ଅବ୍ୟବହୃତ ଅବସ୍ଥାରେ ଅପନ୍ତରା ହୋଇ ପଡ଼ିଛି ଗ୍ରାମୀଣ ପାର୍କ

ରେଙ୍ଗାଲି: ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମୀଣ ପାର୍କ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହେଉଛି। ତେବେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଅନେକ ପଞ୍ଚାୟତରେ ଗ୍ରାମୀଣ ପାର୍କ ଅଧା ପନ୍ତରିଆରେ ପଡ଼ିଥିବା ବେଳେ ଆଉ କେତେକ ପଞ୍ଚାୟତରେ ଏପର୍ଯ୍ୟନ୍ତ ପାର୍କ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ପୁଣି ଯେଉଁ କେତେକ ପଞ୍ଚାୟତରେ ପାର୍କ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି ତହିଁରୁ ଅନେକ ଅବ୍ୟବହୃତ ଅବସ୍ଥାରେ ପଡ଼ି ଅତି ଅପନ୍ତରା ସ୍ଥିତିରେ ଥିବାର ଦେଖିବାକୁ ମିଳୁଛି। ସେଥି ମଧ୍ୟରୁ ବ୍ଲକର ବମାଲୋଇ ଗ୍ରାମପଞ୍ଚାୟତରେ ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଏହାର ଜ୍ୱଳନ୍ତ ଉଦାହରଣ। ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ପାର୍କ ଅବ୍ୟବହୃତ ହୋଇ ନାନା ପ୍ରକାର ଘାସ, ବୁଦାରେ ପାର୍କ ପରିସର ଅଚ୍ଛାଦିତ ହୋଇ ଅପନ୍ତରା ଅବସ୍ଥାରେ ପଡ଼ି ରହିଛି। ବମାଲୋଇ ଭଲି ଆହୁରି ଅନେକ ପଞ୍ଚାୟତରେ ଗ୍ରାମୀଣ ପାର୍କର ଅବସ୍ଥା ଏଭଳି ଅପନ୍ତରା ଥିବାର କୁହାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ ପାର୍କଗୁଡିକର ରକ୍ଷଣାବେକ୍ଷଣ, ସଫା ସୁତୁରା ରଖିବା ତଥା ଯତ୍ନ ନେବା ଦିଗରେ ଆବଶ୍ୟକ ପଦକ୍ଷେପ ପ୍ରତି ଦୃଷ୍ଟି ନଦେଲେ ପାର୍କଗୁଡିକ ଅରମା ଜଙ୍ଗଲରେ ପରିଣତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Comments are closed.