜୋସ୍‌ ବଟ୍‌ଲର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ ୪ ଓଭରରେ ୪୬ ରନ୍‌ ଯୋଡ଼ିଥିଲେ। ୪ର୍ଥ ଓଭର ବୋଲିଂ କରିଥିବା କାଗିସୋ ରାବାଡାଙ୍କୁ ବଟ୍‌ଲର ପ୍ରଥମ ୫ଟି ବଲ୍‌ରେ ୬, ୪, ୪, ୨, ୪ ମାରି ଶେଷ ବଲ୍‌ରେ ଆଉଟ୍‌ ହୋଇଥିଲେ। ବଟ୍‌ଲର ୧୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୦ ରନ୍‌ କରିଥିଲେ। ଫଳରେ ସର୍ବାଧିକ ସ୍କୋରର୍ ଭାବେ ବଟ୍‌ଲର ନାରଙ୍ଗୀ ଟୋପି ବଜାୟ ରଖିଥିବା ବେଳେ ଚଳିତ ସଂସ୍କରଣ​‌େ​‌ର ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ୬ ଶହ ରନ୍‌ ପୂରଣ କରିଥିଲେ। ଅଧିନାୟକ ସଞ୍ଜୁ ସାମ୍‌ସନ ଆସି ଜୟସୱାଲଙ୍କ ସହ ପରବର୍ତ୍ତୀ ୪ ଓଭରରେ ୩୯ ରନ୍‌ ଯୋଡ଼ିଥିଲେ। ସାମ୍‌ସନ ୧୨ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌ କରିଥିଲେ। ଦେବଦତ୍ତ ପାଡିକଲ ଦ୍ରୁତ ରନ୍‌ ସ୍କୋର୍‌ କରିବାରେ ବିଫଳ ହୋଇଥିଲେ ହେଁ ଯଶସ୍ବୀ ଜୟସୱାଲ ନିୟମିତ ଷ୍ଟ୍ରୋକ୍‌ ଖେଳି ରନ୍‌ଗତି ବଜାୟ ରଖିଥିଲେ। ଯଶସ୍ବୀ ୪୧ ବଲ୍‌ରୁ ୨ଟି ଛକା ଓ ୯ଟି ଚୌକା ସହ ୬୮ ରନ୍‌କରି ଆଉଟ୍‌ ହୋଇଥିଲେ। ଏହାପରେ ରାଜସ୍ଥାନ ୩୪ ବଲ୍‌ରୁ ୪୯ ରନ୍‌ ଆବଶ୍ୟକ କରୁଥିବା ବେଳେ ହେତ୍‌ମେୟର ଆସି ଆକ୍ରମାତ୍ମକ ବ୍ୟାଟିଂ କରିବାରୁ ରାଜସ୍ଥାନ ଜିତ ପାରିଥିଲା। ପାଡିକଲ ୩୨ ବଲ୍‌ରୁ ୩ଟି ଚୌକା ସହ ୩୧ ରନ୍‌ କରିଥିଲେ। ହେତ୍‌ମେୟର ୧୬ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଅର୍ଶଦୀପ ସିଂହ ୨ଟି ୱିକେଟ ନେଇଥିଲେ। ଯଶସ୍ବୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ ନେଇଥିଲା। ଏହାର ଓପ୍‌ନର ୫ ଓଭରରେ ୪୭ ରନ୍‌ର ଭାଗିଦାରୀ କରିବା ପରେ ଶିଖର ଧାୱନ ୧୬ ବଲ୍‌ରୁ ୨ଟି ଚୌକା ସହ ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ଅନ୍ୟପଟେ ଜନି ବେୟାରଷ୍ଟୋ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ବେଳେ ଭାନୁକା ରାଜପକ୍ଷ ମଧ୍ୟ ଷ୍ଟ୍ରୋକ୍ ଖେଳିଥିଲେ। ଦୁହେଁ ୪୨ ରନ୍‌ ଯୋଡ଼ିଥିଲେ। ଶ୍ରୀଲଙ୍କାର ରାଜପକ୍ଷ ୧୮ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍‌ କରିଥିଲେ। ୪ନଂ ସ୍ଥାନରେ ବ୍ୟାଟିଂ ଆସିଥିବା ଅଧିନାୟକ ମୟଙ୍କ ଅଗ୍ରୱାଲ ୧୩ ବଲ୍‌ରୁ ୨ଟି ଚୌକା ସହ ୧୫ ରନ୍‌ କରିଥିଲେ। ୨ଟି ବଲ୍‌ ପରେ ଆଉଟ୍‌ ହୋଇଥିବା ବେୟାରଷ୍ଟୋ ଚଳିତ ସଂସ୍କରଣରେ ପ୍ରଥମ ଅର୍ଦ୍ଧଶତକ ହାସଲକରି ୪୦ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୬ ରନ୍‌ କରିଥିଲେ। ୫ମ ୱିକେଟ ପାଇଁ ଜିତେଶ ଶର୍ମା ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ୨୫ ବଲ୍‌ରୁ ୫୦ ରନ୍‌ ଯୋଡ଼ିଥିଲେ। ଲିଭିଙ୍ଗ୍‌ଷ୍ଟୋନ୍‌ ୧୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୨ ରନ୍‌ କରିଥିଲେ। ଶେଷ ଓଭରରେ ୧୬ ରନ୍‌ ମାରିଥିବା ମହାରାଷ୍ଟ୍ରର ଜିତେଶ ଶର୍ମା ୧୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୮ ରନ୍‌କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିଲେ।

Comments are closed.