ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ଗଣେଶନଗରରୁ ଲାରିପାଲି, ଗୋଳାମାଲ-ପଧାନପାଲି, କତରବଗା ଦେଇ ଲାଉମାଲ ଛକକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ପଧାନପାଲି ଶନିମନ୍ଦିରର ଅନତି ଦୂରତାରେ ଥିବା ବୁଲାଣି ପାଖ କଲଭର୍ଟ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଳଟିଛି। ପୂର୍ବେ ଗ୍ରାମ୍ୟ ବିଭାଜନ ବିଭାଗ ଅଧିନରେ ଥିବା ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା ପରେ ରାସ୍ତା ସାମାନ୍ୟ ସଂପ୍ରସାରିତ ହୋଇ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ପୁରୁଣା ପୋଲ ଏବଂ କଲଭର୍ଟ ପୁନଃ ନିର୍ମାନ କରାଯାଇଥିଲେ ମଧ୍ୟ ଗୋଳାମାଲ ଗାଁ ମୁଣ୍ଡରେ ଥିବା କଲଭର୍ଟର ପୁନଃ ନିର୍ମାଣ କରାଯାଇନାହିଁ। ଫଳରେ ପୂର୍ବ ଭଲି ସଂକୀର୍ଣ୍ଣ କଲଭର୍ଟ ଥିବାରୁ ନିୟମିତ ବ୍ୟବଧାନରେ କଲଭର୍ଟ ପାଖରେ ଯାନବାହାନ ଦୁର୍ଘଟଣାଗ୍ରସ୍ତ ହୋଇ ଲୋକେ କ୍ଷତାହତ ହେଉଥିବାର ଦେଖିବାକୁ ମିଳୁଛି।
ଗତ ୩/୪ ଦିନ ତଳେ ଏହି କଲଭର୍ଟ ପାଖରେ ଏକ ଟ୍ରକ୍ ଓଲଟି ରାସ୍ତାକଡ ଆମ୍ଭ ଗଛରେ ପିଟି ହୋଇଥିଲା। ଟ୍ରକରେ ଥିବା ଡ୍ରାଇଭର ଏବବଂ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଥିଲେ। କଲଭର୍ଟ ପାର୍ଶ୍ବରେ ଥିବା ଛୋଟ କାନ୍ଥ ଖଣ୍ଡ ଖଣ୍ଡ ହୋଇ ଭୁଷୁଡି ପଡୁଥିବାରୁ କଲଭର୍ଟ ଯାତ୍ରୀମାନଙ୍କ ପାଇଁ ଦିନକୁ ଦିନ ଅଧିକ ବିପଦ ସଙ୍କୁଳ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷା ଏବଂ କୋଣସି ବଡଧରଣର ଦୁର୍ଘଟଣା ଘଟିବା ଆଗରୁ ଗୋଳାମାଲ ଗାଁ ପାଖରେ ବିପଦଜନକ ଅବସ୍ଥାରେ ଥିବା କଲଭର୍ଟର ପୁନଃ ନିର୍ମାଣ ପାଇଁ ଦାବୀ ହେଉଛି।



