www.samajalive.in
Saturday, December 6, 2025
14.1 C
Bhubaneswar

ଟୋକନ ପାଇବାରୁ ବଞ୍ଚିତ ଚାଷୀଙ୍କ ରାସ୍ତା ଅବରୋଧ

କଲମପୁର: ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଚାଷୀ ଚାଷ କରିଥିଲେ। ଚାଷ ପାଇଁ ଚାଷୀଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏଥିପାଇଁ ଚାଷୀ ବିଭିନ୍ନ ବ୍ୟାଙ୍କ ସହିତ ମହାଜନୀ ଋଣ ନେଇ ଚାଷ କରୁଥିବା ବେଳେ ଧନ ବିକ୍ରି ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେବେଳେ କଟନୀ ପାଇଁ ମିଲର୍ସ ଅଡି ବସୁଛନ୍ତି ତ, ଅନ୍ୟ କେତେବେଳେ ଶ୍ରମିକ ପ୍ରାପ୍ୟ ବୃଦ୍ଧି ଦାବିରେ ଆନ୍ଦୋଳନ କରି ମଣ୍ଡି ଅଚଳ କରୁଛନ୍ତି। ପୁଣି କେତେବେଳେ ଟ୍ରକ ଓ ଅଖା ବସ୍ତା ଅଭାବ କାରଣରୁ ଚାଷୀ ଧାନ ବିକ୍ରି କରି ପାରୁ ନାହାଁନ୍ତି। ଏବେ ପୁଣି ଟୋକନକୁ ନେଇ ଅନ୍ୟ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ବହୁ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇ ଧାନ ବିକ୍ରି କରି ପାରୁନଥିବାରୁ ଏବେ ଅସହାୟ ହୋଇ ପଡୁଛନ୍ତି। ବାରମ୍ବାର ଟୋକନ ପାଇଁ ସମବାୟ ସଂସ୍ଥା କାର୍ଯ୍ୟାଳୟକୁ ଯାଇ ନିରାଶ ହେଇ ଫେରୁଛନ୍ତି। ଯାହା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରୁ ଶନିବାର ସକାଳେ ଉତ୍ୟକ୍ତ ଚାଷୀ ସମବାୟ ସଂସ୍ଥା କାର୍ଯ୍ୟାଳୟକୁ ତାଲା ମାରି ବନ୍ଦ କରିବା ସହ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ତହସିଲ କାର୍ଯ୍ୟାଳୟ ନିକଟରେ ଧାନ ଟ୍ରାକ୍ଟର ରଖି ଅବରୋଧ କରିଥିଲେ। ଏଥିରେ ପ୍ରଭାବିତ ଚାଷୀ ରବୀନ୍ଦ୍ର ନାଏକ, ରାଧେଶ୍ୟାମ ଶର୍ମା, କୃପାସିନ୍ଧୁ ସାହୁ, ଝସକେତନ ସାହୁ, ରାଜେନ୍ଦ୍ର କୁମାର ପଣ୍ଡା, ଭାଗିରଥି ମୁଣ୍ଡ, ସମବାୟ ସମିତି ସଭାପତି ବ୍ରଜେନ୍ଦ୍ର କୁମାର ସାହୁ,ଜଳନ୍ଧର ଦୁର୍ଗା ଓ ନିଳକଣ୍ଠ ବାଗ ପ୍ରମୁଖ ନେତୃତ୍ୱରେ ବହୁ ଚାଷୀ ଏହି ଆନ୍ଦୋଳନରେ ସାମିଲ ହେଇଥିଲେ।

- Advertisement -

ସୂଚନାଯୋଗ୍ୟଯେ, ଗତ ଅଗଷ୍ଟ ମାସରେ ରାଜ୍ୟ ଯୋଗାଣ ବିଭାଗ ତରଫରୁ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ସୂଚନା ଦେଇଥିଲେ। ଚାଷୀ ନିଜ ଜମି ପଟ୍ଟା ପାଉତି, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଓ ବ୍ୟାଙ୍କ ଜମାଖାତା ପାସ ବହି ଦେଇ ପଞ୍ଜିକରଣ ପାଇଁ ସମବାୟ ସମିତି ନିକଟରେ ଆବେଦନ କରିଥିଲେ। ସମବାୟ ସମିତି ତରଫରୁ ସମସ୍ତ ଚାଷୀଙ୍କ ପ୍ରମାଣପତ୍ରକୁ ଜିଲା ଯୋଗାଣ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଥିଲା। ଯୋଗାଣ ବିଭାଗ ତରଫରୁ ତହସିଲ ମାଧ୍ୟମରେ ଯାଞ୍ଚ କରିବା ପରେ କିଛି ଚାଷୀଙ୍କ ଆବେଦନରେ କିଛି ତ୍ରୁଟି ପରିଲିକ୍ଷିତ ହେବା କାରଣରୁ ଯୋଗାଣ ବିଭାଗ ପୁନଃ ସମ୍ପୃକ୍ତ ଚାଷୀଙ୍କ ତାଲିକା ସମବାୟ ସମିତିକୁ ପଠାଇଥିଲେ। ସମବାୟ ସମିତି ତରଫରୁ ସମ୍ପୃକ୍ତ ଚାଷୀଙ୍କର ଥିବା ତ୍ରୁଟି ଯାଞ୍ଚ କରି ସଠିକ ପ୍ରମାଣପତ୍ର ଦେବା ପାଇଁ ଚାଷୀମାନଙ୍କୁ ଅବଗତ କରାଇଥିଲେ। ଚାଷୀ ତୁରନ୍ତ ନିଜ ନିଜର ତ୍ରୁଟି ଯାଂଚ କରି ସଠିକ ପ୍ରମାଣପତ୍ର ସମବାୟ ସମିତି ନିକଟରେ ଦାଖଲ କରିଥିଲେ। ଏହି ଦାଖଲ ଆବେଦନକୁ ସମିତି ତରଫରୁ ଯୋଗାଣ ବିଭାଗକୁ ପଠାଇ ଦିଆଯାଇଥିଲା। ଏହାପରେ ପୁନଃ ଜିଲା ଯୋଗାଣ ବିଭାଗ ତରଫରୁ ତହସିଲକୁ ପଠାଯାଇଥିଲା, କିନ୍ତୁ ତହସିଲ ତରଫରୁ ସଠିକ ସମୟରେ ଯାଂଚ କାଗଜାତ ପଠାଇବାରେ ଅବହେଳା କରାଯାଇଥିବାରୁ ଚାଷୀ ଏବେ ଟୋକନ ପାଇବାରୁ ବଞ୍ଚିତ ହେଇଛନ୍ତି। ସେମାନେ ଟୋକନ ପାଇବେ କି ନାହିଁ ସେନେଇ ସନ୍ଦେହ ଦେଖା ଦେଇଛି। ସେହିଭଳି ସ୍ୱଳ୍ପ ସମୟ ମଧ୍ୟରେ ପଞ୍ଜିକରଣ ପାଇଁ ସୂଚନା ଦିଆଯାଇଥିବାରୁ କଲମପୁର ବ୍ଲକର ଶତାଧିକ ଚାଷୀ ନିଜ ନାମ ପଞ୍ଜିକରଣ କରିବାରୁ ମଧ୍ୟ ବଞ୍ଚିତ ହେଇଛନ୍ତି। ସେମାନେ ଏବେ କେଉଁଠି  ଓ କେତେ ମୂଲ୍ୟରେ ଧାନ ବିକ୍ରୟ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଏନେଇ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ୍ କୁମାର ଦାଶଙ୍କ ସହିତ ଯୋଗାଯୋଗ କରାଯିବା ପରେ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories