ବର୍ଷକୁ ୧କୋଟି ୨୦ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପର୍ଯ୍ୟଟନ, ବିମାନ ଚଳାଚଳ ଏବଂ ମୌଳିକଢାଞ୍ଚା ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ବର୍ଷକୁ ୧ କୋଟି ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି। ନୂଆଦିଲ୍ଲୀରେ ରାଇଜିଂ ଇଣ୍ଡିଆ ଶୀର୍ଷ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଭାରତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିବାବେଳେ ନିଯୁକ୍ତି ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଅଯୌକ୍ତିକ। ସଡ଼କ ପଥ, ରେଳପଥ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ମୌଳିକଢାଞ୍ଚା ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ଦେଶରେ ନିଯୁକ୍ତି ନାହିଁ ବୋଲି କହିବା ଠିକ୍ ହେବ ନାହିଁ। ସେ କହିଛନ୍ତି, ଭାରତ ବିଶ୍ୱରେ ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧି ରାଷ୍ଟ୍ରର ମାନ୍ୟତା ହାସଲ କରିଛି। ସେ କହିଛନ୍ତି, ଏତେସବୁ ବିକାଶମୂଳକ କାମ ହୋଇଥିଲେ ମଧ୍ୟ ପ୍ରକୃତରେ ଯେତିକି ନିଯୁକ୍ତି ଦିଆଯିବା କଥା, ସେତିକି ଦିଆଯାଇପାରି ନାହିଁ। କିନ୍ତୁ ତା’ର ଅର୍ଥ ନୁହେଁ ଯେ, ଦେଶରେ ନିଯୁକ୍ତି ନାହିଁ। କିନ୍ତୁ ବର୍ତ୍ତମାନର ନିଯୁକ୍ତି ସ୍ଥିତି ଉପରେ ସେ ସନ୍ତୋଷ ନୁହଁନ୍ତି ବୋଲି କହିଛନ୍ତି।