ରେଙ୍ଗାଲି କ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଧପଡ଼ା,ଲାଦେରପାଲିରେ ବିଶ୍ଵ ହସ୍ତଧୁଆ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡାକ୍ତର ବିଶିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏହି ହାତଧୁଆ ଦିବସ କରାଯାଇଥିଲା। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶି ପିଲାମାନଙ୍କୁ ହାତ ଧୁଆ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇବାକୁ ଯାଇ କହିଥିଲେ, ସମ୍ପ୍ରତି କୋଭିଡ ମହାମାରୀ ସମୟରେ ଆମେ ସମସ୍ତେ ହାତଧୁଆର ଗୁରୁତ୍ୱକୁ ବେଶ୍ ଭଲ ରୂପେ ବୁଝିପାରିଛୁ। ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ୱ ହାତଧୁଆ ଦିବସ ରୂପେ ପାଳନ କରାଯାଏ। ତେବେ ଏହା ହେଉଛି ଏକ ଅଭିଯାନ, ଯାହା ଜୀବାଣୁମୁକ୍ତ ରହିବା ପାଇଁ ହାତଧୁଆ ଅଭ୍ୟାସକୁ ପ୍ରୋତ୍ସାହିତ କରେ ! ” ଖାଦ୍ୟକୁ ନିରାପଦ, ରୋଗମୁକ୍ତ ଏବଂ ପିଲାଙ୍କୁ ନିରୋଗୀ ରଖିବା ଦିଗରେ ହାତଧୁଆ ଗୁରୁତ୍ୱପୂର୍ଣ୍ଣ ଭୂମକା ନିର୍ବାହ କରେ।
ପ୍ରଥମଥର ପାଇଁ ୨୦୦୮ରେ ଷ୍ଟକ୍ହୋମ୍ଠାରେ ଅଗଷ୍ଟ ୧୭-୨୩ ମଧ୍ୟରେ ଅନୁଷ୍ଠିତ ବାର୍ଷିକ ବିଶ୍ୱ ଜଳ ସପ୍ତାହ ଅବସରରେ ବିଶ୍ୱ ହାତଧୁଆ ଦିବସର ଆରମ୍ଭ ହୋଇଥିଲା ।ଶ୍ୱାସ, ଡାଇରିଆ ଭଳି ରୋଗରୁ ଶିଶୁ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସଫାସୁତରା ରହିବା, ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ପାଣିର ସ୍ୱଚ୍ଛତା ଆଦି ଉପରେ ଏହି ଦିବସ ବିଶେଷ ଧ୍ୟାନ ଦେଇଥାଏ। ଗତ ଦୁଇ ବର୍ଷ ହେବ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏହି ଦିବସର ଗୁରୁତ୍ୱ ଆହୁରି ବଢ଼ିଯାଇଛି। କରୋନା ଭୂତାଣୁ ଠାରୁ ଦୂରରେ ରହିବା ପାଇଁ ସାବୁନରେ ଦୁଇ ସେକେଣ୍ଡ ପାଇଁ ହାତ ଧୋଇବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପ୍ରକ୍ରିୟାକୁ ନିଜର ଜୀବନଶୈଳୀରେ ସାମିଲ୍ କରିପାରିବେ ଏନେଇ ଅଧିକ ଧ୍ୟାନ ଦେବା ଏହାର ମୂଳ ଉଦ୍ଦେଶ୍ୟ ରହିଛି।
ହାତକୁ ସଠିକ୍ ସଫା କରିବା ଏବଂ ଧୋଇବା ଦ୍ୱାରା ଶ୍ୱାସ ଓ ଅନ୍ତନଳୀ ସମ୍ୱନ୍ଧୀୟ ବିପଦକୁ ୨୦% – ୨୫% ହ୍ରାସ କରାଯାଇପାରେ। ଗାନ୍ଧିଜୀ କହିଥଲେ ଯେ – ପରିଷ୍କାର ପରିଚ୍ଛନ୍ନତା ହେଉଛି ଈଶ୍ବରଙ୍କ ପ୍ରିୟ । ଏକ ସୁସ୍ଥ ଏବଂ ନିର୍ମଳ ଶରୀର ପାଇବା ପାଇଁ ସଠିକ ଉପାୟ ସ୍ୱଚ୍ଛ ହାତରୁ ଆରମ୍ଭ ହୋଇଥାଏ। ତେଣୁ ହାତକୁ ଭଲ ରୂପେ ଧୋଇବା ସହ ଅନ୍ୟମାନଙ୍କୁ ଏ ନେଇ ସଚେତନ କରିବାର ଆବଶ୍ୟକତା ରହିଛି। ହାତକୁ ଭଲ ରୂପେ ନ ଧୋଇବା ଦ୍ୱାରା ଆମେ ବହୁପ୍ରକାରର ରୋଗର ଶିକାର ହୋଇଥାଉ। ଭାରତରେ ନିମୋନିଆରେ ଆକ୍ରାନ୍ତ ହେବାର ମୁଖ୍ୟ କାରଣ ହେଉଛି ହାତକୁ ଭଲ ରୂପେ ନ ଧୋଇବା। ସେହିପରି ହାତ ନ ଧୋଇବା ଦ୍ଵାରା ଏହା ଆମର ଆଖି ଓ ତ୍ବଚାକୁ ସଂକ୍ରମଣ କରିଥାଏ। ଅପରିଷ୍କାର ହାତ ଆଖି ଓ ଚର୍ମ ସଂସ୍ପର୍ଶରେ ଆସି ବହୁତ କ୍ଷତି କରିଥାଏ। ଏହା ଯୋଗୁ ଖାଦ୍ୟ ବିଷାକ୍ତ ଓ ଡାଇରିଆ ଭଳି ରୋଗ ହୋଇଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ହାତଧୋଇବା ନିହାତି ଦରକାର। ତେବେ ଖାଦ୍ୟ ଖାଇବା ପୂର୍ବରୁ ଓ ପରେ ହାତ ଧୋଇବା ଦରକାର। ସେହିପରି ରୋଷେଇ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବା ଦରକାର। ଘରେ ଅଳିଆ ସଫା କରିବା ପରେ ହାତ ଧୋଇବା ଦରକାର।
ଶୌଚାଳୟରୁ ଆସିବା ପରେ ହାତକୁ ଭଲ ରୂପେ ଧୋଇବା ନିହାତି ଦରକାର। ଏପରିକି କାଶ, ଛିଙ୍କ ପରେ ହାତ ଧୋଇବା ଦରକାର। ନାକ, କାନ ସଫା କରିବା ପରେ ମଧ୍ୟ ହାତ ଧୋଇବା ଦରକାର। ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବା ପୂର୍ବରୁ ଏବଂ ପରେ ହାତ ଧୋଇବା ଦରକାର। ଯଦି ଘରେ ଛୋଟ ଛୁଆ ଅଛନ୍ତି, ତେବେ ସେମାନଙ୍କୁ ଧରିବା ପୂର୍ବରୁ ହାତ ଧୋଇବା ନିହାତି ଆବଶ୍ୟକ। ଘରେ ଖାଲି ବସିଥିବା ବେଳେ ମଧ୍ୟ ଦିନକୁ ଅନେକ ଥର କିମ୍ବା ଅତି କମରେ ଦୁଇ ଥର ହାତ ଧୋଇବା ଦରକାର। କେବଳ ହାତଧୁଆକୁ ନେଇ ଦିବସ ପାଳନ କରିଦେଲେ ହେବ ନାହିଁ। ଆଜିର ସମୟରେ ହାତଧୁଆର ଆବଶ୍ୟକତାକୁ ସମସ୍ତେ ଅନୁଭବୀ ଏ ଦିଗରେ ସଚେତନ ରହିବା ନିତାନ୍ତ ଆବଶ୍ୟକ। ଶିକ୍ଷକ ଶଙ୍କର ସାହୁ ମଧ୍ୟ ହାତ ଧୋଇବା ର ସୋପାନ ଗୁଡ଼ିକୁ ନିଜେ ଧୋଇ ପିଲାଙ୍କୁ ଶିଖାଇଥିଲେ। ଶେଷରେ ଶିକ୍ଷୟତ୍ରୀ ସଂଯୁକ୍ତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ଲକର ସମସ୍ତ ବିଦ୍ୟାଳୟ ମାନଙ୍କରେ ଏହି ହାତ ଧୁଆ ଦିବସ ପାଳିତ ହୋଇଯାଇଛି।



