ଜୀବନର କଷଟି ପଥରରେ ହଜିଛି ରଞ୍ଜିତଙ୍କ ଜୀବନ ରଥ
ସରକାରୀ ସହାୟତା ଅପେକ୍ଷାରେ ରଞ୍ଜିତ ଓ ପରିବାର
ରେଙ୍ଗାଲିକ୍ୟାମ୍ପ : ଜୀବନର କଷଟି ପଥରରେ ଲେଖା ହୋଇଛି ସମସ୍ତଙ୍କ ଭାଗ୍ୟ ଆଉ ଭବିଷ୍ୟତ। ଦୁଃଖ ଆଉ ସୁଖକୁ ପାଥେୟ କରି ଜୀବନ ସଂଗ୍ରାମରେ ମଣିଷ ଆଗକୁ ବଢିଥାଏ। କିନ୍ତୁ ଯେତେବେଳେ କେବଳ ଦୁଃଖ ହିଁ ଜୀବନରେ ରହିଯାଏ ,ସେତେବେଳେ ବଡ ବଡ଼ ଚିନ୍ତାଶୀଳ ବ୍ୟକ୍ତି ମଧ୍ୟ ଜୀବନ ସଂଗ୍ରାମରେ ହାରିଯାଏ,ଭାଙ୍ଗିଯାଏ ତାର ଧୈର୍ଯ୍ୟର ମେରୁଦଣ୍ଡ । ଏମିତି ଏକ ଜୀବନର ପରିସୀମା ଭିତରେ ବଞ୍ଚି ଚାଲିଛନ୍ତି ଦିବ୍ୟାଙ୍ଗ ରଞ୍ଜିତ। ଅତାବିରା ବ୍ଲକ ଟାମ୍ପରସରା ପଞ୍ଚାୟତ ଅନ୍ତର୍ଗତ ତଳି ଟାମ୍ପରସରା ଗ୍ରାମରେ ରହନ୍ତି ଦିବ୍ୟାଙ୍ଗ ରଞ୍ଜିତ । ଯୁକ୍ତ ଦୁଇ ପାଠ ପଢିବା ସହ କୈଶୋର ବୟସର ପ୍ରଥମ ପାହାଚରେ ପାଦ ଦେଉ ଦେଉ ନିୟତିର ନିର୍ମମ ପ୍ରହାର ,ଭାଗ୍ୟର ବିଡମ୍ବନା ଆଜି ସେ ନିଜ ମାଁ ଓ ବଡ଼ ଭାଇଙ୍କ ବ୍ୟତୀତ ଆଉ କାହାକୁ ଚିହ୍ନି ପାରୁ ନାହାନ୍ତି। ବଡ ଦୁର୍ଭାଗ୍ୟ ର କଥା, ବୟସ ବର୍ତ୍ତମାନ ମାତ୍ର ୩୮ ବର୍ଷ।
ପ୍ରକାଶ ଥାଉ କି ରଞ୍ଜିତ ଜନ୍ମରୁ ଦିବ୍ୟାଙ୍ଗ ନୁହନ୍ତି । ସେ ସୁସ୍ଥ ଥିବା ସହ ମାଟ୍ରିକ ପାସ କରିବା ପରେ କାଦୋବାହ।ଲ କଲେଜରେ ୧୯୯୫ ମସିହାରେ ଯୁକ୍ତ ଦୁଇରେ ନାମ ଲେଖାଇ ଏକ ଉଜ୍ବଳ ଭବିଷ୍ୟତର ରଙ୍ଗୀନ ସ୍ବପ୍ନ ନେଇ ଆଗକୁ ବଢୁଥିବା ରଞ୍ଜିତଙ୍କ ଜୀବନ ଆକାଶରେ ହଠାତ୍ ଘୋଟିଗଲା କଳା ବାଦଲ । କେଉଁଠି ଥିଲା କେଜାଣି ଦିନେ ଅକସ୍ମାତ ତାଙ୍କର ଅପସ୍ମାର ରୋଗ ବାହାରିଲ। । ପରିବାର ବର୍ଗଙ୍କ ମନରେ ଶଙ୍କା ପଶିଲା । ତେଣୁ ତାଙ୍କ ମାଁ ତଥା ପରିବାର ତାଙ୍କୁ ଆଉ କଲେଜ ଯିବାକୁ ଦେଲେନି । ରୋଗ ତାଙ୍କର ସ୍ବପ୍ନକୁ ଭାଙ୍ଗି ଚୂରମାର କରି ଦେଲା । ଖାଲି ଏତିକିରେ ସରିଲାନି, କିଛି ମାସ ଅନ୍ତରରେ ଯେତେବେଳେ ପୁଣି ସେଇ ରୋଗ ବାହାରିଲା ,ସେ ସମ୍ପୂର୍ଣ ଦିବ୍ୟାଙ୍ଗ ହୋଇଗଲେ । ତାଙ୍କର ଡାହାଣ ଗୋଡ଼ ଆଉ ଚଳିଲା ନାହିଁ। ଧୀରେ ଧୀରେ ସେ ମାନସିକ ସ୍ତରରେ ମଧ୍ୟ ଦିବ୍ୟାଙ୍ଗ ହୋଇଗଲେ । କେବଳ ମାଁ ଓ ବଡ଼ ଭାଇ ବ୍ୟତୀତ ଆଉ କାହାକୁ ସେ ଚିହ୍ନି ପାରୁ ନାହାନ୍ତି । ବାପା ଗଙ୍ଗାଧର ୧୯୮୪ ମସିହାରୁ ଆରପାରିକୁ ଯାଇ ସାରିଥିଲେ । ତେଣୁ ରଞ୍ଜିତଙ୍କ ସମେତ ପରିବାରର ସମସ୍ତ ବୋଝ ବଡ ଭାଇ ଜଗଦୀଶଙ୍କ ଉପରେ ପଡ଼ିଲା । ରଞ୍ଜିତଙ୍କ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲାରେ ଦୀର୍ଘ ତିନି ବର୍ଷ ଚିକିତ୍ସା କରାଇଲେ,କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ଏହା ପରେ ରାୟଗଡ଼ ଜିଲ୍ଲାର ଚିଖିଲା ପାଲିରେ ଆୟୁର୍ବେଦିକ ଚିକିତ୍ସା କରାଇଲେ ଦୀର୍ଘ ପ।ଞ୍ଚ ବର୍ଷ ପର୍ଯ୍ୟନ୍ତ । ପୁଣି ଲୋକଙ୍କ ଠାରୁ ଶୁଣି ଭାଇକୁ ଭଲ କରିବା ଆଶାରେ ବଡ ଭାଇ ଜଗଦୀଶ ଡାଳବରେ ମଧ୍ୟ ଜଡ଼ି ବୁଟି ଚିକିତ୍ସା କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଏପଟେ ଚିକିତ୍ସା ପାଇଁ ଯେଉଁ ଜମି ଖଣ୍ଡିକ ଥିଲା ତାହା ବିକ୍ରି ହୋଇଗଲା ।ନିଜ ପରିବାର, ବିଧବା ମାଁ ଓ ଦିବ୍ୟାଙ୍ଗ ଭାଇଙ୍କ ଲାଳନ ପାଳନ ଖର୍ଚ୍ଚ। ତେଣୁ ଆଉ ସାମର୍ଥ୍ୟ ରହିଲାନି ତାଙ୍କୁ ଚିକିତ୍ସା କରିବା ପାଇଁ । ବଡ ଭାଇ ଜଗଦୀଶ ନିଜ ପୁରୁଣା ଚାରି ଚକିଆ ମାରୁତି ଭେନ୍ ରେ ଲରମ୍ଭା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ପିଲାମାନଙ୍କୁ ନେବା ଆଣିବା କରନ୍ତି । ସେଥିରେ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରନ୍ତି । ଆଜି ଭଳି ପରିସ୍ଥିତିରେ ଦରଦାମ ବୃଦ୍ଧିକୁ ଦେଖି , ମାତ୍ର ୧୦ ହଜାର ଟଙ୍କାରେ ଘର ଚଳାଇବା ମୁସ୍କିଲ ହୋଇପଡିଛି । ତାଙ୍କର କିମ୍ବା ତାଙ୍କ ପତ୍ନୀ ପିଲା ଛୁଆ କାହାରି ରାସନ୍ କାର୍ଡ ନାହିଁ ।ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ରଞ୍ଜିତଙ୍କ ରାସନ୍ କାର୍ଡ ରହିଛି କିନ୍ତୁ ଆଧାର କାର୍ଡ ନ ଥିବାରୁ ଦିବ୍ୟାଙ୍ଗ ଭତ୍ତା ମିଳୁନି ।
ତାଙ୍କର ଫିଙ୍ଗର୍ ପ୍ରିଣ୍ଟ ଓ ଆଇ ସ୍କାନ ହୋଇପାରୁନଥିବା ଯୋଗୁ ଆଧାର କାର୍ଡ ନାହିଁ । କିନ୍ତୁ ସରକାରୀ ନିୟମ ଅନୁଯାୟୀ ଏମିତି ଦିବ୍ୟାଙ୍ଗ ମାନଙ୍କ ପାଖକୁ ଯାଇ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନେ ତାଙ୍କର ଆଧାର କାର୍ଡ ତିଆରି କରିବା କଥା କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ମଧ୍ୟ ଆଧାର କାର୍ଡ ନାହିଁ । ଗାଆଁ କୁ ଆସୁଛନ୍ତି ,ଅଧିକାରୀ କାର୍ଡ ତିଆରି ପାଇଁ,କିନ୍ତୁ ରଞ୍ଜିତ ପାଖକୁ କେହି ଆସି ନଥିବା ପ୍ରକାଶ କରିଛନ୍ତି ରଞ୍ଜିତଙ୍କ ବଡ଼ ଭାଇ । କିଛି ନ ହେଲେ ଭତ୍ତା ପଇସାରେ ରଞ୍ଜିତଙ୍କ ପାଇଁ କିଛି ଔଷଧ ବ୍ୟବସ୍ଥା ହୋଇ ପାରନ୍ତା ଓ ବଡ ଭାଇଙ୍କୁ ମଧ୍ୟ କିଛି ଆର୍ଥିକ ସହାୟତା ମିଳି ପାରନ୍ତା । ହେଲେ ତା ମଧ୍ୟ ରଞ୍ଜିତଙ୍କ ଭାଗ୍ୟରେ ଜୁଟି ପାରୁନି । ଗୁରୁଣ୍ଡି ଗୁରୁଣ୍ଡି ଜୀବନର ଅବଶିଷ୍ଟ ଦିନ ପାଇଁ ସଂଗ୍ରାମ କରୁଛନ୍ତି ରଞ୍ଜିତ । ଦିନେ ନିଜେ ରୋଜଗାର କରି ପରିବାର ଚଳେଇବା ପାଇଁ ଇଚ୍ଛା ରଖିଥିବା ଯୁବକ ଆଜି ନିଜେ ନିଜ ପାଇଁ ଅସମର୍ଥ ହୋଇ ପଡିଛନ୍ତି ।
ତେବେ କିଛି ସରକାରୀ ସହାୟତା ମିଳିବା ପାଇଁ ଆଶା ବାନ୍ଧି ଆଜିକୁ ଦୀର୍ଘ ୧୫ ବର୍ଷ ବିତି ଯାଇଛି । ଆଉ କେତେ ଦିନ ପରେ ରଞ୍ଜିତଙ୍କ ଆଧାର କାର୍ଡ ହେବ, କେବେ ତାଙ୍କୁ ଭତ୍ତା ମିଳିବ ଏନେଇ ଅପେକ୍ଷାରେ ରଞ୍ଜିତ ଓ ପରିବାର ।
Comments are closed.