ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣକୁ ନେଇ ସଂସଦରେ ସୋମବାର ରାଜନୈତିକ ସଂଗ୍ରାମ ଦେଖିବାକୁ ମିଳିଥିଲା। ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ, ବିଜେପି ସମ୍ବିଧାନରୁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଚାହୁଁଛି। ଏହା ପରେ ବିଜେପି ସାଂସଦ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୃଢ଼ ଜବାବ ଦେଇ କହିଥିଲେ, କଂଗ୍ରେସ ସବୁବେଳେ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରୁଛି।
ରାଜ୍ୟସଭାରେ ସାମାଜିକ ନ୍ୟାୟ ମନ୍ତ୍ରୀ ଥାବର ଚନ୍ଦ ଗେହଲଟ କହିଥିଲେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଲୋକମାନଙ୍କ ପାଇଁ ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଛି। କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇ ନାହିଁ। ଗେହଲଟ କହିଥିଲେ, ୨୦୧୨ରେ ଉତ୍ତରାଖଣ୍ଡ ସରକାର ପଦୋନ୍ନତିରେ ସଂରକ୍ଷଣ ଲାଗୁ ନ କରିବାକୁ ନିଷ୍ପତ୍ତି ନେବା ପରେ ଏହି ମାମଲାର ଉତ୍ପନ୍ନ ହୋଇଛି। ୨୦୧୨ରେ ଉତ୍ତରାଖଣ୍ଡରେ କଂଗ୍ରେସ କ୍ଷମତାରେ ଥିଲା। ଗେହଲଟଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟମାନେ ଗୃହରୁ ବାହାରକୁ ଚାଲିଯାଇଥିଲେ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ସୁପ୍ରିମକୋର୍ଟ କହିଥିଲେ ଯେ, ରାଜ୍ୟ ସରକାରମାନେ ନିଯୁକ୍ତିରେ ସଂରକ୍ଷଣ ଦେବାକୁ ବାଧ୍ୟ ନୁହନ୍ତି। ସରକାରୀ ଚାକିରିରେ ପଦୋନ୍ନତି ପାଇଁ କୋଟା କିମ୍ବା ସଂରଣକ୍ଷ ଦାବି କରିବା ମୌଳିକ ଅଧିକାର ନୁହେଁ।



