ଭାରତ ଗ୍ୟାସର ରିଫିଲ୍ ସେଣ୍ଟରକୁ ବିରୋଧ; ୨୪ ଅଟକ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଛକ ପାଖରେ ଭାରତ ଗ୍ୟାସ୍ କମ୍ପାନୀର ଏକ ରିଫିଲ୍ ସେଣ୍ଟର୍ ସ୍ଥାପନ ପାଇଁ ଚାଲିଥିବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଛନ୍ତି । ପୂର୍ବରୁ ମଧ୍ୟ ଅଞ୍ଚଳର ଜନସାଧାରଣ ଲାରିପାଲି ଛକରେ ଗ୍ୟାସ୍ ରିଫିଲ୍ ସେଣ୍ଟର ନକରିବାକୁ ଜିଲ୍ଲପାଳଙ୍କୁ ଭେଟି ଜନସାଧାରଣଙ୍କ ସ୍ୱାକ୍ଷରିତ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜନସାଧାରଣଙ୍କ ବିରୋଧ ସତ୍ବେ ଲାରିପାଲି ଛକରେ ଗ୍ୟାସ୍ ରିଫିଲ୍ ସେଣ୍ଟର୍ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ ହେଉଥିବା ଦେଖି ଅଞ୍ଚଳର ଲୋକେ କାର୍ଯ୍ୟ ସ୍ଥଳକୁ ପହଞ୍ଚି ବିରୋଧ କରିଥିଲେ । ଖବର ପାଇ ରେଙ୍ଗାଲିର ଅତିରିକ୍ତ ତହସିଲଦାର ନେପାଳଚନ୍ଦ୍ର ମୁଣ୍ଡା, ରେଙ୍ଗାଲି ଆଇଆସି ଧବଳେଶ୍ୱର ସାହୁ, ଶାସନ ଆଇଆଇସି ଲୋକନାଥ ସାହୁ ସଦଳ ବଳେ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରି ଅସନ୍ତୁଷ୍ଟ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ତେବେ ରିଫଲ୍ ସେଣ୍ଟର ହଟାଇବା ଦାବିରେ ବିରୋଧକାରୀ ଅଟଳ ରହିବାରୁ ଏଥିରେ ନେତୃତ୍ୱ ନେଇଥିବା ୨୪ ଜଣଙ୍କୁ ଥାନାରେ ଅଟକ ରଖାଯାଇ ବିବାଦର ସମାଧନ ଉଦ୍ୟମ ଜାରି ରହିଥିବାର ଜଣାପଡିଛି ।
Comments are closed.