www.samajalive.in
Saturday, December 6, 2025
26.1 C
Bhubaneswar

ଫାଇଲରେ ହାଇ ମାରୁଛି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଆଇନ୍‌‌: ଦଲାଲ ଓ ବେପାରୀ ମାଲାମାଲ

ରେଙ୍ଗାଲି: ଜଙ୍ଗଲ ତଳି ଓ ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି। ସେମାନଙ୍କ ସାମାଜିକ, ସାଂସ୍କୃତିକ ଜୀବନ ପ୍ରବାହ ସହିତ ଲଘୁବନଜାତ ଦ୍ରବ୍ୟ ଅଙ୍ଗାଙ୍ଗୀ ଭାବରେ ଜଡିତ। ଏମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୫/୬ମାସ ପର୍ଯ୍ୟନ୍ତ ଜୀବିକା ନିର୍ବାହ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ୧୦/୧୨ ଘଣ୍ଟା କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ସେମାନଙ୍କ ଆୟରୁ ଶତକଡ଼ା ୪୦/୫୦ଭାଗ ଏଥିରୁ ହିଁ ଆସିଥାଏ। ଲଘୁବନଜାତ ଦ୍ରବ୍ୟ ମଧ୍ୟରୁ ବିଶେଷତଃ ମହୁଲ ଫୁଲ ସଂଗ୍ରହ ଉପରେ ପ୍ରାୟ ୭୫ଭାଗ ଲୋକ ନିୟୋଜିତ ରହୁଥିବାର ଜଣାପଡ଼ିଛି। ମହୁଲ ବ୍ୟତୀତ ହରିଡା, ବାହାଡା, କୁସୁମ, ଟୋଳ, ତେନ୍ତୁଲି ମଞ୍ଜି, ଆମ୍ବ ଟାକୁଆ ଆଦି ୬୮ ପ୍ରକାର ଲଘୁବନଜାତ ଦ୍ରବ୍ୟ ଜନଜାତି ସଂପ୍ରଦାୟର ଲୋକେ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ତେବେ କ୍ଷୋଭର ବିଷୟ ଯେ ଲଘୁବନଜାତ ଦ୍ରବ୍ୟ, ପ୍ରକ୍ରିୟାକରଣ ଓ ବ୍ୟବସାୟ ନୀତି ପ୍ରଣୟନରେ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସଂଗ୍ରହକାରୀମାନେ ଦଲାଲ ଓ ବେପାରୀମାନଙ୍କ ଦ୍ୱାରା ଶୋଷଣର ଶିକାର ହୋଇ ଜଙ୍ଗଲରୁ ବହୁ କଷ୍ଟରେ ସଂଗ୍ରହ କରି ଆଣୁଥିବା ବନଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି। ସଂପ୍ରତି ମହୁଲ ସଂଗ୍ରହ ପ୍ରକ୍ରିୟା ଜୋର୍‌‌ସୋରରେ ଚାଲିଥିବା ବେଳେ ସଂଗ୍ରହକାରୀଙ୍କଠାରୁ ବେପାରୀ ଓ ଦଲାଲମାନେ ନିଜର ମନଇଚ୍ଛା ଦରରେ ମହୁଲ କିଣି ନେଉଛନ୍ତି। ପଡୋଶୀ ଛତିଶଗଡ଼ ରାଜ୍ୟରେ ମହୁଲ ତେଲକୁ ଡିଜେଲର ବିକଳ୍ପ ରୂପେ ସୌଖିନ ଗାଡି ଚାଳକମାନେ ଚାରିଚକିଆ ଯାନ ଏପରିକି ମୋଟରସାଇକେଲରେ ୮୦% ଡିଜେଲ ୨୦% ମହୁଲ ତେଳ ବ୍ୟବହାର କରୁଥିବା ଜଣାପଡ଼ିଛି। ଏହାଦ୍ୱାରା ଫୁଏଲ ଏଫିସିଏନ୍ସି ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ଛତିଶଗଡ଼ ସରକାର ମହୁଲରୁ ବାୟୋଡିଜେଲ ପ୍ରସ୍ତୁତ କରିବାକୁ ବିଧିବଦ୍ଧ ଭାବରେ କାମ ଆରମ୍ଭ କରିଥିବା ବେଳେ ଆମ ରାଜ୍ୟରେ ମହୁଲ ସଂଗ୍ରହ ଏବଂ ଏହାର ପ୍ରକ୍ରିୟା କରଣର ଏଭଲି ଦୟନିୟ ଅବସ୍ଥା ରହିଥିବା ଅତି କ୍ଷୋଭର ବିଷୟ। ଅନ୍ୟ ରାଜ୍ୟରେ ମହୁଲରୁ ବାୟୋଡିଜେଲ ତିଆରି ବ୍ୟତୀତ ମହୁଲର ପ୍ରକ୍ରିୟା କରଣ ମାଧ୍ୟମରେ ଜେଲି, ଜାମ୍‌‌ ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରଯାଉଛି। ଅନ୍ତତଃ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଆମ ରାଜ୍ୟ ସରକାର ଶିକ୍ଷାଲାଭ କରି ଫଳପ୍ରସୂ ମହୁଲ ସଂଗ୍ରହ ଓ ଏହାର ଫଳପ୍ରଦ ପ୍ରକ୍ରିୟାକରଣ ନୀତି ପ୍ରଣୟନ କରି ଧାନ ସଂଗ୍ରହ ଭଲି ନିୟନ୍ତ୍ରିତ ମାର୍କେଟ କମିଟୀ ଜରିଆରେ ମାର୍କେଟୟାର୍ଡମାନଙ୍କରେ ମହୁଲ ଓ ଅନ୍ୟ ଲଘୁବନଜାତ ଦ୍ରବ୍ୟ କିଣାବିକାର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଏହାଦ୍ୱାରା ସଂଗ୍ରହକାରୀମାନେ ଉପକୃତ ହେବା ସହିତ ଅଭାବୀ ବିକ୍ରି ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବ ବୋଲି ସଚେତନ ବର୍ଗରେ ମତପ୍ରକାଶ ପାଉଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୦୦ ମସିହା ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର ଏକ ଆଦେଶନାମା ଜାରିକରି ମହୁଲ ସମେତ ୬୮ଟି ଲଘୁବନଜାତ ଦ୍ରବ୍ୟର କ୍ରୟବିକ୍ରୟ ଓ ନିୟନ୍ତ୍ରଣ ତଥା ସଂଗ୍ରହ ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ପଞ୍ଚାୟତ ସମିତି ଉପରେ ନ୍ୟସ୍ତ କରିଛନ୍ତି। ନିୟମ ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପଞ୍ଚାୟତ ସମିତିର ବୈଠକ ବସି ଲଘୁବନଜାତ ଦ୍ରବ୍ୟଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଅଫିସର ନୋଟିସ ବୋର୍ଡରେ ସର୍ବସାଧାରଣଙ୍କ ଗୋଚରାର୍ଥେ ମୂଲ୍ୟ ତାଲିକା ଲେଖାଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିୟମ କେବଳ କାଗଜ କଲମରେ ହିଁ ଅଟକି ଯାଇଛି। ଯଦ୍ୱାରା ଅସାଧୁ ବ୍ୟବସାୟୀ ଏବଂ ଦଲାଲମାନେ ବେଧଡକରେ କମ୍‌‌ ମୂଲ୍ୟରେ ମହୁଲ କିଣି ନେଉଛନ୍ତି। ଏସବୁ କାରବାର ଜିଲା, ବ୍ଲକ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଜ୍ଞାତସାରରେ ଚାଲିଥିଲେ ମଧ୍ୟ ସେମାନେ ଜାଣି ନଜାଣିଲା ଭଳି ହାତବାନ୍ଧି ବସିଥିବାରୁ ସଂଗ୍ରହକାରୀମାନେ ଶୋଷଣର ଶିକାର ହେବାକୁ ବାଧ୍ୟ ହେଉଛନ୍ତି। ସରକାର ୨୦୦୦ ମସିହାରେ ଜାରି କରିଥିବା ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ ରହିଛି ଯେ କୌଣସି କ୍ଷେତ୍ରରେ ଯଦି ପଞ୍ଚାୟତ ସମିତି କର୍ତ୍ତୃପକ୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ନ ଥିବେ ତା’ହେଲେ ଜିଲାପାଳ ଏକ ସ୍ୱତନ୍ତ୍ର ବୈଠକ ଡାକି ମୂଲ୍ୟ ନିର୍ଦ୍ଧାରଣ କରିପାରିବେ। କିନ୍ତୁ ଏହି ନିର୍ଦ୍ଦେଶ ମଧ୍ୟ ନାଲିଫିତାରେ ବନ୍ଧା ପଡ଼ିଛି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ମହୁଲ ତଥା ଅନ୍ୟ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ନୀତିର ଉପଯୁକ୍ତ ସଂଶୋଧନ କରିବା ସହିତ ପ୍ରକ୍ରିୟାକରଣ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories