ନୂଆଦିଲ୍ଲୀ: ଭାରତ ଛାଡ଼ୁଛନ୍ତି ଧନୀ ଶ୍ରେଣୀର ଲୋକ। ୨୦୨୩ରେ ୫ ହଜାର ୧ ଶହ ଧନୀ ଭାରତ ଛାଡ଼ିଥିବାବେଳେ ୨୦୨୪ରେ ୪ ହଜାର ୩ ଶହ ଧନୀ ଭାରତ ଛାଡ଼ିବେ ବୋଲି ଆକଳନ କରାଯାଇଛି। ସର୍ବାଧିକ ଭାରତୀୟ ସଂଯୁକ୍ତ ଆରବ ଅମିରାତ(ୟୁଏଇ)କୁ ସେମାନଙ୍କ ପସନ୍ଦଯୋଗ୍ୟ ଦେଶ ବିବେଚନା କରୁଛନ୍ତି। ୨୦୧୩ରୁ ୨୦୨୩ ମଧ୍ୟରେ ୟୁଏଇରେ ଭାରତୀୟଙ୍କ ସଂଖ୍ୟା ୮୫% ବୃଦ୍ଧି ପାଇଛି। ପରିବାରର ସୁରକ୍ଷା, ଟିକସ ସୁବିଧା, ବ୍ୟବସାୟ ସୁଯୋଗ, ବିଳାଶପୂର୍ଣ୍ଣ ଜୀବନଶୈଳୀ, ପିଲାଙ୍କ ଉନ୍ନତ ପାଠପଢ଼ା, ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଧନୀ ଦେଶ ଛାଡ଼ୁଥିବା ରିପୋର୍ଟରେ କୁହାଯାଇଛି।
ଧନୀ ଲୋକ ଭାରତ ଛାଡ଼ି ବିଦେଶରେ ବସବାସ କରିବା କ୍ରମାଗତଭାବେ ବୃଦ୍ଧିପାଉଛି। ତେବେ ଦେଶ ଛାଡ଼ୁଥିବା ଧନୀଙ୍କୁ ନେଇ ସେତେଟା ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଯେଉଁ ପରିମାଣର ଧନୀ ଦେଶ ଛାଡ଼ୁଛନ୍ତି, ତା’ଠାରୁ ବହୁ ଅଧିକ ପରିମାଣର ନୂତନ ଧନୀ ସୃଷ୍ଟି ହେଉଛନ୍ତି। ବିଶ୍ବ ଧନୀ ତାଲିକାର ୧୦ମ ସ୍ଥାନରେ ଭାରତ ରହିଛି, ଏଠାରେ ୩୨୬,୪୦୦ ଧନୀ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଚୀନ୍ରେ ୮୬୨,୪୦୦ ଧନୀ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଧନୀଙ୍କ ପ୍ରବାସର ବୈଶ୍ବିକ ତୁଳନାରେ ଚୀନ ସର୍ବାଗ୍ରେ ଥିବା ବେଳେ ଦ୍ବିତୀୟରେ ବ୍ରିଟେନ୍ ଓ ତୃତୀୟରେ ଭାରତ ରହିଛି। ୟୁଏଇ ସହ ଆମେରିକା ଓ ସିଙ୍ଗାପୁରକୁ ପ୍ରବାସୀ ଭାରତୀୟ ଯାଇଥାନ୍ତି।



