ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ରୁ ୫୮ ବର୍ଷକୁ ହ୍ରାସ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ବୁଧବାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ରୀୟ କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ବୁଧବାର ଏ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ଅବସର ବୟସ ୬୦ ବର୍ଷରୁ ୫୮ ବର୍ଷକୁ ହ୍ରାସ କରିବା ଲାଗି ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ରୁ ହ୍ରାସ କରି ୫୮ ବର୍ଷ କରିବାକୁ ଯାଉଛନ୍ତି ବୋଲି ଅନେକ ଦିନ ଧରି ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କର ଏଭଳି କୌଣସି ପ୍ରସ୍ତାବ ନାହିଁ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିୟମ ୫୬(ଜେ), କେନ୍ଦ୍ରୀୟ ନାଗରିକ ସେବା(ପେନ୍ସନ) ନିୟମ ୧୯୭୨ ଏବଂ ଅଖିଳ ଭାରତୀୟ ସେନା ନିୟମ ୧୬(୩)(ସଂଶୋଧିତ) ୧୯୫୮ ଅଧୀନରେ ସରକାରଙ୍କ ନିକଟରେ ଅଧିକାର ରହିଛି ଯେ ସେ କୌଣସି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇପାରିବେ। କିନ୍ତୁ ଏଭଳି ପଦକ୍ଷେପ ସେତେବେଳେ ନିଆଯାଏ, ଯେତେବେଳେ ଜଣେ କର୍ମଚାରୀ କୌଣସି ବେଆଇନ କାର୍ଯ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥାଏ ଏବଂ ତଦନ୍ତକାରୀ ସଂସ୍ଥା ଏ ନେଇ ସୁପାରିସ୍ କରିଥାଏ। ସକରାର ଏପରି କର୍ମଚାରୀମାନଙ୍କୁ ୩ମାସର ନୋଟିସ ସହିତ ୩ମାସର ଦରମା ଦେଇଥାଏ। ଗ୍ରୁପ ‘ଏ’ ଏବଂ ଗ୍ରୁପ ‘ବି’ କର୍ମଚାରୀଙ୍କ ବୟସ ୩୫ ବର୍ଷ ହୋଇଯାଇଥିଲେ ସେମାନଙ୍କ ଉପରେ ଏହା ଲାଗୁ ହୋଇଥାଏ। ଏହାବ୍ୟତୀତ ୫୫ବର୍ଷରୁ ଅଧିକ ବର୍ଷର ସମସ୍ତ କର୍ମଚାରୀଙ୍କ ବିରୋଧରେ ଏହା ଲାଗୁ ହୋଇଥାଏ।



