ରେଙ୍ଗାଳିକ୍ୟାମ୍ପ : ବିଦ୍ୟାଳୟରେ ମାତ୍ର ପାଞ୍ଚ ଜଣ ଶିକ୍ଷକରେ ଚାଲିଛି ୯ଟି ଶ୍ରେଣୀର ପାଠପଢ଼ା। ସାଂପ୍ରତିକ ସ୍କୁଲ ଶିକ୍ଷାଦାନ କାର୍ଯ୍ୟକ୍ରମରେ ଏହା ଏକ ବଡ଼ ପ୍ରତିବନ୍ଧକ ବୋଲି ଅଭିଭାବକ ମହଲରେ ବେଶ ଚର୍ଚ୍ଚା ହେଉଛି। ଏମିତି ଏକ ବିଦ୍ୟାଳୟ ହେଉଛି ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧିନସ୍ଥ ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ୨୨୧ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ଶ୍ରେଣୀକୁ ୭ଜଣ ଶିକ୍ଷକ। ଏଥିରେ ପୁଣି ଜଣେ ଶିକ୍ଷକ ଦୀର୍ଘ ମାସ ହେବ ସ୍କୁଲ ଆସୁନଥିବା ବେଳେ ଆଉ ଜଣେ ଡେପୁଟେଶନରେ ଅନ୍ୟତ୍ର ଯାଇଛନ୍ତି । ସ୍କୁଲରେ ଜଣେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ନେଇ ମାତ୍ର ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ବିଦ୍ୟାଳୟରେ ସ୍ଥାନ ଅଭାବରୁ ସମ୍ମୁଖରେ ଥିବା ଉଚ୍ଚ ବିଦ୍ୟାଳୟ ସହ ଦୁଇଟି କ୍ୟାମ୍ପସରେ ଚାଲେ ପାଠପଢା। ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବିଦ୍ୟୁତ୍ କରଣ ହୋଇନଥିବା ଭଙ୍ଗା ଦଦରା ଆଜବେଷ୍ଟସ ସହ ଅତଡା ଖସା କୋଠରୀରେ ଚାଲିଛି ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଭବିଷ୍ୟତ ଗଢା। ବିଦ୍ୟାଳୟର ଜଣେ ଶିକ୍ଷକ ଗତ ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବା ଦିନ ଠାରୁ ସ୍କୁଲ ଆସୁ ନଥିବା କଥା ଭାର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ମଧ୍ୟ ପ୍ରକାଶ କରୁଛନ୍ତି । ଏହି ବିଷୟ ନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଛନ୍ତି। ଶିକ୍ଷକଙ୍କ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଦ୍ଵାରା ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ତାଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଶିକ୍ଷକଙ୍କୁ ଦିଆଯାଉ ବୋଲି ମଧ୍ୟ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଜଣାଇ ସାରିଛନ୍ତି। ଶିକ୍ଷକଙ୍କ ସରକାରୀ ଛୁଟି ଅବଧି ସଂଖ୍ୟା ଫେବୃଆରୀ ୧୫ରୁ ସରି ସାରିଥିବା ପ୍ରଧାନଶିକ୍ଷକ କହିଥିଲେ। ତଥାପି ସେ ବିଦ୍ୟାଳୟକୁ ଆସୁ ନଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଅଭିଭାବକଙ୍କ ପକ୍ଷରୁ ଦାବି ହେଉଛି।
ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା



