ଭୁବନେଶ୍ବର : ନୂଆଦିଲ୍ଲୀରେ ଝଲସିଲା ପାରମ୍ପରିକ ଓଡ଼ିଆ କଳାକୃତି। ବିଶ୍ବ ଦେଖିଲା ପ୍ରଜ୍ଞାପନ ମେଢ଼ରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତି। ଖାଲି ସେତିକି ନୁହେଁ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା। ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ରାଜପଥରେ ଗଡୁଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ହେବା ସହ କରତାଳି ଦେଇ ସ୍ବାଗତ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ, ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପରିକଳ୍ପନାରେ ଏହି ମେଢ଼ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଶିଳ୍ପୀ ଛତ୍ରପତି ବିଶ୍ବାଳ ଓ ତପନ ମହାରଣା ସହଯୋଗ କରିଥିଲେ। ସୋମବାର ମେଢ଼ରେ ସାମିଲ ହୋଇଥିବା ସମସ୍ତ କଳାକାର ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନକୁ ନିମନ୍ତ୍ରିତ ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସେମାନେ କିଛି ସମୟ ବିତାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ସମସ୍ତ କଳାକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପୁରସ୍କୃତ କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଶଂସିତ ହୋଇଥିଲେ।
Popular Categories



