www.samajalive.in
Friday, December 5, 2025
20.1 C
Bhubaneswar

ମନ୍ଦିର ଚୋରି ଘଟଣାରେ ସନ୍ଧାନୀ କୁକୁର ହାବୁଡ଼ରେ ଯୁବକ

ରେଙ୍ଗାଲିକ୍ୟାମ୍ପ : ନିଦ ହଜି ଯାଇଥିଲା ଗ୍ରାମବାସୀଙ୍କର। ମାଁ ସମଲେଶ୍ଵରୀ ଦେବୀଙ୍କ ପରିଧାନ ନିମନ୍ତେ ଅତି ଶ୍ରଦ୍ଧା ଓ ଭକ୍ତିରେ ଅର୍ପଣ କରିଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୂପାର ଗହଣା, ଲୋକଙ୍କର ଆସ୍ଥା ଓ ବିଶ୍ଵାସର ଦାନ ଅର୍ଥ, ସକାଳ ପାହିଲା ବେଳକୁ ଖାଲି ପଡ଼ିଥିବା ଦେଖି ଗ୍ରାମବାସୀ ଅବାକ୍ ହୋଇଯାଇଥିଲେ। ଘଟଣାଟି ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କତାବଗ। ଗ୍ରାମରେ। ଗାଆଁରେ ଥିବା ପ୍ରସିଦ୍ଧ ମାଁ ସମଲେଶ୍ଵରୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିଲା ଦେବୀ ମାଆଙ୍କର ପରିଧାନ କରିଥିବା ସମସ୍ତ ସୁନା, ରୁପା ଅଳଙ୍କାର ଓ ଦାନବାକ୍ସ । ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବାର ପର ଦିନ ଅର୍ଥାତ୍ ସୋମବାର ରାତିରେ ଚୋର ମନ୍ଦିରରେ କଳା କନା ବୁଲାଇଦେଇ ଫେରାର ମାରିଥିଲା , ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏ ନେଇ ଗ୍ରାମବାସୀ ଓ ମନ୍ଦିର କମିଟି ପକ୍ଷରୁ ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଯେଉଁଥିରେ ତିନିଟି ସୁନା ହାର, ଦୁଇଟି ସୁନା କାନ ଫୁଲ, ଗୋଟିଏ ରୂପାର କିଟି ସୂତା, ରୂପାର ଦୁଇଟି ଛତ୍ର,୧ କିଲୋ ଓଜନର ଗୋଟିଏ ବଡ ଛତ୍ର , ଚାରିପଟ ଚୁଡ଼ି, ରୂପାର ଦୁଇଟି ବେଲପତ୍ର ସହ ଦାନ ବାକ୍ସ ଚୋରି ହୋଇଥିବା ଉଲ୍ଲେଖ ରହିଥିଲା।
ଅଭିଯୋଗକୁ ଭିତ୍ତି କରି ପୁଲିସ ସନ୍ଧନୀ କୁକୁର ନେଇ ଏହାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପ୍ରଥମ ଦିନ ଚୋର ବର୍ତ୍ତିଯାଇଥିଲା । ହେଲେ ସନ୍ଧାନୀ କୁକୁର ହାବୁଡ଼ରେ ଜଣେ ଯୁବକ ପଡ଼ି ପୁଲିସ ହାତରେ ଗିରଫ ହୋଇଛି।
ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଚୋର ଗହଣା ଚୋରି କରି ଗହଣା ଥିବା ଖୋଲ ସହ ସେଥିରେ ଥିବା ଗହଣା ଦୋକାନର ରସିଦକୁ କାଢି ଫିଙ୍ଗି ଦେଇଥିଲା ଗ୍ରାମ ପୋଖରୀ ନିକଟରେ ଥିବା ବିଲ ଭିତରକୁ । ସେଇ ରସିଦକୁ ଆଧାର କରି( ଶୁଙ୍ଘି) ସନ୍ଧାନୀ କୁକୁର ଏକ ମୁହାଁ ହୋଇ ଦୌଡ଼ିଯାଇଥିଲା ଗ୍ରାମର ଏକ ଘରକୁ। ଘରର କବାଟ ବନ୍ଦ ଥିଲା ତେଣୁ ଭୋକିବା ଆରମ୍ଭ କରିଥିଲା ।ଏହା ଦେଖି ପୁଲିସ ଗ୍ରାମବାସୀଙ୍କ ସହ ଉକ୍ତ ଘରକୁ ଯାଇ ଡାକ ପକାଇଥିଲେ। ଭିତରୁ କବାଟ ଖୋଲିବା ପରେ କୁକୁର ସିଧା ସଳଖ ଯାଇ ଘର ଭିତରେ ଥିବା ଜୟକୁମାର୍ ମେହେରଙ୍କ ପୁଅ ସୁଦାମ ମେହେର(୨୨) ଙ୍କ ଲୁଗାକୁ ଧରି ଟାଣିଥିଲା । ତେଣୁ ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଯୁବକକୁ ଗିରଫ କରି ଆଣି ଥାନାରେ ଅଟକ ରଖିଛି । କିନ୍ତୁ ଯୁବକ ଏ ଯାଏଁ ଚୋରି କରିଥିବା ସ୍ବୀକାର କରିନାହିଁ । ପୁଲିସ ପକ୍ଷରୁ ପଚରା ଉଚରା ଚାଲିଛି। ଅଧିକରୁ ଅଧିକ ତଦନ୍ତ ଜାରି ରହିଛି ।ଗ୍ରାମକୁ ପୁଣି ଅନୁସନ୍ଧାନୀ କୁକୁର ପଠାଯାଇଛି,ଏହି ଘଟଣାର ସଂପୂର୍ଣ୍ଣ ତଥ୍ୟ ସନ୍ଧାନରେ । ଏହି ଘଟଣାରେ ଗିରଫ ଯୁବକ ଦୋଷ ସ୍ବୀକାର କରୁଛି ନା ନାହିଁ,ଆଉ କେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ନା ନାହିଁ ଜାଣିବା ପାଇଁ ଗ୍ରାମବାସୀଙ୍କ ମନରେ ଅଧିକ ଉତ୍କଣ୍ଠା ଥିବା ଦେଖିବାକୁ ମିଳିଥିଲା । ଏହି ଯୁବକ ଗିରଫ ପରେ ଉତ୍ୟକ୍ତ ଗ୍ରାମବାସୀ କିଛି ଆଶ୍ଵସ୍ଥି ଲାଭ କରିଛନ୍ତି। ତେବେ ଘଟଣାର ପର୍ଦ୍ଦାଫାଶ ଅତି ଶୀଘ୍ର ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories