ରେଙ୍ଗାଲିକ୍ୟାମ୍ପ: ଟୋକନ ସମସ୍ୟାକୁ ନେଇ ପ୍ରତି ଥର ଧାନ କ୍ରୟ ସମୟରେ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଏ। ଚାଷୀଙ୍କୁ କ୍ଷତି ସହିବାକୁ ପଡ଼େ। ଏପରିକି ସୁନା ତୁଲ୍ୟ ଶସ୍ୟ ରାସ୍ତାକଡ଼ରେ ପଡ଼ିରହି ଖତ ପାଲଟି ଯାଇଥିବା ଦୃଶ୍ୟ ବୋଧହୁଏ କୌଣସି ଚାଷୀ ମନରୁ ଲିଭି ନଥିବ। ଏ ନେଇ ଅନେକ ଅଭିଯୋଗ, ଅନୁରୋଧ କରାଯାଇଥିଲେ ମଧ୍ୟ ଟୋକନ ବାତିଲ ହେବନି। ସରକାରଙ୍କୁ ଏ ବିଷୟରେ ଜଣାଯାଇଛି। ଅନେକ ସ୍ୱାନ୍ତନା କେବଳ ମିଳିଛି।
ଆଜି ପୁଣି ରବି ଧାନ ସଂଗ୍ରହ ପାଇଁ ଅତାବିରାର ମଣ୍ଡିଗୁଡ଼ିକ ଖୋଲିଛି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶ୍ରୀଫଳ ଭାଙ୍ଗି ମଣ୍ଡିକୁ ଉଦଘାଟନ କରିଥିଲେ। ମଣ୍ଡି ଖୋଲିବା ସମୟକୁ ପରିବର୍ତ୍ତନ କରାଯାଇ ୧୧ ଦିନ ବିଳମ୍ବରେ ମଣ୍ଡି ଖୋଲିଛି। ଏହି ଦଶ ଏଗାର ଦିନ ଭିତରେ ଚାଷୀ ନିଜର ଧାନ ଅମଳ କରି ସାରିଥିଲେ ସୁଦ୍ଧା ତାକୁ ବିକ୍ରି କରିପାରି ନାହାନ୍ତି। ଗତ ବର୍ଷ କାଳବୈଶାଖୀର ପ୍ରକୋପ ଚାଷୀଙ୍କ ଜୀବନ ଜୀବିକା ଉପରେ ଯେଉଁ ପରିମାଣର ପ୍ରଭାବ ପକାଇ ଥିଲା। ଚଳିତ ବର୍ଷ ସେଥିରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଫସଲ ଅମଳରେ ତତ୍ପରତା ପ୍ରକାଶ କରି ଚାଲିଛନ୍ତି, ହେଲେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ସେମାନଙ୍କ ଉତ୍ସାହ ପୁଣି ମଉଳି ଯାଇଛି।
ଯଦି ଟୋକନ ବାତିଲ ହୋଇ ଚାଷୀ ଧାନ ବିକ୍ରି କରି ନ ପାରେ ଓ ସେଥିପାଇଁ ତାକୁ କ୍ଷତି ସହିବାକୁ ପଡେ, ତେବେ ତାର ଆତ୍ମହତ୍ୟା କରିବାର ଚିନ୍ତାଧାରା କୁ ଆଡେଇ ଦିଆଯାଇ ପାରିବ ନାହିଁ। ତେଣୁ ଏହାକୁ ହୃଦୟଙ୍ଗମ କରି ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବରିଷ୍ଠ ଆଜୀବନ ସଭ୍ୟ ବସନ୍ତ ବାରିକ୍ ବିଧାୟିକାଙ୍କୁ ଏହି ଟୋକନ ସମସ୍ୟା କଥା କହିଥିଲେ। ମଣ୍ଡି ଚାଲିବା ପର୍ଯ୍ୟନ୍ତ ଟୋକନ ବାତିଲ ହେବ ନାହିଁ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାର ଅତ୍ୟନ୍ତ ଜରୁରୀ।



