ଲକ୍ଷ୍ମୀପୁର: ଟ୍ରେନରେ ଲୁଟ୍ର ଶିକାର ହୋଇ ମାନସିକ ଭାରସାମ୍ୟ ହରାଇ ଜଙ୍ଗଲରେ ବୁଲୁଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ଶୁକ୍ରବାର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଯୁବକ ଜଣଙ୍କ ନାମ ହେଉଛି ସଂଜୟ ବାଡ଼ାଇକ (୨୮) ଏବଂ ଘର ଝାଡ଼ଖଣ୍ଡର ବୋକାର ଜିଲା ଅନ୍ତର୍ଗତ ସିୱାନ୍ଦି ଗ୍ରାମରେ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ମହକୁମା ଠାରୁ ପ୍ରାୟ ୫ କିମି ଦୂର ଜଙ୍ଗଲରେ ଜଣେ ଯୁବକ ପାଗଳ ଅବସ୍ଥାରେ ବୁଲୁଥିବା ବେଳେ ସେହି ରାସ୍ତା ଦେଇ ସ୍କୁଲ ଯାଉଥିବା ଶିକ୍ଷକ ମନୋଜ କୁମାର ଭତ୍ରା ଦେଖିବାକୁ ପାଇଥିଲେ । ପରେ ସ୍କୁଲରୁ ଲକ୍ଷ୍ମୀପୁର ଫେରିବା ବେଳେ ମଧ୍ୟ ଉକ୍ତ ଯୁବକ ବର୍ଷାରେ ବୁଲୁଥିବା ଦେଖି ଶିକ୍ଷକ ମନୋଜ କୁମାର ଭତ୍ରା ଗଣମାଧ୍ୟମ ପ୍ରତନିଧିଙ୍କୁ ଖବର ଦେଇଥିଲେ। ଖବର ପାଇ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମିତି ସଭ୍ୟ ରାଧାଶ୍ୟାମ ଜାନି ମିଶି ଜଙ୍ଗଲରୁ ଉକ୍ତ ଯୁବକଙ୍କୁ ଏକ ହୋଟେଲକୁ ଆଣିଥିଲେ । କିନ୍ତୁ ଯୁବକ ଜଣଙ୍କ ପୁଣି ସେଠାରୁ ଦୌଡ଼ି ପାଳାଇ ବର୍ଷାରେ ଭିଜିଥିଲା। ବୁଧବାର ବର୍ଷାରେ ଭିଜିଭିଜି ଲକ୍ଷ୍ମୀପୁର ବଜାରରେ ବୁଲୁଥିବା ଦେଖି ଆମ ସମାଜ ପ୍ରତିନଧି ତାଙ୍କୁ ଉଦ୍ଧାର କରି ଆଣି ଏକ ଜଳଖିଆ ଦୋକାନରେ ଖାଇବାକୁ ଦେବା ପରେ ନିଜ ଘରେ ନେଇ ରଖିଥିଲେ। ସେ ୫ ଦିନ ହେଲା କିଛି ଖାଇନାହିଁ ବୋଲି କହିଥିଲା। ଏହା ସହ ଗୋଡ଼ରେ କାଚ ବାଜି କ୍ଷତାକ୍ତ ହୋଇ ଯାଇଥିବାରୁ ଚାଲି ପାରୁ ନଥିଲା । ତେଣୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ମଧ୍ୟ କରାଯାଇଥିଲେ । ଏହା ସହ ଲକ୍ଷ୍ମୀପୁର ପୁଲିସକୁ ମଧ୍ୟ ଏନେଇ ସୂଚନା ଦେଇଥିଲେ।

ଯୁବକ ଜଣଙ୍କ ସୁସ୍ଥ ହେବା ପରେ ସେ ନିଜର ପରିଚୟ ଦେଇଥିଲେ । ତାଙ୍କ ବୟାନ ଅନୁଯାୟୀ, ସେ ଗୋଆର ଏକ କମ୍ପାନୀରେ ଡିପ୍ଲୋମା ଇଂଜିନିୟର ଭାବରେ କାର୍ଯ୍ୟ କରନ୍ତି । ଗତ ଅଗଷ୍ଟ ୨ ତାରିଖରେ ସେ ଗାଁ କୁ ଫେରୁଥିବା ବେଳେ ଟ୍ରେନରେ କୌଣସି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ତାଙ୍କ ନିକଟରେ ଥିବା ଗୋଟିଏ ଭିଭୋ ମୋବାଇଲ ସହିତ ୩ଟି ମୋବାଇଲ ଫୋନ, ୪୦ହଜାର ଟଙ୍କା ଏବଂ ଅନ୍ୟ ସାମଗ୍ରୀ ଲୁଟି ନେଇଥିବା ଯୁବକ ଜଣଙ୍କ କହିଛନ୍ତି । ପରେ ସେ ନିଜ ଘର ଝାଡଖଣ୍ଡ ଯିବା ପରିବର୍ତ୍ତେ କୋରାପୁଟ ଜିଲା ଲକ୍ଷ୍ମୀପୁରରେ ପହଞ୍ଚିଯାଇଥିଲେ । ଅନ୍ୟ ପକ୍ଷରେ ତାଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୋଜାଖୋଜି କରି ପାଇନଥିଲେ । କୌଣସିମତେ ସଂଜୟଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କ ବିଷୟରେ ସୂଚନା ଦିଆଯାଇଥିଲା। ଲଘୁଚାପ ବର୍ଷା ଯୋଗୁଁ ତାଙ୍କ ପରିବାରଲୋକ କୋରାପୁଟ ଜିଲା ଲକ୍ଷ୍ମୀପୁରରେ ପହଞ୍ଚିବା ବିଳମ୍ବ ହୋଇଥିଲା। ଶୁକ୍ରବାର ସକାଳେ ବଡ ଭାଇ ଅଜୟ ଏବଂ ଭଣଜା ତାଙ୍କୁ ନେବାପାଇଁ ଲକ୍ଷ୍ମୀପୁରରେ ପହଞ୍ଚିଛନ୍ତି।



